Odisha Link
Bridging the Missing Links in Odisha

ଭୁବନେଶ୍ବର ବିମାନବନ୍ଦରରେ ଅଘଟଣ, ଜଣେ ମୃତ

ଭୁବନେଶ୍ବର: ଶୁକ୍ରବାର ମଧ୍ୟରାତ୍ରିରେ ଭୁବନେଶ୍ବରରେ ବଡ଼ ଅଘଟଣ। ଅନ୍ତର୍ଜାତୀୟ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଘଟିଛି ଅଘଟଣ। ଟର୍ମିନାଲ-୧ ଓ ଟର୍ମିନାଲ-୨କୁ ଯୋଡ଼ିବା ଲାଗି ଏକ ଛାତର ନିର୍ମାଣ କାମ ଚାଲିଥିବାବେଳେ ଏହା ଅଚାନକ ଭୁଶୁଡ଼ି ପଡ଼ିଛି। ଫଳରେ ଏହି ଛାତ ତଳେ କିଛି ଶ୍ରମିକ ଚାପି ହୋଇ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଜଣେ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।

ବିମାନବନ୍ଦର ସିଆଇଏସ୍‌ଏଫ୍‌, କମିସନରେଟ୍‌ ପୁଲିସ, ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଛନ୍ତି। ଏହି ଖବର ଲେଖାହେଲା ବେଳକୁ ଦୁର୍ଘଟଣା ଘଟିବା ପ୍ରାୟ ଅଢ଼େଇ ଘଣ୍ଟା ପରେ ରାତି ୧.୫୦ରେ ବଡ଼ମ୍ବା ଅଞ୍ଚଳର ଅନ୍ତର୍ଯ୍ୟାମୀ ଗୁରୁ ନାମକ ଜଣେ ଶ୍ରମିକଙ୍କୁ ଭୁଶୁଡ଼ିପଡ଼ିଥିବା ସେଣ୍ଟରିଂ ତଳୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ ନିଆଯାଇଥିଲା। ତେବେ ଏହି ତାଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତର ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଏହି ଅଘଟଣ ଘଟିବା ପରେ ସିଆଇଏସ୍‌ଏଫ୍‌ ଦୁର୍ଘଟଣାସ୍ଥଳକୁ ଘେରାବନ୍ଦୀ କରି ରଖିଥିବା ବେଳେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଡଗ୍‌ ସ୍କ୍ବାଡ୍‌ ସହିତ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ରାତିରେ କଣ ହୋଇଥିଲା:
ବିମାନବନ୍ଦରର ଦୁଇ ଟର୍ମିନାଲର ୪୦ ଫୁଟ୍‌ ଲମ୍ବ ଓ ୪୦ ଫୁଟ ଓସାରର ଛାତକୁ ଯୋଡ଼ିବା ପାଇଁ ତିନି ମାସ ହେଲା କାମ ଚାଲିଥିଲା। ୮୭ କୋଟି ଟଙ୍କା ବ୍ୟୟରେ ଦିଲୀପ କନ୍‌ଷ୍ଟ୍ରକ୍‌ସନ୍‌ ନାମକ ଏକ ଠିକା ସଂସ୍ଥା ପକ୍ଷରୁ ହେଉଥିବା ଏହି କାମରେ ପ୍ରାୟ ୨୫ ଜଣ ଶ୍ରମିକ ନି‌େୟାଜିତ ହୋଇଥିଲେ। ତେବେ ସମ୍ଭବତଃ ସେଣ୍ଟରିଂ କାମରେ ତ୍ରୁଟି ଯୋଗୁଁ ରାତି ପ୍ରାୟ ୧୧ଟାବେଳେ ହଠାତ୍ ନିର୍ମାଣାଧୀନ ଛାତ ଭୁଶୁଡ଼ି ପଡ଼ିଥିଲା। ଫଳରେ କାମ କରୁଥିବା ଶ୍ରମିକମାନଙ୍କ ମଧ୍ୟରୁ ବେଶ୍ କେତେଜଣ ଏହା ତଳେ ଚାପି ହୋଇ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଢେଙ୍କାନାଳ ଜିଲ୍ଲାର ନବକିଶୋର ସ୍ବ‌ାଇଁଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଗୋଡ଼ରେ ଶକ୍ତ ଅଘାତ ଲାଗିଛି। ନବ କିଶୋରଙ୍କ କହିବା ଅନୁଯାୟୀ, ୬ରୁ ୭ ଜଣ ଛାତ ଉପରେ କାମ କରୁଥିଲେ। ରାତିରେ କେତେ ମାଲ୍‌ ଅଛି ଦେଖିବାକୁ ଗଲାବେଳେ ହଠାତ୍ ଛାତ ଭୁଶୁଡ଼ି ପଡ଼ିଥିଲା।

ସରି ଆସୁଥିଲା ଡେଡଲାଇନ:
୮୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଗତ ଫେବ୍ରୁଆରୀ ୨୪ରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗୋଟିଏ ବର୍ଷ ମଧ୍ୟରେ ଏହାକୁ କାର୍ଯ୍ୟ ଶେଷ କରିବାକୁ ଡେଡଲାଇନ ରଖାଯାଇଥିଲା । ଯେହେତୁ ସମୟସୀମା ସରି ଆସୁଥିଲା ତେଣୁ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ତରବରିଆ ଭାବେ କାମ ଚାଲିଥିବା ନେଇ ସନ୍ଦେହ କରାଯାଉଛି।

Comments are closed.