ଅପହରଣ ନୁହେଁ, ଦଲାଲଙ୍କ ମାଧ୍ୟମରେ ପୁରୀ ଆସିଥିଲେ ପୀଡ଼ିତା, ପଢ଼ନ୍ତୁ ପୂରା ଘଟଣା

ପୁରୀ: ପୁରୀ ଗଣଦୁଷ୍କର୍ମ ଘଟଣାରେ ଆସିଛି ନୂଆ ମୋଡ଼। ପୂର୍ବରୁ ଏ ମାମଲାରେ ୪ ଜଣଙ୍କୁ ପୁଲିସ ଗିରଫ କରିଥିବା ବେଳେ ଗତକାଲି ଆଉ ଦୁଇଜଣ ଦଲାଲ ଦମ୍ପତିଙ୍କୁ ଗିରଫ କରିଛି। ଗିରଫ ଦୁଇଜଣ ହେଲେ ରଂଜିତ ପରିଡ଼ା ଓ ତାଙ୍କ ପତ୍ନୀ ସୌମ୍ୟା ଶେଫାଳିକା ପରିଡ଼ା। ପୂର୍ବରୁ ଏ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିତାଡ଼ିତ ପୁଲିସ କନଷ୍ଟେବଲ୍ ଜିତେନ୍ଦ୍ର ସେଠୀ ଓ ତା’ର ସହଯୋଗୀ ରାଜେଶ ସେଠୀ, ରାମଚନ୍ଦ୍ର ପଣ୍ଡା, ବୁଲୁ ବାରିକଙ୍କୁ ଗିରଫ କରିଥିଲେ କୁମ୍ଭାରପଡ଼ା ଥାନା ପୁଲିସ।
ଗଣମାଧ୍ୟମକୁ ପୁଲିିସ ଦେଇଥିବା ସୂଚନା ଅନୁସାରେ ୧୬ ବର୍ଷିୟା ପୀଡ଼ିତାଙ୍କୁ ନିମାପଡ଼ା ଠାରୁ ଅଭିଯୁକ୍ତମାନେ ଅପହରଣ କରିଥିଲେ ବୋଲି ସେ ଅଭିିଯୋଗ କରିଥିଲେ। ତେବେ ତଦନ୍ତ ପରେ ପୁଲିସ ଏ ଅଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି। ପୀଡ଼ିତାଙ୍କର ଅପହରଣ ହୋଇନାହିଁ। ବରଂ ଗିରଫ ଦୁଇ ଦଲାଲ ତାଙ୍କୁ ଗୋଟିଏ ବାଇକ୍ରେ ଭୁବନେଶ୍ବରରୁ ପୁରୀ ଚାଲାଣ କରିଥିଲେ।
ପୁରୀ ଏସ୍ପି ଉମାଶଙ୍କର ଦାଶ ଦେଇଥିବା ସୂଚନା ଅନୁସାରେ ଡିସେମ୍ବର ୨ ତାରିଖରେ ଗିରଫ ଦଲାଲ ଦମ୍ପତି ପୀଡ଼ାତାଙ୍କୁ ଏ ବାଇକରେ ଭୁବନେଶ୍ବରରୁ ପୁରୀ ଆଣିଥିଲେ। ସେମାନେ ଏଠାରେ ପୀଡ଼ିତାଙ୍କୁ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସହ ପରିଚୟ କରାଇଥିଲେ ଓ ତାଙ୍କ ସହ ଅନୈତିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ପରେ ନାବାଳିକା ପୀଡ଼ିତା ସହ ଜିତେନ୍ଦ୍ର ଓ ତା’ର ସହଯୋଗୀମାନେ ଦୁଷ୍କର୍ମ କରିଥିଲେ।
ପୂର୍ବରୁ ଝିଅ ଚାଲାଣ ମାମଲାରେ ରଂଜିତ ନାମରେ ମାମଲା ରହିଛି। ଭୁବନେଶ୍ବର ମହିଳା ଥାନର ପୁୁଲିସ ଅନ୍ୟ ଏକ ଝିଅ ଚାଲାଣ ମାମଲାରେ ତାକୁ ଗିରଫ କରିଥିଲେ। ପୀଡ଼ିତାଙ୍କୁ ଚାଲାଣ କରାଯାଇଥିବା ବାଇକଟିକୁୁ ଜବତ କରିଛି ପୁଲିସ।