Odisha Link
Bridging the Missing Links in Odisha

କରୋନା ଲଢ଼େଇରେ ଆଗରେ ଓଡ଼ିଶା, ଦେଶର ସବୁଠୁ ବଡ଼ ଲକ୍‌ଡାଉନ୍

ଭୁବନେଶ୍ବର: କରୋନା ବିପତ୍ତିକୁ ନେଇ ବିଭିନ୍ନ ପଦକ୍ଷେପ ନେବାରେ ଓଡ଼ିଶା ଆଗୁଆ ରହିଛି। ଅନ୍ୟ ରାଜ୍ୟ ତୁଳନାରେ ସଚେତନତା ଓ ପଦକ୍ଷେପ ଉଭୟ କ୍ଷେତ୍ରରେ ବହୁ ପାଦ ଅଗରେ ଅଛି ଓଡ଼ିଶା। ବିଦେଶୀ ମାନଙ୍କୁ ଜାଞ୍ଚ କରିବା, ଘରେ ଏକାନ୍ତବାସରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ଆର୍ଥିକ ପ୍ରୋତ୍ସାହ ଦେବା, ସ୍ବତନ୍ତ୍ର ପୋର୍ଟାଲ ସାହାଯ୍ୟରେ ସନ୍ଦିଗ୍ଧଙ୍କ ପଞ୍ଜିକରଣ କରିବା ଆଦି କ୍ଷେତ୍ରରେ ଅନ୍ୟ ରାଜ୍ୟ ଠାରୁ ଆଗରେ ରହିଛି ଓଡ଼ିଶା। ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଯୁଗ୍ମ-ଅଯୁଗ୍ମ ଗାଡ଼ି ଚଳାଚଳ ବ୍ୟବସ୍ଥା କରିଥିବା ବେଳେ ଆଜିର ଲକ୍‌ଡାଉନ୍‌ ଘୋଷଣା ଦେଶ ପାଇଁ ଆଉ ଏକ ଉଦାହରଣ ଠିଆ କରିଛି।

ଭାରତରେ ସ୍ବାସ୍ଥ୍ୟ କ୍ଷେତ୍ରରେ ସବୁଠୁ ବଡ଼ କୁହାଯାଉଥିବା ଏହି ଲକ୍‌ଡାଉନ୍‌ରେ ରାଜ୍ୟର ୪୦ ପ୍ରତିଶତ ଜନତା ସାମିଲ ଅଛନ୍ତି। ୫ଟି ଜିଲ୍ଲା ଓ ୮ଟି ସହରରେ ପ୍ରାୟ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଲୋକମାନେ ଘରୁ ବାହାରିବେ ନାହିଁ। ୭ ଦିନରୁ ଅଧିକ ସମୟ ଧରି (୨୨ ମାର୍ଚ୍ଚ ସକାଳ ୭ଟାରୁ ୨୯ ମାର୍ଚ୍ଚ ରାତି ୯ଟା ଯାଏଁ) ଏହି ଲକ୍‌ଡାଉନ୍‌ ବଳବତ୍ତର ରହିବ। ପ୍ରାୟ ୨ କୋଟି ଲୋକ ଏଥିରେ ସାମିଲ ହେବେ।

ଗତ କିଛି ଦିନ ମଧ୍ୟରେ ବିଦେଶରୁ ୩୦୦୦ରୁ ଅଧିକ ଲୋକ ଓଡିଶାକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ହେଉଛନ୍ତି ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳ ଜିଲ୍ଲାର। ତେଣୁ ପ୍ରଥମ ପର୍ଯ୍ୟାୟରେ ଏହି ୫ଟି ଜିଲ୍ଲାର ସବୁ ସହର ଓ ସବୁ ଗାଁ ସହିତ ସମ୍ବଲପୁର, ଝାରସୁଗୁଡା, ବାଲେଶ୍ବର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ ଏବଂ ଯାଜପୁର ଟାଉନରେ ୨୨ ମାର୍ଚ୍ଚ ରବିବାର ସକାଳ ୭ଟା ରୁ ୨୯ ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ ପ୍ରାୟ ସଂପୂର୍ଣ୍ଣ (Near Total ) Lock Down କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ଲକ୍‌ଡାଉନ୍‌ ସମୟରେ ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। କେବଳ ଘରେ ରହିଲେ ହିଁ ଆମେ ଏ ଯୁଦ୍ଧ ଜିତିପାରିବା ବୋଲି ସେ ଭିଡିଓ ବାର୍ତ୍ତା ଦେଇଛନ୍ତି।

ତେବେ ଏହି Lock Down ସମୟରେ କେବଳ ବସ୍‌, ଟ୍ରେନ୍‌ ଓ ବିମାନ ସେବା ସହିତ ସଉଦା ଦୋକାନ, ପରିବା ଦୋକାନ, ମାଛ, ମାଂସ, ଅଣ୍ଡା, ଚିକେନ୍‌, ପେଟ୍ରୋଲ ପମ୍ପ ଏବଂ ମେଡିସିନ୍‌ ଦୋକାନ ଆଦି ଖୋଲା ରହିବ। ଅତ୍ୟାବଶ୍ୟକ ଦ୍ରବ୍ୟର wholesale market ମଧ୍ୟ ଖୋଲା ରହିବ। ସେହିପରି ଏ ସବୁ ଅଞ୍ଚଳରେ ଡାକ୍ତରଖାନା, ବ୍ୟାଙ୍କ, ATM, ମ୍ୟୁନିସ୍‌ପାଲଟି ସେବା, ପୋଲିସ, ଅଗ୍ନିଶମ ସେବା, ODRAF, ପାନୀୟ ଜଳ ଓ ବିଦ୍ୟୁତ ସେବା ଆଦି ଜାରି ରହିବ। ପ୍ରଶାସନିକ କାର୍ଯ୍ୟାଳୟ ଗୁଡିକ ମଧ୍ୟ ଖୋଲା ରହିବ।

ଲୋକଙ୍କ ସ୍ବାର୍ଥ ପାଇଁ ସରକାର କରିଥିବା ଏହି କଟକଣାକୁ ଯିଏ ଭାଙ୍ଗିବାକୁ ଚେଷ୍ଟା କରିବ ତା ବିରୋଧରେ କଠୋର ପଦକ୍ଷେପ ନେବାକୁ ମୁଁ ପୋଲିସକୁ ନିର୍ଦ୍ଦେଶ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.