Odisha Link
Bridging the Missing Links in Odisha

କରୋନା ଆତଙ୍କ ପାଇଁ ୫ ଦେଶର ନାଗରିକଙ୍କ ଭିସା ବାତିଲ୍

ନୂଆଦିଲ୍ଲୀ: ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି କରୋନା। ଗତକାଲି ଭାରତରେ ପୁଣି ଦୁଇ ନୂଆ କରୋନା ଭାଇରସ ରୋଗୀ ଚିହ୍ନଟ ହେବା ପରେ ମଙ୍ଗଳବାର କେନ୍ଦ୍ର ସରକାର କରୋନା ଭାଇରସ୍ ସମ୍ବନ୍ଧରେ ଏକ ଟ୍ରାଭେଲ ଆଡଭାଇଜରୀ ଜାରି କରିଛନ୍ତି। ଏହାକୁ ନଜରରେ ରଖି ପାଞ୍ଚଟି ଦେଶର ସମସ୍ତ ଭିସା ଏବଂ ଇ-ଭିସା ଉପରେ ସରକାର ସ୍ଥଗିତାଦେଶ ଜାରି କରିଛନ୍ତି। ଏହି ପାଞ୍ଚଟି ଦେଶ ହେଲା ଦକ୍ଷିଣ କୋରିଆ, ଚୀନ୍, ଇରାନ, ଇଟାଲୀ ଓ ଜାପାନ। କେନ୍ଦ୍ର ସରକାର ମଧ୍ୟ ଭାରତୀୟ ନାଗରିକମାନଙ୍କୁ ଚୀନ୍, ଇରାନ, ଦକ୍ଷିଣ କୋରିଆ ଓ ଇଟାଲୀ ଭ୍ରମଣରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଛନ୍ତି ଓ ବିଶେଷ କରି କରୋନା ପ୍ରଭାବିତ ଦେଶକୁ ଅତ୍ୟାବଶ୍ୟକ ଭ୍ରମଣରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

ମାର୍ଚ୍ଚ ୩ କିମ୍ବା ତା ପୂର୍ବରୁ ଇଟାଲୀ, ଇରାନ, ଦକ୍ଷିଣ କୋରିଆ, ଜାପାନର ନାଗରିକଙ୍କୁ ଭାରତରେ ପ୍ରବେଶ ପାଇଁ ଜାରି ହୋଇଥିବା ଭିସା ଇ-ଭିସା ବାତିଲ୍ କରାଯାଇଛି। ଯେଉଁମାନେ ଭାରତରେ ପ୍ରବେଶ କରି ନାହାନ୍ତି ସେମାନଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଛି। ଏଥିସହ ଯେଉଁମାନେ ଜରୁରୀକାଳୀନ ଭାବରେ ଭାରତକୁ ଆସିବା ପାଇଁ ଇଛୁକ, ସେମାନେ ନିକଟତମ ଭାରତୀୟ ଦୂତାବାସକୁ ଯାଇ ପୁଣି ଥରେ ଭିସା ପାଇଁ ଆବେଦନ କରିପାରିବେ ବୋଲି କୁହାଯାଇଛି।

Comments are closed.