ପୁଣି କମିଲା ତେଲଦର

ନୂଆଦିଲ୍ଲୀ: ଆଜି ପୁଣି କମିଛି ପେଟ୍ରୋଲ ଓ ଡିଜେଲ ଦର। ଇରାନ-ଆମେରିକା ମଧ୍ୟରେ ଯୁଦ୍ଧ ଆଶଙ୍କା କ୍ରମଶଃ ହ୍ରାସ ପାଉଥିବାରୁ ବିଶ୍ୱ ତେଲ ବଜାରରେ ବଢିଥିବା ତେଲ ଦର ଏବେ ହ୍ରାସ ପାଇବାରେ ଲାଗିଛି। ଫଳରେ ଭାରତୀୟ ବଜାରରେ ମଧ୍ୟ ତେଲଦର ହ୍ରାସ ପାଉଛି। ଗତ ୧୬ ତାରିଖଠାରୁ ଲଗାତାର ତେଲଦର କମିବାରେ ଲାଗିଛି। ପେଟ୍ରୋଲ ଲିଟର ପିଛା ୧୫ ପଇସା କମିଥିବା ବେଳେ ଡିଜେଲ ଲିଟର ପିଛା ୧୬ ପଇସା ହ୍ରାସ ପାଇଛି। ଫଳରେ ଆଜି ଦିଲ୍ଲୀରେ ପେଟ୍ରୋଲ ଦର ୭୫.୨୬ଟଙ୍କା ଥିଲାବେଳେ ଡିଜେଲ ଦର ଲିଟର ପିଛା ଟ.୬୮.୬୧ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଦର ତାଲିକା ଜାରି କରାଯାଇଛି।
ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଟ.୭୪.୨୩ ଓ ଡିଜେଲ ଟ. ୭୩.୬୦ ରେ ବିକ୍ରି ହେଉଛି। ତେବେ ଭାଟ୍ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ। ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ ମୂଲ୍ୟ ୬୪.୮୫ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୬୪.୬୫ ଡଲାର ରହିଛି।