Odisha Link
Bridging the Missing Links in Odisha

ଏସିଡ଼ ବିକ୍ରିର ଖୁଲାସା କଲେ ଦୀପିକା

ମୁମ୍ବାଇ : ଏସିଡ଼ ଏକ ଏପରି ମାରାତ୍ମାତ ଜିନିଶ ଯାହା ଲୋକଙ୍କ ଚେହାରା ବିଗାଡ଼ିବା ସହ ସେମାନଙ୍କ ସ୍ବପ୍ନଙ୍କୁ ଭାଙ୍ଗି ଦେଇଥାଏ । ଏହି ଏସିଡ଼ ମାଡ଼କୁ ନେଇକି ଏକ ସିନେମା ପ୍ରସ୍ତୁତ ହୋଇଛି । ସିନେମାଟିର ନାଁ ହେଲା “ଛପାକ” । ଏହି ଚଳଚିତ୍ରଟିକୁ ମେଘନା ଗୁଲଜାର୍‌ ନିର୍ଦ୍ଦେଶନା ଦେଇଥିବା ବେଳେ ,ଦୀପିକା ପାଦୁକୋନ ମୂଖ୍ୟ ଚରିତ୍ରରେ ନଜର ଆସିଛନ୍ତି ।

ଜାନୁଆରୀ ୧୦ ତାରିଖରେ ରିଲିଜ୍‌ ହୋଇଛି। ଏହି ସିନେମାଟିକୁ ବିଭିନ୍ନ ମହଲରୁ ଢେର ପ୍ରସଂସା ମିଳୁଛି। ଏହା ବ୍ୟତୀତ ସିନେମାରେ ଦୀପିକାଙ୍କ ଜବରଦସ୍ତ ଅଭିନୟ ସମସ୍ତଙ୍କ ମନ ଜିତୁଛି। ‘ଛପାକ୍‌’ ଏବେ ସାରା ଦେଶର ଧ୍ୟାନ ନିଜ ଆଡ଼କୁ ଆକର୍ଷିତ କରିପାରିଛି। ସିନେମାଟିକୁ ୩ଟି ରାଜ୍ୟରେ ଟ୍ୟାକ୍ସ ଫ୍ରି ମଧ୍ୟ କରିଦିଆଗଲାଣି। ସିନେମା ରିଲିଜ୍‌ ହେବାପରେ ଉତ୍ତରାଖଣ୍ଡ ସରକାର ଏସିଡ୍‌ ଆକ୍ରମଣ ପୀଡ଼ିତାମାନଙ୍କୁ ପେନ୍‌ସନ୍‌ ଦେବାକୁ ମଧ୍ୟ ପ୍ରସ୍ତାବ ଆଗତ କରିଛନ୍ତି। ସିନେମାଟି ଦେଶର ବହୁ ଏସିଡ୍‌ ଆକ୍ରାନ୍ତ ମହିଳାଙ୍କ ସଂଘର୍ଷର କାହାଣୀକୁ ପରଦା ଉପରେ ଦେଖାଇଛି।

ତେବେ ଏସିଡ଼ ବର୍ତ୍ତମାନ ସମୟରେ ବଜାରରେ ସହଜରେ ମିଳୁଛି ନା ନାହିଁ ତାହା ଜଣିବା ପାଇଁ ଦୀପିକା ନିଜ ଟିମ୍‌ ଏକ ଏକ୍ସପେରିମେଣ୍ଟ କରିଥିଲେ । ଯାହାର ନାଁ ଥିଲା #WontBuyWontSell। ‌ଏହି ଏକ୍ସପେରିମେଣ୍ଟର ଭିଡିଓକୁ ଦୀପିକା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଶେଆର୍ କରିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଭାରତରେ ଏସିଡ୍‌ ବିକ୍ରିକୁ ନିୟନ୍ତ୍ରଣ କରିବା ପାଇଁ ସୁପ୍ରିମ୍‌ କୋର୍ଟ ଅନେକ ସ୍ୱତନ୍ତ୍ର କଟକଣା ଲାଗୁ କରିବା ପରେ ବି କିଭଳି ଭାବେ ଏହା ଖୋଲାଖୋଲି ବିକ୍ରି ହେଉଛି । ‘ଛପାକ୍‌’ ଟିମ୍‌ ଖୋଲାଖୋଲି ଭାବେ ୨୪ ବୋତଲ ଏସିଡ୍ କିଣିଥିଲେ ।

https://www.instagram.com/p/B7VGHKcjV33/

ଭିଡିଓଟିକୁ ଶେଆର୍‌ କରି ଦୀପିକା ଲେଖିଛନ୍ତି, ‘ଏସିଡ୍‌ ବହୁତ ଲୋକଙ୍କ ଚେହେରା ବିଗାଡ଼ି ଦେଇଛି। ଅନେକ ଲୋକଙ୍କ ସ୍ୱପ୍ନ ଭାଙ୍ଗି ଦେଇଛି ଓ ଅନେକଙ୍କ ଭବିଷ୍ୟତରେ ଦାଗ ଲଗାଇଦେଇଛି।’ ଭିଡିଓଟି ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ଓ ଲୋକମାନେ ମଧ୍ୟ ଏସିଡ୍‌ର ଖୋଲାଖୋଲି ବିକ୍ରି ଉପରେ ରୋକ୍‌ ଲଗାଇବାକୁ ଦାବି କରିଛନ୍ତି।

Comments are closed.