Odisha Link
Bridging the Missing Links in Odisha

ସୋସିଆଲ ମିଡିଆରୁ ବିଦାୟ ନେବେ ମୋଦି!

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ଛାଡିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି! ସୋସିଆଲ ମିଡିଆର ବ୍ୟବହାର ନକରିବା ପାଇଁ ସେ ଚିନ୍ତା କରୁଛନ୍ତି। ଏନେଇ ମୋଦି ଖୋଦ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଆସନ୍ତା ରବିବାର ମୋର ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ ଆଦି ସୋସିଆଲ ମିଡିଆ ଆକାଉଣ୍ଟରୁ ବିଶ୍ରାମ ନେବାକୁ ଚିନ୍ତା କରୁଛି। ଆପଣମାନେ ପୋଷ୍ଟ କରୁଥା’ନ୍ତୁ।” ଏହି ଟ୍ୱିଟ୍‌କୁ ଶେଷ ଖବର ସୁଦ୍ଧା ୨୨ ହଜାରରୁ ଅଧିକ ଲୋକ ଲାଇକ୍‌ କରିସାରିଲେଣି। ତେବେ କ’ଣ ପାଇଁ ସେ ଏଭଳି ଚିନ୍ତା କରୁଛନ୍ତି ସେ ସଂପର୍କରେ କୌଣସି ସୂଚନା ଦେଇ ନାହାଁନ୍ତି।

ଫେସ୍ବୁକରେ ମୋଦିଙ୍କର ଫଲୋଅରଙ୍କ ସଂଖ୍ୟା ହେଉଛି ୪ କୋଟି ୪୫ ଲକ୍ଷ ଥିବା ବେଳେ ଟ୍ୱିଟରରେ ୫ କୋଟି ୩୩ ଲକ୍ଷ ଏବଂ ଇନଷ୍ଟାଗ୍ରାମରେ ୩ କୋଟି ୫୨ ଲକ୍ଷ ମୋଦିଙ୍କ ଫଲୋଅର ଅଛନ୍ତି।ମୋଦୀ ସୋସିଆଲ ମିଡିଆ ଛାଡ଼ିବା ବିଷୟ ଟ୍ବିଟରରେ ସୂଚନା ଦେବା ପରେ ଅନେକ ବ୍ୟକ୍ତି ଏ ନେଇ ଟ୍ବିଟରରେ ମନ୍ତବ୍ୟ ଦେବା ଆରମ୍ଭ କରି ଦେଇଛନ୍ତି।

ମୋଦିଙ୍କ ସୋସିଆଲ ମିଡିଆ ଛାଡିବା ଘୋଷଣା ପରେ ଏବେ ଏହାକୁ ନେଇ ଚାରିଆଡେ ଜୋରଧରିଛି ଚର୍ଚ୍ଚା। ବିରୋଧି ଦଳମାନେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିବା ଆରମ୍ଭ କରିଦେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି ଟ୍ୱିଟ କରି ଲେଖିଛନ୍ତି, ସୋସିଆଲ ମିଡିଆ ନଛାଡି ଘୃଣାକୁ ତ୍ୟାଗ କର। ସେହିପରି କଂଗ୍ରେସ ନେତା ରଣଦୀପ ସ୍ୱର୍ଯ୍ୟେୱାଲା ଲେଖିଛନ୍ତି, ମୋଦୀ ନାଁ ନେଇ ଯେଉଁମାନେ ଟ୍ରଲ କରୁଛନ୍ତି ସେମାନଙ୍କୁ ମୋଦି ବୁଝାଇବେ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ଏକ ନୂଆ ସୋସିଆଲ ମିଡିଆ ଜିଏବି ଡଟକମ ମୋଦିଙ୍କୁ ଆମନ୍ତ୍ରଣ ଜଣାଇଛି। ୨୦୦୯ ଜାନୁଆରୀରେ ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଟ୍ବିଟରରେ ଯୋଗଦେଇଥିଲେ।

Comments are closed.