ଓଡ଼ିଶା ଆୟୁଷ୍ମାନ ଯୋଜନା ଲାଗୁ କରୁ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ୱର ଏମ୍ସ ପରିସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ ଯୋଗ ଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବା ସହ ଏମ୍ସରେ ଆଇସିୟୁ , ଓ.ଟି ଓ କ୍ୟାଥ ଲ୍ୟାବର ମଧ୍ୟ ଉଦଘାଟନ କରିଛନ୍ତି।
ଏଥିସହିତ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ବଡ଼ ଘୋଷଣା କରିଛନ୍ତି। ଓଡ଼ିଶାର ୬ ଆକାଂକ୍ଷୀ ଜିଲ୍ଲା ହସ୍ପିଟାଲକୁ ମେଡିକାଲ କଲେଜ କରାଯିବ। ଏହାଛଡା ଏହି ତାଲିକାରେ ଓଡ଼ିଶାର ଆଉ ୨ଟି ହସ୍ପିଟାଲକୁ ସାମିଲ କରାଯିବା ନେଇ ବିଚାର ବିମର୍ଷ ଚାଲିଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ।
ଏମ୍ସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏହି ଘୋଷଣା ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଆଉ ଗୋଟିଏ ପାଦ ଆଗକୁ ନେବ। ସମଗ୍ର ଦେଶରେ ୭୫ଟି ଆକାଂକ୍ଷୀ ଜିଲ୍ଲା ହସ୍ପିଟାଲକୁ ମେଡିକାଲ କଲେଜ କରାଯିବ। ଆଗାମୀ ୪ରୁ ୫ ମାସ ମଧ୍ୟରେ ୪୯ଟି ମେଡିକାଲ କଲେଜକୁ ସମ୍ପୂର୍ଣ୍ଣ କରାଯିବ।
ଏହାଛଡା ଆୟୁଷ୍ମାନ ଭାରତ ଯୋଜନାରେ ରାଜ୍ୟକୁ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ହର୍ଷବର୍ଦ୍ଧନ। ଏହାଦ୍ୱାରା ରାଜ୍ୟର ଲୋକ ଉପକୃତ ହେବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ସୂଚନାଯୋଗ୍ୟ, ପୂର୍ବରୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ନ ହୋଇ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଗରିବ ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେଇ ଆସୁଛନ୍ତି।
ଏଥିସହିତ ଭୁବନେଶ୍ୱର ଏମ୍ସରେ ଉନ୍ମୋଚିତ ହୋଇଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି। ବାଜପେୟୀଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ କରିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।