Odisha Link
Bridging the Missing Links in Odisha

ଏସପିଜି ସଂଶୋଧନ ବିଲ-୨୦୧୯ ରାଜ୍ୟସଭାରେ ପାରିତ, ଶାହ କହିଲେ ଗାନ୍ଧି ପରିବାର…

ନୂଆଦିଲ୍ଲୀ : ଲୋକସଭା ପରେ ଆଜି ରାଜ୍ୟସଭାରେ ପାସ୍‌ ହେଲା ଏସପିଜି ସଂଶୋଧନ ବିଲ୍-୨୦୧୯। ରାଜ୍ୟସଭାରେ ଏହି ବିଲ୍‌ ପାସ୍‌ ହେବା ବେଳେ ଏହାକୁ ବିରୋଧ କରିଥିଲେ କଂଗ୍ରେସ ସାଂସଦ। ଗୃହମନ୍ତ୍ରୀଙ୍କ ଉତ୍ତର କଂଗ୍ରେସକୁ ସନ୍ତୁଷ୍ଟ କରି ପାରିନାହିଁ ବୋଲି ଦଳ ପକ୍ଷରୁ କୁହାଯାଇ ରାଜ୍ୟସଭାର କକ୍ଷ ପରିତ୍ୟାଗ କରିଥିଲେ। ଏହାପରେ ଭୟସ ଭୋଟ ଜରିଆରେ ଏହା ପାସ୍ ହୋଇଛି।

ରାଜ୍ୟସଭାରେ ମତ ରଖି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି, “ଆମେ ଗାନ୍ଧି ପରିବାରକୁ ଦୃଷ୍ଟିରେ ରଖି ଯେ ଏସପିଜି ସଂଶୋଧିତ ବିଲ ଆଣିଛୁ ବୋଲି କହିବାକୁ ସଂପୂର୍ଣ୍ଣ ଭାବେ ଭୁଲ। ବିଲ୍‌ ଆଣିବା ପୂର୍ବରୁ ଗାନ୍ଧି ପରିବାର ସଦସ୍ୟଙ୍କ ସୁରକ୍ଷା ବ୍ୟବସ୍ଥାକୁ ତର୍ଜମା କରାଯାଇଥିଲା। ଏହାପରେ ଯାଇ ସେମାନଙ୍କ ଏସପିଜି ସୁରକ୍ଷା ବ୍ୟବସ୍ଥାକୁ ପ୍ରତ୍ୟାହାର କରାଯାଇଥିଲା।

ଏଥିସହିତ ଶ୍ରୀ ଶାହ କହିଛନ୍ତି ଯେ, ୫ମ ଥର ପାଇଁ ଏସପିଜି ଆଇନରେ ଏଭଳି ସଂଶୋଧନ କରାଯାଇଛି। ଆମେ ଗାନ୍ଧି ପରିବାରକୁ ଦୃଷ୍ଟିରେ ରଖି ସଂଶୋଧନ କରିନାହୁଁ। କିନ୍ତୁ ଗାନ୍ଧି ପରିବାରକୁ ଦୃଷ୍ଟିରେ ରଖି ପୂର୍ବରୁ ୪ଥର ଏହି ଆଇନରେ ସଂଶୋଧନ ହୋଇଥିଲା। କାହିଁକି କଂଗ୍ରେସ କେବଳ ଗାନ୍ଧି ପରିବାର ପାଇଁ ଏସପିଜି ସୁରକ୍ଷା ଦାବି କରୁଛି ବୋଲି ଶାହ ପ୍ରଶ୍ନ କରିଛନ୍ତି।

ଏବେ ଏହି ବିଲକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପାଇଁ ପଠାଯିବ। ଗାନ୍ଧି ପରିବାର ସଦସ୍ୟଙ୍କ ଏସପିଜି ସୁରକ୍ଷା ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାର ଏଭଳି ବିଲ ଆଣିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଥିଲା। ହେଲେ ସଂସଦ ଏହାକୁ ଆଇନରେ ପରିଣତ କରିବାକୁ ଆଜି ଅନୁମତି ଦେଇଛି।

ନୂଆ ଏସପିଜି ବିଲ ଅନୁଯାୟୀ, ଏଣିକି କେବଳ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ନିକଟତମ ପରିବାର ସଦସ୍ୟଙ୍କୁ ଏସପିଜି ସୁରକ୍ଷା ମିଳିବ। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ନିକଟତମ ପରିବାର ସଦସ୍ୟଙ୍କୁ ଅଫିସ ଛାଡ଼ିବାର ୫ ବର୍ଷ ଯାଏ ଏସପିଜି ସୁରକ୍ଷା ମିଳିବ।

Comments are closed.