Odisha Link
Bridging the Missing Links in Odisha

ଆଦିବାସୀ ମେଳା ପାଇଁ ସଜେଇ ହେଲାଣି ପ୍ରଦର୍ଶନୀ ପଡ଼ିଆ

ଭୁବନେଶ୍ବର: ଆସନ୍ତା କାଲି ଠାରୁ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହେବାକୁ ଯାଉଛି ଆଦିବାସୀ ମେଳା ୨୦୨୦, ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। କିଏ ଛପର ବାନ୍ଧୁଚି ତ କିଏ କାନ୍ଥରେ ମାଟି ଲିପୁଛି, ଆଉ କିଏ ବାଉଁଶ ବାଡ଼ ବାନ୍ଧୁଚି। ଏପରି ଦୃଶ୍ୟ ଦେଖିବାକୁ ମିଳୁଛି ସ୍ମାର୍ଟ ସିଟି ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ। ଆଦିବାସୀ ମେଳା ପାଇଁ ସଜେଇ ହେଲାଣି ପ୍ରଦର୍ଶନୀ ପଡ଼ିଆ । ସ୍ମାର୍ଟ ସିଟିରୁ ମିଳିବ ଗାଁ ମାଟିର ବାସ୍ନା, ମାଟି ପଲମର ଚକୁଳି, କାଠ ଚୁଲି ତିଆରି ମଣ୍ଡା ଆରିସା ଏବଂ କନ୍ଧମାଳ ହଳଦୀର ବାସ୍ନା। ଏଥିସହ ଆଦିବାସୀ ଖାଦ୍ୟପେୟ, ସଂସ୍କୃତିର ଆସର ଜମିବ। ତେବେ ମେଳାରେ ଆଦିବାସୀ ଅଞ୍ଚଳର ଜିନିଷ କିଣାବିକା ସାଙ୍ଗକୁ ଆଦିବାସୀ ନୃତ୍ୟକଳାର ଝଲକ ଦେଖିବେ ସ୍ମାର୍ଟସିଟି ବାସୀ।

ଆଦିବାସୀ ମେଳା-୨୦୨୦ କାଲି ଠାରୁ ଆରମ୍ଭ ହୋଇ ଫେବୃୟାରୀ ୯ ପର୍ଯ୍ୟନ୍ତ ୟୁନିଟ-୩ ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଚାଳିବ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ମେଳା ନିମନ୍ତେ ଏ.ଟି.ଏଲ୍‌.ସି ଚଳିତବର୍ଷ ନୋଡାଲ୍‌ ଏଜେନ୍ସି ଭାବେ କାର୍ଯ୍ୟ କରିବ। ସେହିଭଳି ମେଳାରେ ଏଥର ମୋଟ ୮ ବିଭାଗ ରହିବ। ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନା, ସୁବ୍ୟବସ୍ଥିତ ଯାନବାହନ ଚଳାଚଳ ଉପରେ ଗୁରୁତ୍ୱ ଦିଆଯିବ। ଏହା ସହ ମେଳା ପରିସରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା, ମେଳାକୁ ପ୍ଲାଷ୍ଟିକ୍‌ମୁକ୍ତ କରିବା ଓ ଶାନ୍ତିଶୃଙ୍ଖଳା ରକ୍ଷା ଉପରେ ମଧ୍ୟ ବିଭାଗ ଗୁରୁତ୍ୱ ଦେବ।

Comments are closed.