୬୦% ବିମାନ ସେବା ବନ୍ଦ, ମଝି ସିଟ୍ ଖାଲି ରଖିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ବିରୋଧରେ ଲଢ଼େଇ ଜାରି ଥିବା ବେଳେ ବିମାନ ଚଳାଚଳ ବେଶ୍ ପ୍ରଭାବିତ ହୋଇଛି। ଦେଶରେ ପ୍ରାୟ ୬୦ ପ୍ରତିଶତ ବିମାନ ଚଳାଚଳ ବନ୍ଦ ରହିଛି। ଅନ୍ୟପଟେ ବିମାନର ପ୍ରତି ଧାଡ଼ିରେ ଥିବା ମଝି ଆସନ ଦୁଇଟି ଖାଲି ରଖିବା ପାଇଁ ସେବାପ୍ରଦାନକାରୀ ସଂସ୍ଥା ସମୁହକୁ ନିର୍ଦ୍ଦେଶ ଦେଇଛନ୍ତି ବେସାମରିକ ବିମାନ ଚଳାଚନ ମହାନିର୍ଦ୍ଦେଶକ (DGCA)।
ବିମାନ ଉଡ଼ାଣର ତତ୍କାଳ ସ୍ଥିତିର ତଥ୍ୟ ରଖୁଥିବା Flightradar24 ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଦିଲ୍ଲୀରେ ଗତକାଲି ବିମାନ ଉଡ଼ାଣ ସଂଖ୍ୟା ୬୭୩ରୁ ୨୫୮କୁ ଖସିଆସିଛି। ମୁମ୍ବାଇରେ ଗତକାଲି ୪୨୫ ବିମାନ ଉଡ଼ାଣ କରିବାକୁ ଥିବା ବେଳେ ମାତ୍ର ୧୩୭ଟି ବିମାନ ଯାତ୍ରା କରିଛି। ବେଙ୍ଗାଲୁରୁରେ ୩୪୬ ବିମାନ ଯାତ୍ରା କରିବାକୁ ଥିବା ବେଳେ ମାତ୍ର ୧୫୪ଟି ଉଡ଼ାଣ କରିଛି। ଫେବ୍ରୁଆରୀ ଶେଷ ସପ୍ତାହ ଠାରୁ ଭାରତରେ ବିମାନ ଉଡ଼ାଣ ସଂଖ୍ୟା କମିବାରେ ଲାଗିଛି।
ସନ୍ଦିଗ୍ଧ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଅନ୍ୟଠାରୁ ଦୂରେଇ ରଖିବା ପାଇଁ ବିମାନବନ୍ଦରଗୁଡ଼ିକରେ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପ୍ରତି ବିମାନର ମଝି ଆସନ ଖାଲି ରଖିବାକୁ ଡିଜିସିଏ ନିର୍ଦ୍ଦେଶ ଦେଇଛନ୍ତି।