ଆଜିଠୁ ଝାରସୁଗୁଡ଼ାରୁ କୋଲକାତାକୁ ବିମାନ ସେବା

ଝାରସୁଗୁଡ଼ା: ଆଜିଠାରୁ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ କୋଲକାତାକୁ ବିମାନ ଚଳାଚଳ ଆରମ୍ଭ ହେବ। ଆଜି ଏଲାଏନ୍ସ ଏୟାର୍ ବିମାନ କଂପାନି ପକ୍ଷରୁ ଏକ ବିମାନ ଯାତ୍ରା ଆରମ୍ଭ କରୁଛି। ଏହି ବିମାନଟି କୋଲକାତାରୁ ଦିନ ୧୧.୪୫ରୁ ବାହାରି ଝାରସୁଗୁଡ଼ରେ ୧.୧୫ରେ ପହଞ୍ଚିଛି। ପୁଣି ଏହି ବିମାନ ଝାରସୁଗୁଡ଼ାରୁ ୧.୪୫ରୁ ଛାଡ଼ି କୋଲକାତା ଅଭିମୁଖେ ଯିବ ଏବଂ ୩ଟା ୧୫ରେ କଲକାତାରେ ପହଞ୍ଚିବ। ଏନେଇ ଝାରସୁଗୁଡ଼ା ବିମାନବନ୍ଦରର ନିର୍ଦେଶକ ସ୍ବଦେଶ ଚୌହ୍ବାନ ସୂଚନା ଦେଇଛନ୍ତି।
ଏହି ବିମାନ ସେବା ଯୋଗୁଁ ପଶ୍ଚିମ ଓଡ଼ିଶାବାସୀଙ୍କର ଦୀର୍ଘ ଦିନର ଆଶା ପୂରଣ ହୋଇଛି । ଗତ ସେପ୍ଟେମ୍ବର ୧୧ ତାରିଖରେ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିମାନ ଚଳାଚଳ ନେଇ ଲୋକସେବା ଭବନରେ ଆଞ୍ଚଳିକ ବିମାନ ଯୋଗାଯୋଗ ପରିଷଦର ବୈଠକ ଅନୁଷ୍ଠିତ ହୋଇଥିଲା । ସେହି ବୈଠକରେ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆଉ ୨ଟି ନୂଆ ସହର ତଥା କୋଲକାତା ଏବଂ ବେଙ୍ଗାଲୁରୁକୁ ବିମାନ ଉଡ଼ାଣ ପାଇଁ ନିଷ୍ପତ୍ତି ହୋଇଥିଲା।ଉଡ଼ାନ ୩.୦ ଯୋଜନାରେ ନିୟମିତ ଏହି ବିମାନ ଚଳାଚଳ କରିବ ବୋଲି ସୂଚନା ମିଳିଛି।