ପିଆଜ ପରେ ଆଳୁ ବେପାରୀଙ୍କ କଳାବଜାରୀ

ଭୁବନେଶ୍ବର: ପିଆଜ ପରେ ଏବେ ଆଳୁ ସଂଙ୍କଟ। ପଶ୍ଚିମବଙ୍ଗରୁ ଆଳୁ ଆମଦାନି ହ୍ରାସ ପାଇନାହିଁ ହେଲେ ବେପାରୀଙ୍କ କଳାବଜାରୀ ଯୋଗୁଁ ଆଳୁ ଦର ବୃଦ୍ଧି ପାଇଛି। ପାଇକାରୀ ଦର କ୍ବିଣ୍ଟାଲ୍ ପିଛା ୧୮ଶହରୁ ୧୯ଶହ ଟଙ୍କା ଥିବା ବେଳେ ଖୁଚୁରା ବଜାରରେ କିଲୋ ପିଛା ୨୫ଟଙ୍କାରେ ଆଳୁ ବିକ୍ରି ହେଉଛି। ଏହି ବର୍ଧିତ ଦର ଆହୁରି ୧୫ଦିନ ରହିବ ବୋଲି ବ୍ୟବସାୟୀ ମହଲରୁ ଜଣାପଡ଼ିଛି। ତେବେ ଏଥିପାଇଁ ବଙ୍ଗ ବେପାରୀଙ୍କ ମନମାନି ସହ ରାଜ୍ୟ ସରକାରଙ୍କ ବିପଣନ ବ୍ୟବସ୍ଥାକୁ ବ୍ୟବସାୟୀମାନେ ଦାୟୀ କରିଛନ୍ତି। ବଙ୍ଗ ବେପାରୀମାନେ କୃତ୍ରିମ ଅଭାବ ବାହାନାରେ ଆଳୁ ଦର ବୃଦ୍ଧି କରି ଓଡ଼ିଶା ଖାଉଟିଙ୍କୁ ଶୋଷଣ କରୁଛନ୍ତି ବୋଲି କୁହାଯାଉଛି।
ପଶ୍ଚିମବଙ୍ଗରେ ନାଗରିକ ସଂଶୋନ ଆଇନକୁ ନେଇ ଘଟିଥିବା ପୋଡ଼ାଜଳା ପରେ ପରେ ହଠାତ୍ ଆଳୁ ଦର ବଢ଼ିଗଲା। ଗତ ୧୬ ତାରିଖରୁ ଓଡ଼ିଶା ବଜାରରେ ଆଳୁ ଦର କ୍ବିଣ୍ଟାଲ ପିଛା ୬ଶହ ଟଙ୍କା ବଢ଼ିଯିବାରୁ ପୂର୍ବରୁ ଖୁଚୁରା ବଜାରରେ କିଲୋ ପିଛା ୧୭/୧୮ଟଙ୍କାରେ ବିକ୍ରି ହେଉଥିବା ଆଳୁ ଦର ୧୬ ତାରିଖ ପରଠାରୁ ୨୫ଟଙ୍କାକୁ ଛୁଇଁଗଲା। ପଶ୍ଚିମବଙ୍ଗରେ ଆଳୁ ସ୍ଥିତି ସ୍ବାଭାବିକ ରହିଛି। ଓଡ଼ିଶା ବଜାରରେ କିନ୍ତୁ ଦର କମୁ ନାହିଁ। ଏବେ ନୂଆ ବାହାନା କରିବା ଆରମ୍ଭ କରିଛନ୍ତି ବଙ୍ଗ ବେପାରୀ। ନୂଆ ଆଳୁ ଅମଳ ବିଳମ୍ବ ହୋଇଥିବାରୁ ଦରବୃଦ୍ଧି ଘଟିଛି । ସେମାନଙ୍କ କହିବା କଥା, ଅଦିନିଆ ବର୍ଷା କାରଣରୁ ଅମଳ ପ୍ରାୟ ୧୫ଦିନ ବିଳମ୍ବ ହୋଇଗଲାଣି। ଏଣେ ଗୋଦାମରେ ମହଜୁଦ୍ ଥିବା ପୁରୁଣା ଆଳୁ କମିବାରେ ଲାଗିଛି। ଏହି ଅଭାବ କାରଣରୁ ଆଳୁ ଦର ବୃଦ୍ଧି ପାଇଛି ଓ ନୂଆ ଆଳୁ ଅମଳ ହେବା ପର୍ଯ୍ୟନ୍ତ ଅର୍ଥାତ୍ ଆହୁରି ୧୫ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଲାଗି ରହିବ ବୋଲି ବଙ୍ଗ ବେପାରୀ କହୁଛନ୍ତି। ପିଆଜ ଓ ପରିବା ଦର ବୃଦ୍ଧି ସମୟରେ ବଙ୍ଗ ବେପାରୀମାନେ ଆଳୁ ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରି ଖାଉଟିଙ୍କୁ ଶୋଷଣ କରୁଛନ୍ତି। ଏବେ ଓଡ଼ିଶା ସରକାରଙ୍କ ଯୋଗାଣ ବିଭାଗ ଏ ଦିଗରେ ଦୃଷ୍ଟି ଦେବା ଉଚିତ ବୋଲି ସେମାନେ ଦାବି କରିଛନ୍ତି।