ୟେସ୍ ବ୍ୟାଙ୍କ ମୁଖ୍ୟ ରାଣା କପୁର ଗିରଫ

ମୁମ୍ବାଇ: ଆର୍ଥିକ ପତନ ଦେଇ ଗତି କରୁଥିବା ଘରୋଇ ବ୍ୟାଙ୍କ୍ ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କୁ ଗିରଫ କରିଛି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)। ଆର୍ଥିକ ହେରଫେର ମାମଲାରେ ଆଜି ପାହାନ୍ତାରେ ତାଙ୍କୁ ଗିରଫ କରାଯାଇଛି। ପରେ ତାଙ୍କୁ ନ୍ୟାୟାଳୟରେ ହାଜର କରାଯିବ।
ଦେଓ୍ବାନ ହାଉସିଂ ଫାଇନାନ୍ସ କୋଅପରେଟିଭ୍ ଲିମିଟେଡ୍ ସହ ଅବୈଧ ଅର୍ଥନୈତିକ ଦେଣନେଣ ବ୍ୟାପାରରେ ରାଣାଙ୍କୁ ଘଣ୍ଟା ଘଣ୍ଟା ଧରି ପଚରାଉଚରା ପରେ ଇଡି କର୍ତୃପକ୍ଷ ଗିରଫ କରିଛନ୍ତି। ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ(PMLA)ରେ ତାଙ୍କୁ ଗିରଫ କରାଯାଇଛି। ସେ ତଦନ୍ତରେ ସହଯୋଗ କରୁନଥିବା ଜଣାପଡ଼ିଛି।
ଶନିବାର ଇଡି ତାଙ୍କୁ ପଚରାଉଚରା ପାଇଁ ଦକ୍ଷିଣ ମୁମ୍ବାଇ ସ୍ଥିତ ବଲର୍ଡ ପିଏର୍ କାର୍ଯ୍ୟାଳୟକୁ ନେଇଥିଲା। ଆଜି ପ୍ରତ୍ୟୁଷରୁ ତାଙ୍କୁ ଗିରଫ କରାଯାଇଛି।
ସୂଚନାଯୋଗ୍ୟ, ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଦେଶର ଅନ୍ୟତମ ପ୍ରତିଷ୍ଠିତ ଘରୋଇ ବ୍ୟାଙ୍କ ୟେସ୍ ବ୍ୟାଙ୍କ। ଏହି ବ୍ୟାଙ୍କ ଉପଭୋକ୍ତାଙ୍କ ପାଇଁ ଲାଗିଛି କଟକଣା। ଆସନ୍ତା ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ୟେସ୍ ବ୍ୟାଙ୍କ ଉପଭୋକ୍ତା ୫୦ ହଜାର ଟଙ୍କାରୁ ଅଧିକ ଉଠାଇ ପାରିବେ ନାହିଁ।
ୟେସ୍ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଟଙ୍କା ଉଠାଣ ଉପରେ କଟକଣା ଲାଗିବା ଓ ବ୍ୟାଙ୍କର ଦେବାଳିଆ ସ୍ଥିତି ପରେ ଜଗନ୍ନାଥପ୍ରେମୀଙ୍କୁ ଏହା ଚିନ୍ତାରେ ପକାଇଛି। କାରଣ, ୟେସ୍ ବ୍ୟାଙ୍କରେ ପୁରୀ ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା ଜମାରାଶି ଅଛି।