Odisha Link
Bridging the Missing Links in Odisha

ସିଏଏ ବିରୋଧରେ ସୁପ୍ରିମକୋର୍ଟ ଗଲା ଜାତିସଂଘ ମାନବାଧିକାର ପରିଷଦ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିବାଦ ଲାଗି ରହିଥିବା ବେଳେ ଜାତିସଂଘର କମିଶନର ଫର ହ୍ୟୁମାନ ରାଇଟ୍ସ (ୟୁଏନଏଚଆରସି) ଆଜି ସୁପ୍ରିମକୋର୍ଟରେ ଆବେଦନ କରିଛି। ସିଏଏ ବିରୋଧରେ ଜାତିସଂଘର କୌଣସି ସଂସ୍ଥା ଭାରତର ସୁପ୍ରିମକୋର୍ଟରେ ଆବେଦନ କରିବା ପ୍ରଥମ ଘଟଣା। ସୂଚନା ମୁତାବକ, ସିଏଏକୁ ନେଇ ୟୁଏନଏଚଆରସି ସୁପ୍ରିମକୋର୍ଟରେ ଇଣ୍ଟରଭେନସନ ଆବେଦନ ଦାଖଲ କରିଛି। ସିଏଏ ବିରୋଧରେ ଆଗତ ହୋଇଥିବା ଆବେଦନଗୁଡ଼ିକ ମଧ୍ୟରେ ୟୁଏନଏଚଆରସିକୁ ସାମିଲ କରାଯାଉ ଏବଂ ଏହି ସଂସ୍ଥାକୁ ଶୁଣାଣି ବେଳେ ଗୋଟିଏ ପକ୍ଷ କରାଯାଉ ବୋଲି ଇଣ୍ଟରଭେନସନ୍‌ ଆବେଦନରେ ଉଲ୍ଲେଖ କରାଯାଇଛି। ଆଇନରେ ଯେଉଁଭଳି ବିବେଦତା ରହିଛି, ତାହା ବିଶ୍ୱରେ ଗ୍ରହଣୀୟ ନୁହେଁ ବୋଲି ୟୁଏନଏଚଆରସି କହିଛି। ପ୍ରାୟ ୧୪୩ଟି ସିଏଏ ବିରୋଧୀ ଆବେଦନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି।

ସିଏଏ ବିରୋଧରେ ଏହି ବିଶ୍ୱସ୍ତରୀୟ ସଂସ୍ଥା ଆବେଦନ କରିଥିବାରୁ ଏହାକୁ ଭାରତ ସରକାର ଜୋରଦାର ବିରୋଧ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ “ସିଏଏ ହେଉଛି ଭାରତର ଆଭ୍ୟନ୍ତରୀଣ ବ୍ୟାପାର। ୟୁଏନଏଚଆରସି ସୁପ୍ରିମକୋର୍ଟରେ ଇଣ୍ଟରଭେନସନ ଆବେଦନ ଦାଖଲ କରିଥିବା ଜେନେଭାରେ ଥିବା ଆମର ସ୍ଥାୟୀ ମିଶନ ପକ୍ଷରୁ ସୂଚନା ଦିଆଯାଇଛି। କିନ୍ତୁ ଆମର ବିଶ୍ୱାସ ଯେ ସିଏଏ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ହୋଇଥିବାରୁ କୌଣସି ବିଦେଶୀ ପାର୍ଟିରେ ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ। ଏହା ଭାରତର ସାର୍ବଭୌମତ୍ୱକୁ କ୍ଷତି ପହଞ୍ଚାଇବ। ସିଏଏ ସମ୍ବିଧାନ ଅନୁସାରେ ବୈଧ। ଏକଥା ପୂର୍ବରୁ ମଧ୍ୟ ଭାରତ ସରକାର ସ୍ପଷ୍ଟ କରିସାରିଛନ୍ତି। ଭାରତ ବିଭାଜନ ପରଠାରୁ ହିଁ ଆମେ ମାନବାଧିକାରକୁ ଗୁରୁତ୍ୱ ଦେଇ ଆସିଛୁ। ବିଭାଜନ ପରେ ସୃଷ୍ଟି ହୋଇଥିବା ଭୟଙ୍କର ସ୍ଥିତିର ସମ୍ମୁଖୀନ ହେଉଥିବା ଲୋକମାନେ ଏବେ ନ୍ୟାୟ ପାଇବାକୁ ଯାଉଛନ୍ତି। ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ଏହା ଆଇନ ଅନୁସାରେ କାର୍ଯ୍ୟ କରେ।ଳଆମେ ସମସ୍ତେ ନ୍ୟାୟପାଳିକାର ସ୍ୱାଧୀନତାରେ ବିଶ୍ୱାସ କରୁ। ଆମର ଆଶା ଆଇନ ଅନୁସାରେ ନିଆଯାଇଥିବା ନିଷ୍ପତ୍ତି ସୁପ୍ରିମକୋର୍ଟରେ କାଏମ ରହିବ। ସିଏଏ ଅଣ ମୁସଲିମ ଶରଣାର୍ଥୀଙ୍କୁ ନ୍ୟାୟ ପ୍ରଦାନ କରିବ।”

Comments are closed.