Odisha Link
Bridging the Missing Links in Odisha

ଫନୀ ପରେ ସ୍ଥାୟୀ ବିଦ୍ୟୁତ ସଂଯୋଗ ପାଇଁ ଅର୍ଥ ବାଧକ ନୁହେଁ: ମନ୍ତ୍ରୀ

ଭୁବନେଶ୍ବର: ମାହାଙ୍ଗା ଏବଂ ସାଲେପୁର ନିର୍ବାଚନ ମଣ୍ଡଳୀର ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଣ ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆଜି ଲୋକସେବା ଭବନ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି।

ଆଜିର ଏହି ସମୀକ୍ଷା ବୈଠକରେ ଶିଳ୍ପ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଜଣାଇଥିଲେ ଯେ, ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗଣ ନିମନ୍ତେ ଦେଖା ଯାଉଥିବା ବୈଷୟିକ ତ୍ରୁଟିକୁ ସୁଧାର ଆଣିବା ଦିଗରେ ଯୋଜନା କରାଯାଉ ଏବଂ ଏଥିସକାଶେ ଅନୁଦାନ ବାଧକ ହେବ ନାହିଁ । ସାଲେପୁର-ଟାଙ୍ଗୀ ଏବଂ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଫନୀ ପରେ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ ସଂଯୋଗ ଦେବା ସକାଶେ ଅସ୍ଥାୟୀ ଭାବେ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରାଯାଇଥିଲା । ସେହିସବୁ ଅଞ୍ଚଳଗୁଡ଼ିକରେ ୭ ଦିନ ମଧ୍ୟରେ ସର୍ଭେ କରି ସେଗୁଡିକର ସ୍ଥାୟୀ ବ୍ୟବସ୍ଥା କରିବା ସକାଶେ ଏସ୍‌ଇ, କଟକ ଏବଂ ସେସୁ ମୁଖ୍ୟ କାର୍ଯ୍ୟାଳୟକୁ ଯୋଗାଯୋଗ କରିବା ପାଇଁ ସମସ୍ତ ସେକ୍‌ସନ୍‌ ଅଧିକାରୀମାନଙ୍କୁ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ନିର୍ଦ୍ଦେଶ ପ୍ରଦାନ କରିଥିଲେ।

ଅସୁରେଶ୍ୱର ଏବଂ ଜାପଗୁଡ଼ାର ୩୩/୧୧ କେଭି ପ୍ରାଇମେରୀ ସବ୍‌ଷ୍ଟେସନ୍‌ ଓଡିଏସ୍‌ଏସ୍‌ ପି ଦ୍ୱାରା ଆସନ୍ତା ଜାନୁଆରୀ ୧୦ ତାରିଖରେ କାର୍ଯ୍ୟକ୍ଷମ ହେବ। ମଙ୍ଗୁଳୀ, ବିଶ୍ୱବାହାକାଣି, ନାଗଶ ପୁର ଅଞ୍ଚଳରେ ୩୩/୧୧ କେଭି ପ୍ରାଇମେରୀ ସବ୍‌ଷ୍ଟେସନ୍‌ ସ୍ଥା ପନ ସକାଶେ ବୈଠକରେ ଆଲୋଚନା ହୋଇଥିଲା। ମାହାଙ୍ଗା ଅଞ୍ଚଳରେ ନୀରବଚ୍ଛିନ୍ନ ବିଦୁ୍ୟତ ସେବା ଯୋଗାଇଦେବା ଆବଶ୍ୟକ ହୋଇ ପଡ଼ିଛି। ୩୨/୩୩ କେଭି ଗ୍ରୀଡ଼୍‌ କିଞ୍ଚା ୨୨୦/୩୩ କେଭି ଗ୍ରୀଡ଼୍‌ ସ୍ଥାପନ ସକାଶେ ଓ ପିଟିସିଏଲ୍‌କୁ ସର୍ଭେ କାର୍ଯ୍ୟ କରିବା ନିମନ୍ତେ ବୈଠକରେ ସ୍ଥିର କରାଯାଇଥିଲା। ସୌଭାଗ୍ୟ ଯୋଜନାରେ ପ୍ରସ୍ତୁତ ହୋଇଥିବା ତାଲିକା ଯାଞ୍ଚ କରାଯାଇ ଯେଉଁ ପରିବାରର ନାମ ନାହିଁ ସେଗୁଡ଼ିକୁ ସଂଶୋଧନ କରି କାର୍ଯ୍ୟ ତ୍ୱରାନ୍ୱିତ କରିବା ଉପରେ ସବିଶେଷ ଆଲୋଚନା ହୋଇଥିଲା। ବୈଠକରେ ସଂପୃକ୍ତ ଅଞ୍ଚଳର ଲୋକ ପ୍ରତିନିଧି, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ସଂପୃକ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.