Odisha Link
Bridging the Missing Links in Odisha

ବଡ଼ଦାଣ୍ଡରୁ ଉଦ୍ଧାର ହେଲେ ବିଦେଶ ଫେରନ୍ତା ଶିକ୍ଷୟିତ୍ରୀ

ପୁରୀ: ପ୍ରଶାସନର ନଜର ପୁରୀ ବଡ଼ଦାଣ୍ଡର ଭିକାରୀଙ୍କ ଉପରେ ପଡ଼ିଛି। ଜଣଙ୍କ ପରେ ଜଣେ ଭିକାରୀଙ୍କୁ ନେଇ ବହୁ ରୋଚକ ତଥ୍ୟ ତଥା ହୃଦୟସ୍ପର୍ଶୀ କଥା ଏବେ ସାମ୍ନାକୁ ଆସିଛି। ବଡ଼ଦାଣ୍ଡରେ ସୋମବାର ଏହିଭଳି ଜଣେ ଭିକାରୁଣୀ ତଥା ସତ୍ୟବାଦୀର ଲକ୍ଷ୍ମୀପ୍ରିୟା ମିଶ୍ର (ମମତା)ଙ୍କୁ ଠାବ କରାଯାଇଛି। ମମତା ଏମିତି ସେମିତି ନୁହଁନ୍ତି, ସେ ଜଣେ ବିଦେଶ ଫେରନ୍ତା ମହିଳା ଯାହାଙ୍କ ଜୀବନ କାହାଣୀ ବେଶ ମର୍ମସ୍ପର୍ଶୀ।

ସୁଦୂର ଇଥିଓପିଆରେ ଦୀର୍ଘ ଦିନ ଶିକ୍ଷକତା କରିବା ପରେ ଦିଲ୍ଲୀ, ପଞ୍ଜାବ ଓ ଗୁଜୁରାଟର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଏହି ମହିଳା ଜଣେ ଉଚ୍ଚ ଶିକ୍ଷିତା। ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ହାସଲ କରିବା ପରେ ସେ ପୁରୀର ଏକ ବାଳିକା ବିଦ୍ୟାଳୟରେ ଶିକ୍ଷକତା କରିଥିଲେ। ମାତ୍ର ମମତା ଜଣେ ଉଚ୍ଚାଭିଳାଷୀ ମହିଳା ଥିଲେ। ଚାକିରିରୁ ମିଳୁଥିବା ଅର୍ଥରେ ସେ ସନ୍ତୁଷ୍ଟ ନଥିଲେ। ତେଣୁ କିଛି ଶୁଭେଚ୍ଛୁଙ୍କ ସହଯୋଗରେ ବିଦେଶକୁ ଯାଇଥିଲେ । ସେଠାରେ ଯାଇ ପାଠ ପଢ଼ାଇଥିଲେ । ପରେ ଭାରତ ଫେରି ପଞ୍ଜାବରେ ଶିକ୍ଷକତା କରିଥିଲେ । ସମୟ ଚକ୍ରରେ ତାଙ୍କର ପାରିବାରିକ ଦୁଃଖ ତାଙ୍କ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିଥିଲା । ସେ ଗ୍ରହଣ କରିଥିବା ପୋଷ୍ୟପୁତ୍ର କୌଣସି କାରଣରୁ ମୃତୁ୍ୟବରଣ କରିବା ପରେ ସେ ମାନସିକ ଭାରସାମ୍ୟ ହରାଇଥିଲେ । ପରେ ସେ ମହାପ୍ରଭୁଙ୍କ ବଡ଼ଦାଣ୍ଡକୁ ଭିକ୍ଷାବୃତ୍ତି ଆପଣେଇ ନେଇଥିଲେ । ବୟସର ଅପରାହ୍ନରେ ଏବେ ତାଙ୍କ ପାଟିରୁ ପ୍ରଗଳଭ ଇଂରାଜୀ ବାହାରୁଛି । ସମ୍ପୃକ୍ତ ମହିଳାଙ୍କୁ ଏକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଉଦ୍ଧାର କରାଯାଇ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଠାରେ ତାଙ୍କର ଚିକିତ୍ସା ପରେ ତାଙ୍କୁ ଜରାଶ୍ରମରେ ଛାଡ଼ିବାର ଯୋଜନା ରହିଛି ।

Comments are closed.