ଗୁଣି ସନ୍ଦେହରେ ମହିଳାଙ୍କୁ ଉଲଗ୍ନ କରି ପିଟିଲେ

ପୁରୀ: ଯୁଗ ଯେତେ ଆଗେଇଲେ ମଧ୍ୟ ଅନ୍ଧବିଶ୍ୱାସର ଅନ୍ଧଗଳିରେ ବାଟବଣା ହେଇଯାଉଛି। ଅନ୍ଧବିଶ୍ୱାସର ପୁଣି ଏକ କରୁଣ ପରିଣତି ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ନୂଆପଡ଼ା ଅଞ୍ଚଳରେ। ଗୁଣି ଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ରାସ୍ତାରେ ଉଲଗ୍ନ କରି ଗାଁ ଲୋକେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ନୂଆପଡ଼ା ନୂଆସାହି ଅଞ୍ଚଳର ହାଡ଼ିଆ ଜେନାଙ୍କ ପରିବାର ମହିଳାଙ୍କୁ ରାସ୍ତା ଉପରେ ଉଲଗ୍ନ କରି ପିଟିଛନ୍ତି। ମହିଳା ଜଣକ ଏବେ ଗୁରୁତର ଅବସ୍ଥାରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।
ସୂଚନା ଅନୁଯାୟୀ, ହାଡ଼ିଆଙ୍କ ଝିଅକୁ ଜ୍ୱର ହେଉଥିଲା। ଏଥିପାଇଁ ତାଙ୍କ ପରିବାର ଲୋକେ ସମ୍ପୃକ୍ତ ମହିଳାଙ୍କୁ ଦାୟୀ କରି ଗୁଣି ଗାରେଡ଼ି ଯୋଗୁଁ ତାଙ୍କ ଝିଅକୁ ଜ୍ୱର ହୋଇଥିବା କହି ଗତ ୧୨ ତାରିଖରେ ଗାଁ ଭିତରେ ମହିଳାଙ୍କୁ ତାଙ୍କୁ ପିଟିଥିଲେ। ଜାଳିଦେବାକୁ ବି ଧମକ ଦେଇଥିଲେ। ସଂପୃକ୍ତ ମହିଳା ଘଟଣା ସମ୍ପର୍କରେ ଗାଁ କମିଟି ଓ ଥାନାରେ ୧୪ ତାରିଖରେ ଏତଲା ଦେଇଥିଲେ। ମାତ୍ର ଏନେଇ ପୁଲିସ୍ ବି ପାଟି ଫିଟାଉ ନ ଥିବା ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ସ୍ୱାମୀ। ତେଣୁ ସେମାନେ ମାନବାଧିକାର କମିଶନ୍ ଓ ମହିଳା କମିଶନରଙ୍କ ନିକଟରେ ଗୁହାରି କରିଛନ୍ତି।
ଅପରପକ୍ଷେ ଗାଁକୁ ଫେରିଲେ ମାରିଦେବାକୁ ଧମକ ଦେଇଛନ୍ତି ଅଭିଯୁକ୍ତଙ୍କ ପରିବାର। ତେଣୁ ସେମାନେ ଗାଁକୁ ଫେରି ପାରୁ ନ ଥିବା ଜଣାଇଛନ୍ତି ପୀଡ଼ିତା ମହିଳା।ପୋଲିସ ଘଟଣାର ଯାଞ୍ଚ କରୁଛି। ୭ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପୁରୀ ଏସ୍ପି ଉମାକାନ୍ତ ଦାଶ କହିଛନ୍ତି।