Odisha Link
Bridging the Missing Links in Odisha

ମୁଁ ଜଗନ୍ନାଥଙ୍କର ପରମ ଭକ୍ତ: ମମତା ବାନାର୍ଜୀ

ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଓଡ଼ିଶା ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ପୂର୍ବାଞ୍ଚଳ ଜୋନାଲ୍‌ ପରିଷଦରେ ଯୋଗଦେବା ପାଇଁ ଗତକାଲି ଓଡ଼ିଶାରେ ପହଁଞ୍ଚିଛନ୍ତି। ଆଜି ମମତା ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ନିମନ୍ତ୍ରେ ଶ୍ରୀକ୍ଷେତ୍ର ପୁରୀ ଯାଇଥିଲେ।

ଆଜି ମମତା ପୁରୀ ଯାଇଥିଲେ। ମମତାଙ୍କୁ ଶ୍ରୀମନ୍ଦିର ସେବାୟତଙ୍କ ପକ୍ଷରୁ ଶ୍ରୀଜଗନ୍ନାଥଙ୍କ ପଟ୍ଟଚିତ୍ର ପ୍ରଦାନ କରାଯାଇଥିଲା। ଏହାପରେ ମମତା ଦେଇଥିବା ବାନା ଆଜି ନୀଳଚକ୍ରରେ ଲାଗିବା ସହ ପୁରୁଣା ବାନା ମମତାଙ୍କୁ ପ୍ରଦାନ କରିଛନ୍ତି ସେବାୟତ। ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ମମତା ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି-“ମୁଁ ଜଗନ୍ନାଥଙ୍କର ପରମ ଭକ୍ତ। ମୋ ଘରେ ବି ଜଗନ୍ନାଥଙ୍କୁ ପୂଜା କରେ। ସମସ୍ତ ମନୁଷ୍ୟ ଜାତି ଶାନ୍ତିରେ ରହିବା ନେଇ ଜଗନ୍ନାଥଙ୍କୁ ପ୍ରାର୍ଥନା କଲି। ମନୁଷ୍ୟ ମଧ୍ୟରେ କିଛି ହିଂସା ଓ ବିବାଦ ନରହିବା ପାଇଁ ଠାକୁରଙ୍କୁ ଡାକିଲି। ସାରା ଭାରତବାସୀ ଆମେ ସମସ୍ତେ ଭାଇ-ଭାଇ ଭଳି ରହିବା।”

ଅପରପକ୍ଷେ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡକୁ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି ମମତା। ସେ କହିଛନ୍ତି ଯେ, “ଆମେ ରକ୍ତ ଚାହୁଁନୁ, ଶାନ୍ତି ଚାହୁଁ।” ଆସନ୍ତା ୨୮ରେ ଭୁବନେଶ୍ୱରରେ ହେବାକୁ ଥିବା ପୂର୍ବାଞ୍ଚଳ ଜୋନାଲ୍‌ ପରିଷଦ ବୈଠକରେ ଯୋଗ ଦେବା ଲାଗି ମମତା ଗତକାଲି ରାତିରେ ଭୁବନେଶ୍ୱର ଆସିଥିଲେ। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ତାଙ୍କୁ ସ୍ୱାଗତ ଜଣାଇଥିଲେ। ଏହା ପରେ ମମତା ଶ୍ରୀକ୍ଷେତ୍ର ଚାଲି ଯାଇଛିଲେ।

Comments are closed.