Odisha Link
Bridging the Missing Links in Odisha

ଶିକ୍ଷାଦାନ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଅଧ୍ୟାପକ ମାନେ ତତ୍ପର ହୁଅନ୍ତୁ: ଅରୁଣ ସାହୁ

ଭୁବନେଶ୍ବର: ଉଚ୍ଚଶିକ୍ଷା କ୍ଷେତ୍ରରେ ଅନେକଗୁଡ଼ିଏ ପରିବର୍ତ୍ତନକାରୀ ପଦକ୍ଷେପ ନିଆଯାଇଥିବା ପରିପ୍ରେକ୍ଷୀରେ ଏଗୁଡ଼ିକ ନିଷ୍ଠାର ସହିତ ରୂପାୟନ କରି ଛାତ୍ରଛାତ୍ରୀଙ୍କୁ ଏହାର ଲାଭ ପହଞ୍ଚାଇବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି। ଆଜି ପୂର୍ବାହ୍ନରେ ଆନନ୍ଦପୁର ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏକ ବୈଠକରେ ଅଧ୍ୟକ୍ଷତା କରି ମହାବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନର ଅଗ୍ରଗତି ସଂପର୍କରେ ବିଶଦ ଭାବରେ ସମୀକ୍ଷା କରି ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଜାରି କରାଯାଇଥିବା ପଦକ୍ଷେପଗୁଡ଼ିକୁ କଡ଼ାକଡ଼ି ଭାବରେ ଅନୁପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

କ୍ଲାସରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଅନୁ୍ୟନ ୭୫ ପ୍ରତିଶତକୁ କଡ଼ାକଡ଼ି ଭାବେ ଲାଗୁ କରାଯାଉଛି। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନେ ଯେପରି ନିୟମିତ କ୍ଲାସକୁ ଆସିବେ ସେଥି ନିମନ୍ତେ ଅଧ୍ୟାପକମାନେ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନଙ୍କ ସହିତ ନିୟମିତ ସଂପର୍କରେ ରହିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ। ବିଭାଗ ପକ୍ଷରୁ ପ୍ରୋକେଫାରିଆଲ୍‌ ଓ ମେଣ୍ଟରିଂ ବ୍ୟବସ୍ଥାକୁ ସମସ୍ତ ମହାବିଦ୍ୟାଳୟରେ କାର୍ଯ୍ୟକାରୀକରାଯିବା ସଂପର୍କରେ ମନ୍ତ୍ରୀ ସମୀକ୍ଷା କରିଥିଲେ । ମହାବିଦ୍ୟାଳୟଗୁଡ଼ିକରେ ପାଠ୍ୟକ୍ରମଗୁଡ଼ିକର ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରି ପରୀକ୍ଷା କରିବା ଓ ଠିକ୍‌ ସମୟରେ ପରୀକ୍ଷା ଫଳ ପ୍ରକାଶନ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏଥି ସହିତ ସ୍ପୋକେନ୍‌ ଟୁ୍ୟଟୋରିଆଲ୍‌, ସ୍ମାର୍ଟ କ୍ଲାସ୍‌ରୁମ୍‌ ଓ ଲାଇବ୍ରେରୀକୁ ସୁଦୃଢ଼ କରିବା ସହିତ ମହାବିଦ୍ୟାଳୟଗୁଡ଼ିକ ଯେପରି ନାକ୍‌ ମାନ୍ୟତା ହାସଲ କରିପାରିବେ ସେଥି ନିମନ୍ତେ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫‘ଟି’ ସୂତ୍ର ଅନୁଯାୟୀ ଟିମ୍‌ ୱାର୍କ, ଟେକ୍‌ନୋଲୋଜି, ଟ୍ରାନ୍ସପାରେନ୍ସି, ଟାଇମ୍‌ ଓ ଟ୍ରାନ୍ସଫର୍‌ମେସନ୍‌ ଆଧାରରେ ଉଚ୍ଚଶିକ୍ଷା ବିଭାଗକୁ ଅଧିକ କ୍ରିୟାଶୀଳ ଓ ଫଳପ୍ରସୂ କରିବା ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱ ଦେଇଥିଲେ। ଏଥି ସହିତ ‘ମୋ ସରକାର’ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମହାବିଦ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରାଯିବା ସହ ବୃତ୍ତିଗତ ଏବଂ ସେବା ମନୋଭାବ ନେଇସେମାନଙ୍କର ସମସ୍ୟାର ସମାଧାନ ନିମନ୍ତେ ସମସ୍ତେ ତତ୍ପର ହେବା ପାଇଁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ ।

ଏଥି ସହିତ ମନ୍ତ୍ରୀ ଡ. ସାହୁ ଜିଲ୍ଲାରେ କୃଷି, ଉଦ୍ୟାନ କୃଷି, ମୃର୍ତ୍ତିକା ସଂରକ୍ଷଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିଥିଲେ । ସ୍ଥାନୀୟ ମୃତ୍ତିକା, ଜଳସେଚନ ଏବଂ ଜଳବାୟୁକୁ ଉପଯୋଗ କରି କୃଷି ଏବଂ ଆନୁଷଙ୍ଗିକ କାର୍ଯ୍ୟ କରିବା ନିମନ୍ତେ ଅଧିକାରୀମାନଙ୍କୁ କହିଥିଲେ । ତୃଣମୂଳ ସ୍ତରରେ କୃଷକମାନଙ୍କ ସହ ସିଧାସଳଖ ଯୋଗାଯୋଗ ସ୍ଥାପନ କରି ସେମାନଙ୍କର ଆବଶ୍ୟକତା ଓ ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ମନ୍ତ୍ରୀ ଡ. ସାହୁ କହିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ କରାଯାଇଥିବା ବିଭିନ୍ନ ଯୋଜନାର ଲାଭ ଚାଷୀମାନେ ଯେପରି ସିଧାସଳଖ ପାଇପାରିବେ ସେଥି ନିମନ୍ତେ ତତ୍ପର ହେବା ପାଇଁ ଉତ୍ପାଦନ ବୃଦ୍ଧି ନିମନ୍ତେ ଉନ୍ନତ ବିହନ ଓ କୃଷି ଯନ୍ତ୍ରପାତିର ବ୍ୟବହାର ସଂପର୍କରେ ଚାଷୀମାନଙ୍କୁ ଉତ୍ସାହିତ କରିବା ପାଇଁ ମନ୍ତ୍ରୀ କହିଥିଲେ । ଏଥି ସହିତ ଚାଷୀମାନଙ୍କ ସହିତ ଯୋଗାଯୋଗ ସ୍ଥାପନ ନିମନ୍ତେ ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏହି ସମୀକ୍ଷା ବୈଠକରେ ବିଧାୟକ ବଦ୍ରିନାରାୟଣ ପାତ୍ର,କେନ୍ଦୁଝର ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ଯୁକ୍ତ-୩ ମହାବିଦ୍ୟାଳୟର ଅଧ୍ୟକ୍ଷଅଧ୍ୟକ୍ଷା, ଜିଲ୍ଲାର କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶର ସମସ୍ତ ଅଧିକାରୀ ଯୋଗଦେଇଥିଲେ।

Comments are closed.