ଖାଇବା ପ୍ଲେଟରୁ ବାହାରିଲା ଚିତି ସାପ!

ପଟ୍ଟାମୁଣ୍ଡାଇ: ଖାଇବା ପ୍ଲେଟରୁ ବାହାରିଲା ବିଷଧର ଚିତି ସାପ! ଏଭଳି ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ଦେଉଳି ଗାଁରେ। ଦେଉଳି ଗ୍ରାମର ଏକ ଏସଏଚଜି ଗ୍ରୁପର ମହିଳାମାନେ ନିକଟସ୍ଥ ଠାକୁରାଣୀ ପୀଠରେ ଆଜି ଭୋଜି କରୁଥିଲେ। ଭୋଜି ଖାଇବା ସମୟରେ ଖାଇବା ପ୍ଲେଟରୁ ପ୍ରାୟ ଏକ ଫୁଟରୁ ଊର୍ଦ୍ଧ୍ୱ ଲମ୍ବ ବିଶିଷ୍ଟ ଏକ ମଲା ଚିତିସାପ ବାହାରିଲା। ସେତେବେଳକୁ ବହୁ ଲୋକ ଖାଇବା ଖାଇ ସାରିଥିଲେ। ଏହି ଘଟଣାରେ କେହି ଗୁରୁତର ହୋଇ ନ ଥିବା ଜଣାଯାଇଛି। ସାପ ବାହାରିବା ପରେ ଗ୍ରାମବାସୀ ଭୟଭୀତ ହୋଇଯାଇଥିଲେ।
ଭୋଜି ଖାଇଥିବା ୫୦ରୁ ଊର୍ଦ୍ଧ୍ୱ ଲୋକ ଅସୁସ୍ଥତା ଅନୁଭବ କରିବାରୁ ସେମାନଙ୍କୁ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଚିକତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ସେମାନଙ୍କର ଇସିଜି ଆଉ ରକ୍ତ ପରୀକ୍ଷା କରାଯାଇଥିବା ବେଳେ ଏବେ ସମସ୍ତେ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି।