ସୂର୍ଯ୍ୟୋପରାଗ: ବାଧକ ସାଜିଲା ମେଘୁଆ ପାଗ, ଛାଇ ଆଲୁଅର ଖେଳ ଦେଖିପାରିଲେନି ଜନସାଧାରଣ

ଭୁବନେଶ୍ବର: ସୂର୍ଯ୍ୟୋପରାଗ ଦେଖିବାକୁ ଇଚ୍ଛୁକ ଥବା ଜନସାଧାରଣ ନିରାଶ ହୋଇଛନ୍ତି। ଆକାଶ ମେଘାଚ୍ଛନ୍ନ ଥିବା ହେତୁ ସବୁ ବ୍ୟବସ୍ଥା ଥାଇ ମଧ୍ୟ ଏହି ବିରଳ ମହାଜାଗତିକ ଦୃଶ୍ୟ ଦେଖିବାରୁ ବଞ୍ଚିତ ହୋଇଛନ୍ତି ଦେଖଣାହାରୀ। ଅନ୍ୟପଟେ ବହୁଚର୍ଚ୍ଚିତ ବିରଳ ବଳୟ ସୂର୍ଯ୍ୟୋପରାଗ ଦେଖିବାକୁ ଆସିଥିବା ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ ନିରାଶ ହୋଇଛନ୍ତି।
ଭୁବନେଶ୍ବରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ଏବଂ ବୁର୍ଲ୍ଲାସ୍ଥିତ ଏପିଜେ ଅବ୍ଦୁଲ କାଲାମ୍ ପ୍ଲାନେଟୋରିୟମକୁ ସୂର୍ଯ୍ୟୋପରାଗ ଦେଖିବାକୁ ଆସିଥିବା ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଜନସାଧାରଣ ମେଘାଚ୍ଛନ୍ନ ଆକାଶ ଯୋଗୁଁ କ୍ଷୟପ୍ରାପ୍ତ ସୂର୍ଯ୍ୟଙ୍କୁ ଆଦୌ ଦେଖିପାରିନାହାନ୍ତି। ବୁର୍ଲାରେ ଝିପିଝିପି ବର୍ଷା ହେଉଥିବା ବେଳେ ଭୁବନେଶ୍ବରରେ ପାଗ ମେଘୁଆ ରହିଛି। ବହୁ ଛାତ୍ରଛାତ୍ରୀ ସୌରଚଷମା କିଣିଥିଲେ ହେଁ ତାର ଉପଯୋଗ କରିପାରି ନାହାନ୍ତି। ଉଲ୍ଲେଖଯୋଗ୍ୟ କି ପ୍ଲାନେଟୋରିୟମ୍ ପକ୍ଷରୁ ସୌର ଚଷମା, ୧୪ ନମ୍ବର ୱେଲ୍ଡିଂ କାଚ, ପିନ୍ ହୋଲ୍ ପ୍ରକ୍ଷେପଣ ଓ ଦର୍ପଣର ପ୍ରତିଫଳନ ମାଧ୍ୟମରେ ସୂର୍ଯ୍ୟୋପରାଗ ଦେଖିବା ବ୍ୟବସ୍ଥା ହୋଇଥିଲା। ତେବେ ସୂର୍ଯ୍ୟୋପରାଗ ଆରମ୍ଭ ହେଉଥିବା ସମୟରେ ଅଳ୍ପ କିଛି ମିନିଟ୍ ଲାଗି ଏହି ଦୃଶ୍ୟ କିଛି ଦର୍ଶକ ଦେଖିବାକୁ ପାଇଥିବା କହିଛନ୍ତି।