ନିର୍ଭୟା ଦୋଷୀଙ୍କୁ ଫାଶି ପକ୍କା

ଭୁବନେଶ୍ୱର: ନିର୍ଭୟା କାଣ୍ଡର ଦୋଷୀଙ୍କୁ ଫାଶି ମିଳିବା ପକ୍କା ହୋଇଛି । କାରଣ ନିର୍ଭୟା ଦୋଷୀଙ୍କ ରିଭୁ୍ୟ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ମୋଟ ୪ଜଣ ଦୋଷୀଙ୍କ ମଧ୍ୟରୁ ଅନ୍ୟତମ ଦୋଷୀ ଅକ୍ଷୟ ସିଂହଙ୍କ ରିଭୁ୍ୟ ପିଟିସନକୁ କୋର୍ଟ ଖାରଜ କରିଦେଇଛନ୍ତି ।
ମାମଲାର ଶୁଣାଣି ବେଳେ ଖଣ୍ଡପୀଠ ଉଭୟ ପକ୍ଷର ଓକିଲଙ୍କୁ ୩୦ ମିନିଟ୍ ଲେଖାଏ ସମୟ ଦେଇଥିଲେ। ଅକ୍ଷୟଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ ଏ.ପି. ସିଂହ ଅକ୍ଷୟଙ୍କୁ ମୃତ୍ୟୁ ଦଣ୍ଡ ନ ଦେବାକୁ ଅନୁରୋଧ କରି କେତେକ ଯୁକ୍ତି ଉପସ୍ଥାପନ କରିଥିଲେ। ସେ ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥିଲେ। ତାଙ୍କ ମହକିଲଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ ବୋଲି କହିବା ସହିତ ନିର୍ଭୟା ମୃତ୍ୟୁ ପୂର୍ବରୁ ଅକ୍ଷୟଙ୍କ ନାମ ନେଇ ନ ଥିଲେ ବୋଲି କହିଥିଲେ। ସେହିପରି ସିଂହ ଯୁକ୍ତି ବାଢ଼ିଥିଲେ ଯେ, ଅନ୍ୟତନ ଅଭିଯୁକ୍ତ ରାମ ସିଂହଙ୍କୁ ଜେଲରେ ହତ୍ୟା କରାଯାଇଛି ଏବଂ ସେ ଆତ୍ମହତ୍ୟା କରି ନ ଥିଲା। ଏଥିପାଇଁ ସେ ପୁଲିସକୁ ଦାୟୀ କରିଥିଲେ। ଅନ୍ୟପଟେ ପୀଡ଼ିତାଙ୍କ ପକ୍ଷରୁ ଲଢୁଥିବା ଓକିଲ ଦୋଷୀ ଅକ୍ଷୟର ପୁନର୍ବିଚାର ପିଟିଶନକୁ ଖାରଜ କରିବା ସହିତ ଫାଶୀ ଦଣ୍ଡାଦେଶ ବଳବତ୍ତର ରଖିବା ଲାଗି ଯୁକ୍ତି ବାଢ଼ିଥିଲେ। ଉଭୟ ପକ୍ଷର ଦଲିଲ ଶୁଣିବା ପରେ କୋର୍ଟ ଅପରାହ୍ନ ୧ଟାରେ ରାୟ ଶୁଣାଇବେ ବୋଲି କହିଥିଲେ।