୨୬/୧୧ ଆକ୍ରମଣକୁ ହିନ୍ଦୁ ଆତଙ୍କବାଦ ରୂପ ଦେବାକୁ ଯୋଜନା କରିଥିଲା ଲସ୍କର: ରାକେଶ ମାରିଆ

ନୂଆଦିଲ୍ଲୀ: ମୁମ୍ବାଇ ୨୬/୧୧ ଆକ୍ରମଣରେ ଧରା ପଡ଼ିଥିବା ଆତଙ୍କବାଦୀ ଅଜମଲ ଆମୀର କସାବକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ତତ୍କାଳୀନ ମୁମ୍ବାଇ ପୁଲିସ୍ କମିଶନର ରାକେଶ ମାରିଆ। କସାବକୁ ପାକିସ୍ତାନ ହିନ୍ଦୁ ଆତଙ୍କବାଦୀ ସଜାଇ ମାରିବାକୁ ପ୍ରୟାସ କରିଥିଲା ଲସ୍କର-ଇ-ତାଏବା। ଏପରି କି ମୁମ୍ବାଇ ଆକ୍ରମଣକୁ ହିନ୍ଦୁ ଟେରର ରୂପ ଦେବାକୁ ଯୋଜନା କରିଥିବା ଲସ୍କର ଏଥିପାଇଁ ନକଲି ପରିଚୟପତ୍ର ମଧ୍ୟ ପ୍ରସ୍ତୁତ କରିଥିଲା ବୋଲି ରାକେଶ ମାରିଆ ନିଜ ପୁସ୍ତକ “ଲେଟ୍ ମି ସେ ଇଟ୍ ନାଓ”ରେ ଜରିଆରେ ଏହି ତଥ୍ୟ ଲୋକ ଲୋଚନକୁ ଆଣିଛନ୍ତି।
ପୁସ୍ତକରୁ ହସ୍ତଗତ ତଥ୍ୟ ଅନୁସାରେ, କସାବର ପରିଚୟ ବେଙ୍ଗାଲୁରୁ ନିବାସୀ ସମୀର ଦିନେଶ ଚୌଧୁରୀ ନାମରେ କରାଯାଇଥିଲା। ଏଥିପାଇଁ ପରିଚୟପତ୍ର ପ୍ରସ୍ତୁତ ହୋଇଥିଲା ଏବଂ ତା’ର ହାତରେ ଲାଲ୍ ରଙ୍ଗର ରକ୍ଷା ସୂତ୍ର ବନ୍ଧାଯାଇଥିଲା। ଲଶ୍କର-ଏ-ତୋଇବା ମୁମ୍ବଇ ଆକ୍ରମଣକୁ ହିନ୍ଦୁ ଆତଙ୍କବାଦ ବୋଲି ଦର୍ଶାଇବାକୁ ଚାହୁଁଥିଲା। ତେଣୁ କସାବକୁ ବେଙ୍ଗାଲୁରୁ ନିବାସୀ ସମୀର ଚୌଧୁରୀ ଭାବେ ଦର୍ଶାଯିବା ସହିତ ସମସ୍ତ ଟିଭି ଚ୍ୟାନେଲ ଏବଂ ଗଣମାଧ୍ୟମ ସଂସ୍ଥା ତା’କୁ କିପରି ହିନ୍ଦୁ ଆତଙ୍କବାଦୀ ପରିଚୟ ଦେଇ ଖବର ପ୍ରସାରଣ କରିବେ ସେ ନେଇ ଲଶ୍କର ଯୋଜନା କରିଥିଲା।
ରାକେଶ ପୁସ୍ତକରେ ଆହୁରି ଲେଖିଛନ୍ତି ଯେ, କସାବ ଲୁଟ୍ପାଟ ଉଦ୍ଦେଶ୍ୟ ନେଇ ଲଶ୍କର ସଂଗଠନରେ ସାମିଲ ହୋଇଥିଲା। ଜିହାଦ ନେଇ ତା’ ମନରେ କୌଣସି ଚିନ୍ତାଧାରା ନ ଥିଲା। କସାବ ଏବଂ ତା’ର ସାଙ୍ଗ ମୁଜଫର ଲାଲ୍ ଖାନ ନିଜର ଆର୍ଥିକ ସ୍ଥିତି ସୁଧାରିବାକୁ ଲୁଟ୍ପାଟ କରିବାକୁ ଚାହୁଁଥିଲେ।ଭାରତରେ ଆକ୍ରମଣ କରିବା ପୂର୍ବରୁ ସେ ୧.୨୫ ଲକ୍ଷ ତା’ ପରିବାର ଲୋକଙ୍କୁ ଦେଇଥିଲା। ଏଥିପାଇଁ ଲସ୍କର କ୍ୟାମ୍ପରୁ କସାବ ୭ ଦିନ ଛୁଟି ନେଇ ଘରକୁ ମଧ୍ୟ ଯାଇଥିଲା। କସାବକୁ ବଞ୍ଚାଇ ରଖିବା ଆମର ପ୍ରାଥମିକତା ଥିଲା। ପୁଲିସ ସୁରକ୍ଷା ଦୃଷ୍ଟିକୋଣରୁ କସାବ ସହିତ ଜଡ଼ିତ କୌଣସି ତଥ୍ୟକୁ ବାହାରେ ପ୍ରଘଟ କରିବାକୁ ସେ ଚାହୁଁ ନ ଥିଲେ ବୋଲି ରାକେଶ ଲେଖିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ଆମେ ନିୟମିତ ଭାବେ ତା’କୁ ବ୍ୟକ୍ତିଗତ ସ୍ତରରେ ପଚରାଉଚରା କରୁଥିଲୁ। ସେ ମୋତେ ଆତଙ୍କବାଦୀ ସଂଗଠନ ସମ୍ପର୍କରେ ଅନେକ ଗୋପନୀୟ ତଥ୍ୟ ପ୍ରଦାନ କରିଥିଲା। ନିୟମିତ ଜେରା ସମୟରେ କସାବ ଏବଂ ମୋ ମଧ୍ୟରେ ସମ୍ପର୍କ ଭଲ ହୋଇଯାଇଥିଲା। ସେ ମୋତେ ସମ୍ମାନ ଦେଇ ସାର୍ ବୋଲି କହୁଥିଲା।