ଲୋକସଭା: ଋଣ ଖିଲାପକାରୀଙ୍କ କଥା ଉଠାଇଲେ ରାହୁଲ, ଅନୁରାଗ କହିଲେ…

ନୂଆଦିଲ୍ଲୀ: ଆଜି ଲୋକସଭାର ପ୍ରଶ୍ନକାଳ ସମୟରେ ଋଣ ଖିଲାପକାରୀଙ୍କ ଉପରେ ପ୍ରଶ୍ନ ପଚାରି ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ। ଲୋକସଭାରେ ବ୍ୟାଙ୍କ ଋଣ ଖିଲାପକାରୀଙ୍କ ସୂଚନା ମାଗିଲେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ସବୁଠାରୁ ବଡ ୫୦ ଖିଲାପକାରୀଙ୍କ ତଥ୍ୟ ଦେବାକୁ ସରକାରଙ୍କ ନିକଟରେ ଦାବି ରଖିଲେ ରାହୁଲ। ପ୍ରଧାନମନ୍ତ୍ରୀ ଋଣ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହୁଥିବାବେଳେ ୫୦ ବଡ ଖିଲାପକାରୀଙ୍କ ତଥ୍ୟ କାହିଁକି ସରକାର ଦେଉନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ।
ଏହାସହ ୫୦ ବଡ ଖିଲାପକାରୀଙ୍କ ତଥ୍ୟ ଦେବାକୁ ସରକାର କାହିଁକି ଡରୁଛନ୍ତି ବୋଲି ସେ କହିଛନ୍ତି ।ସେପଟେ ଏହାର ଜବାବ ଦେଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ‘ସରକାର କୌଣସି ତଥ୍ୟ ଲୁଚାଇବାକୁ ଚେଷ୍ଟା କରିନାହାଁନ୍ତି। ୨୫ ଲକ୍ଷରୁ ଅଧିକ ଋଣ ଖିଲାପକାରୀଙ୍କ ତଥ୍ୟ ୱେବସାଇଟରେ ଉପଲବ୍ଧ ହେଉଛି। ତେବେ ବଡ ଖିଲାପକାରୀଙ୍କ ତଥ୍ୟ ମଧ୍ୟ ଉପଲବ୍ଧ ହେଉଛି ।’ ଯଦି ସାଂସଦ ଚାହୁଁଛନ୍ତି ତାହେଲେ ଆମେ ୫୦ ବଡ ଖିଲାପକାରୀଙ୍କ ତଥ୍ୟ ଟେବୁଲରେ ରଖୁଛୁ ବୋଲି ସେ କହିଛନ୍ତି।