Odisha Link
Bridging the Missing Links in Odisha

BJD ଇତିହାସରେ ପ୍ରଥମ: ରାଜ୍ୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା, ବ୍ୟାନରରୁ ହଟିଲା ନବୀନଙ୍କ ଫଟୋ

ଭୁବନେଶ୍ବର: ବିଜୁ ଜନତା ଦଳରେ ଜଣେ ନେତା କୌଣସି ପଦବୀ ପ୍ରାପ୍ତ ହେବା ପରେ ତାଙ୍କୁ ଦଳ ମୁଖ୍ୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ଦିଆଯିବା ଭଳି ଘଟଣା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି।

ବିଜେଡିର ଅନ୍ୟତମ କ୍ଷମତାକେନ୍ଦ୍ର ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କୁ ଗତକାଲି ମୁଖ୍ୟମନ୍ତ୍ରୀ ଦଳର ସାଂଗଠନିକ ସଂପାଦକ ଘୋଷଣା କରିଥିବା ବେଳେ ଆଜି ଦଳ ମୁଖ୍ୟାଳୟରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ପୂର୍ବରୁ କେହି ଦଳୀୟ ପଦପଦବୀରେ ଅବସ୍ଥାପିତ ହେଲେ ତାଙ୍କ ଘରେ ବା କାର୍ଯ୍ୟାଳୟରେ ପହଞ୍ଚି ଶୁଭେଚ୍ଛୁମାନେ ଅଭିନନ୍ଦନ ଜଣାଉଥିବାର ନଜିର ଥିଲା। କିନ୍ତୁ ଦଳ ମୁଖ୍ୟାଳୟରେ ଏଭଳି ସ୍ବତନ୍ତ୍ର ସମ୍ବର୍ଦ୍ଧନା ସଭା ଆୟୋଜନ ବିଜେଡି ଇତିହାସରେ ପ୍ରଥମ। କେବଳ ସେତିକି ନୁହେଁ, ପଞ୍ଚାୟତ ଠାରୁ ଆରମ୍ଭ କରି ନୂଆଦିଲ୍ଲୀ ଯାଏଁ ଯେ କୌଣସି ଦଳୀୟ ସଭା ବା ସମାବେଶର ବ୍ୟାନରରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଫଟୋ ଏଯାବତ୍‌ ଦେଖିବାକୁ ମିଳୁଥିବା ବେଳେ ଆଜିର ସମ୍ବର୍ଦ୍ଧନା ଉତ୍ସବରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା।

ଅନୁରୂପ ଭାବେ ରାଜ୍ୟ ଯୋଜନା ବୋର୍ଡର ନୂଆ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିଲାଗି ଛପାଯାଇଥିବା ବ୍ୟାନରରେ ମଧ୍ୟ ଅନୁରୂପ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା।

କମ କଥା କହୁଥିବା ତଥା ପ୍ରଚାରପ୍ରସାର ଠାରୁ ଦୂରରେ ଥିବା ପ୍ରଣବ ନିର୍ବାଚନ ବେଳେ ଓ ଦଳର ଅସୁବିଧା ବେଳେ ବାରମ୍ବାର ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ଠାରୁ ଆରମ୍ଭ କରି ବିଜେପୁର ଓ ପାଟକୁରା ଉପନିର୍ବାଚନରେ ତାଙ୍କର ତୀକ୍ଷ୍ଣ ଗୋଟିଚାଳନା ଦଳକୁ ଫାଇଦା ଦେଇଛି।

ସଂଜୟ ମଧ୍ୟ ଦଳର ଅନ୍ୟତମ ସମ୍ପଦ ଭାବେ ଉଭା ହୋଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ସେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ଠାରୁ ପରାଜିତ ହେବା ପରେ ଏକ ପ୍ରକାର କୋଣଠେସା ହୋଇ ରହିଥିଲେ। ତାଙ୍କୁ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଘୋଷଣା କରି ନବୀନ ପଟ୍ଟନାୟକ ପୁଣି ଥରେ ସଂଜୟଙ୍କ ପ୍ରତି ନିଜର ଆସ୍ଥା ପ୍ରକଟ କରିଛନ୍ତି।

ଦଳର ଯେଉଁ କେତେଜଣ ଏବେ ନିଷ୍ପତ୍ତି-ନିର୍ଧାରକ ଓ ଅଦୃଶ୍ୟ କ୍ଷମତାକେନ୍ଦ୍ର ଭାବେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ମଧ୍ୟରେ ପ୍ରଣବ ଓ ସଂଜୟ ଅନ୍ୟତମ।

Comments are closed.