Odisha Link
Bridging the Missing Links in Odisha

ଓଡ଼ିଶାର ଖ୍ରୀଷ୍ଟିଆନଙ୍କୁ କାହିଁକି ଶୁଭେଚ୍ଛା ଜଣାଇଲେ ପାକିସ୍ତାନ ସେନା ମୁଖପାତ୍ର?

ଭୁବନେଶ୍ବର: ଓଡ଼ିଶାର ଖ୍ରୀଷ୍ଟିଆ ସଂପ୍ରଦାୟଙ୍କୁ ବଡ଼ଦିନର ଅଭିନନ୍ଦନ ଜଣାଇଛନ୍ତି ପାକିସ୍ତାନ ସେନାର ମୁଖପାତ୍ର ଆସିଫ୍‌ ଗଫୁର୍। ଆଜି ଟୁଇଟ୍‌ କରି ଆସିଫ୍‌ ପାକିସ୍ତାନର ଖ୍ରୀଷ୍ଟିଆନ୍, ବିଶ୍ବର ଖ୍ରୀଷ୍ଟିଆନ୍‌ ଓ ବିଶେଷ କରି ଓଡ଼ିଶାର ହିନ୍ଦୁତ୍ବ ପ୍ରଭାବୀ ପରିବେଶରେ ଥିବା ଖ୍ରୀଷ୍ଟିଆନ୍‌ ସଂପ୍ରଦାୟଙ୍କୁ ବଡ଼ଦିନର ଅଭିନନ୍ଦନ ଜଣାଉଥିବା ଉଲ୍ଲେଖ କରିଛନ୍ତି।

ଏହାକୁ ନେଇ ଟ୍ବିଟର୍‌ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଆସିଫ୍‌ ଭାରତର ବିଭିନ୍ନ ଖ୍ରୀଷ୍ଟିଆନ୍‌ ବହୁଳ ଅଞ୍ଚଳକୁ ଛାଡ଼ି ଓଡ଼ିଶାକୁ କାହିଁକି ଏଭଳି ଶୁଭେଚ୍ଛା ବାର୍ତ୍ତା ଦେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଆସିଫ୍‌ଙ୍କ ଏହି ଟୁଇଟ୍‌କୁ ପ୍ରଶଂସା ପରିବର୍ତ୍ତେ ବହୁ ସଂଖ୍ୟାରେ ଟୁଇଟର୍‌ ବ୍ୟବହାରକାରୀ ସମାଲୋଚନା କରିଛନ୍ତି। ସେଥିରେ ଅଧିକ ସଂଖ୍ୟାରେ ପାକିସ୍ତାନୀ ବା ମୁସଲମାନ ସଂପ୍ରଦାୟର ଲୋକ ଅଛନ୍ତି।ପାକିସ୍ତାନରେ ଖ୍ରୀଷ୍ଟିଆନମାନେ ସୁରକ୍ଷିତ ନୁହନ୍ତି ଓ ସେମାନଙ୍କୁ ବଳପୂର୍ବକ ଧର୍ମ ପରିବର୍ତ୍ତନ କରାଯାଉଛି ବୋଲି ଅନେକେ ତାଙ୍କ ଉତ୍ତରରେ ଲେଖିଛନ୍ତି।

ଓଡ଼ିଶା ସାଂସଦ ସସ୍ମିତ ପାତ୍ର ଆସିଫଙ୍କ ପୋଷ୍ଟର ଉତ୍ତରରେ ପାକିସ୍ତାନର ସଂଖ୍ୟାଲଘୁ ମାରଣ ନୀତିର ନିନ୍ଦା କରିଛନ୍ତି।

Comments are closed.