Odisha Link
Bridging the Missing Links in Odisha

ଜାତୀୟ ସ୍ତରୀୟ ହସ୍ତତନ୍ତ୍ର ମେଳାରେ ଗ୍ରାହକଙ୍କ ମୁଖ୍ୟ ଆକର୍ଷଣ-ଖଣ୍ଡୁଆ

ଭୁବନେଶ୍ୱର :  ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ‘ବୟନିକା’ ଦ୍ୱାରା ଜାନୁଆରୀ ୨୬ ତାରିଖ ଠାରୁ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା ଆରମ୍ଭ ହୋଇଛି । ଏହି ମେଳାରେ ‘ଥିମ୍‌ ପାଭିଲିଅନ୍‌’ରେ ‘ଫାର୍ମ ଟୁ ଫେବ୍ରିକ୍‌’ ସଂପର୍କରେ ପ୍ରଦର୍ଶିତ ହେଉଛି ।

ଏହା ଦର୍ଶକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଫାର୍ମ ଅର୍ଥାତ୍‌ ଜଙ୍ଗଲ ଜମିରେ ଟସର ପୋକଚାଷ, ଟସର କୋଷାରୁ ଟସର ସୂତା ପ୍ରସ୍ତୁତି ବ୍ୟତୀତ ୨୦୧୭-୧୮ ଓ ୨୦୧୮-୧୯ ବର୍ଷରେ ରାଜ୍ୟ ପୁରସ୍କାର ପ୍ରାପ୍ତ ବସ୍ତ୍ର ଓ ଓଡ଼ିଶାର କେତେକ ଦୁର୍ଲଭ ଡିଜାଇନ୍‌ର ବସ୍ତ୍ରକୁ ଦେଖି ଦର୍ଶକ ବିମୋହିତ ହେଉଛନ୍ତି ।

ଏହି ମେଳାରେ ଓଡ଼ିଶା ବ୍ୟତୀତ ଅନ୍ୟ ୧୫ଟି ରାଜ୍ୟର ହସ୍ତତନ୍ତ ସଂସ୍ଥା ଯୋଗଦାନ କରିଛନ୍ତି । ହସ୍ତତନ୍ତ ମେଳାରେ ପ୍ରତ୍ୟେକ ଦିନ ଗୋଟିଏ ବିଷୟବସ୍ତୁ ରଖାଯାଇଛି । ଓଡ଼ିଶାର ପ୍ରତ୍ୟେକ ଉତ୍ପାଦକୁ ମାନ୍ୟତା ପ୍ରଦାନ କରିବା ପାଇଁ ଏହି ଦିବସକୁ ନାମିତ କରାଯାଇଛି । ହସ୍ତତନ୍ତ ମେଳାରେ ‘ଖଣ୍ଡୁଆ ଦିବସ’ ରହିଛି ।

ଆଜିର ମେଳାରେ ଖଣ୍ଡୁଆ ପାଟ ଗ୍ରାହକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା । ସମ୍ବଲ ପୁରୀ ଇକତ, ସୋନ ପୁର ଓ ବୌଦ୍ଧର ବମ୍‌କାଇ, ନୂଆ ପାଟଣାର ଖଣ୍ଡୁଆ, କୋରା ପୁଟର କୋଟ ପାଡ୍‌ ଆଦି ପ୍ରସିଦ୍ଧି ଲାଭ କରିଛି । ଓଡ଼ିଶା ଇକତ୍‌ ବା ବାନ୍ଧବସ୍ତ୍ର ଗ୍ରାହକମାନଙ୍କ ମଧ୍ୟରେ ବିଶେଷ ଆଦୃତି ଲାଭ କରିଛି ।

ଇକତ୍‌ ବା ‘ବାନ୍ଧ’ ବସ୍ତ୍ର ପ୍ରସ୍ତୁତି ପୂର୍ବରୁ ଏଥିରେ ବ୍ୟବହୃତ ଟାଣି ବା ଭରଣୀ ସୂତାକୁ ପ୍ରଥମେ ବାନ୍ଧ ଉପରେ ରଙ୍ଗ କରି ସେହି ସୂତାକୁ ଲୁଗାରେ ବୁଣାଯାଇ ବିଭିନ୍ନ ରଙ୍ଗ ଓ ଛବି ନେଇ ପ୍ରିଣ୍ଟ କରାଯାଏ । ଏହା ଦୁଇ ପ୍ରକାରର । ଇକତ୍‌ ବସ୍ତ୍ର କଟକ ଜିଲ୍ଲାର ନୂଆ ପାଟଣା ଅଞ୍ଚଳରେ ଓ ବରଗଡ଼, ସୋନପୁର ଓ ବୌଦ୍ଧରେ ବୁଣାକାରମାନେ ପ୍ରସ୍ତୁତ କରିଥାନ୍ତି ।

ପାରମ୍ପରିକ ଖଣ୍ଡୁଆ ପାଟରେ ହାତୀ, ସିଂହ, ଫୁଲ ଓ ଲତାର ଚିତ୍ର ବାନ୍ଧ ମାଧ୍ୟମରେ କରାଯାଇଥାଏ । ନାଲି, କଳା, ହଳଦିଆ, ସବୁଜ ରଙ୍ଗ ଓ ବାନ୍ଧ ସୂତା ବ୍ୟବହାର କରି ସୁନ୍ଦର ଖଣ୍ଡୁଆ ପାଟ ପ୍ରସ୍ତୁତ କରାଯାଏ ।
ହଳଦିଆ ଖଣ୍ଡୁଆ ପାଟ ଜଗନ୍ନାଥ ମହା ପ୍ରଭୁଙ୍କଠାରେ ଲାଗେ, ସବୁଜ ବସ୍ତ୍ର ବଳଭଦ୍ର ମହା ପ୍ରଭୁଙ୍କ ଅଙ୍ଗବସ୍ତ୍ର ରୂପେ ଓ ନାଲି ଖଣ୍ଡୁଆ ବସ୍ତ୍ର ମା’ ସୁଭଦ୍ରାଙ୍କ ଦେହଲାଗି ହୁଏ । ଖଣ୍ଡୁଆ ବସ୍ତ୍ର ଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ ।
ଏହି ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା ପ୍ରତ୍ୟହ ଦିବା ୧୧.୩୦ରୁ ରାତି ୯.୩୦ ପର୍ଯ୍ୟନ୍ତ ଖୋଲାରହୁଛି । ପ୍ରତିଦିନ ସନ୍ଧ୍ୟାରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ତୃତୀୟ ଦିନ ସନ୍ଧ୍ୟାରେ କଟକସ୍ଥିତ ମହମ୍ମଦ ମୁବାରକ୍‌ଙ୍କ ଦ୍ୱାରା ପରିଚାଳିତ ‘ ପଇଣ୍ଟ ବ୍ଲାଙ୍କ’ ଦ୍ୱାରା ରକ୍‌ ମୁ୍ୟଜିକ୍‌ ପରିବେଷଣ କରାଯାଇଥିଲା, ଯାହାକୁ ମନଭରି ଉପଭୋଗ କରିଥିଲେ ବହୁ ସଂଖ୍ୟାରେ ଦର୍ଶକ ହସ୍ତତନ୍ତ ମେଳା ଫେବୃଆରୀ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ।

Comments are closed.