Odisha Link
Bridging the Missing Links in Odisha

ମୋଦି ସରକାରଙ୍କ ମହିଳା କୈନ୍ଦ୍ରିକ ଯୋଜନାକୁ ତୃଣମୂଳ ସ୍ତରରେ ପହଁଚାଇବା ପାଇଁ ହେବ ଜାଗୃତି ସଭା: ମହିଳାମୋର୍ଚ୍ଚା

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୮ ତାରିଖ ବିଶ୍ୱ ମହିଳା ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣ କାରୀ ଯୋଜନା ସଂପର୍କିତ ଏକ ପଦର୍ଶନୀ ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ କରାଯିବ। ଏହା ସହ ସଶକ୍ତ ମହିଳାଙ୍କ ଦ୍ୱାରା ହିଁ ସମାଜ ସଶକ୍ତ ହୋଇପାରିବ ପ୍ରସଙ୍ଗକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ଏହି ଆୟୋଜନର ସଫଳ ରୂପାୟନ ପାଇଁ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତି ପରିଡାଙ୍କ ନେତୃତ୍ୱରେ ସମସ୍ତ ମହିଳା ମୋର୍ଚ୍ଚା ପଦାଧିକାରୀଙ୍କ ସହ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ଓଡିଶାରେ ମହିଳାଙ୍କ ସ୍ଥିତି ସଙ୍କଟାପନ୍ନ। ସେମାନଙ୍କ ସୁରକ୍ଷା ଏବଂ ସ୍ୱାଭିମାନ ଆଜି ପ୍ରତିହତ ହୋଇଛି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ବିଶ୍ୱାସ ଯେ, କେବଳ ମହିଳା ସଶକ୍ତିକରଣ ନୁହେଁ, ସମାଜ ସଶକ୍ତିକରଣ ପାଇଁ ମହିଳାମାନେ ବିକାଶର ବାର୍ତାବହ ହେବା ଜରୁରୀ। ବିଶ୍ୱ ମହିଳା ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମହିଳାଙ୍କ ପ୍ରତି ସମର୍ପିତ ବିଭିନ୍ନ ଲୋକାଭିମୁଖୀ ଯୋଜନା ସଂପର୍କରେ ମହିଳାମାନଙ୍କୁ ଅବଗତ କରାଯିବ। ଏହା ସହ ଆଗାମୀ ଦିନରେ ଉଜ୍ଜ୍ୱଳା, ମୁଦ୍ରା, ପ୍ରଧାନମନ୍ତ୍ରୀ ଆବାସ, ସ୍ୱଚ୍ଛ ଭାରତ (ଶୌଚାଳୟ) ଏବଂ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଭଳି ପାଂଚଟି ଯୋଜନାର ସଫଳ ରୂପାୟନ ପାଇଁ ଜାଗୃତି ସଭା ଜିଲ୍ଲା ଏବଂ ମଣ୍ଡଳ ସ୍ତରରେ କରାଯିବ ।

ମୋଦି ସରକାରଙ୍କର ଅନ୍ୟାନ୍ୟ ମହିଳା କୈନ୍ଦ୍ରିକ ଯୋଜନା ଗୁଡିକ (ଯେପରିକି ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ, ସୁକନ୍ୟା, ସମୃଦ୍ଧି, ମିଶନ ଇନ୍ଦ୍ରଧନୁଷ, ପୋଷଣ ଅଭିଯାନ ଆଦି ବିଷୟରେ ଜାଗୃତି ସୃଷ୍ଟି ପାଇଁ କିଛି ସ୍ଥାନରେ ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯିବ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି। ଏହି ପ୍ରସ୍ତୁତି ବୈଠକରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ,ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କାନନବାଳା ପଟ୍ଟନାୟକ, ସ୍ମୃତି ପଟ୍ଟନାୟକ, ପିଙ୍କି ପ୍ରଧାନ, ଅନୀତା ଶୁଭଦର୍ଶିନୀ, କସ୍ତୁରୀ ମିଶ୍ର, ଯାଜ୍ଞସେନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.