ପ୍ରତି ଘର ଯାଞ୍ଚ କରୁଛନ୍ତି ଆନ୍ଧ୍ର ସରକାର, ୨.୫ ଲକ୍ଷ ସ୍ବେଚ୍ଛାସେବୀ ନିଯୁକ୍ତ

ହାଇଦ୍ରାବାଦ: କରୋନା ମୁକାବିଲା ପାଇଁ ଆନ୍ଧ୍ରପ୍ରଦେଶ ସରକାର ରାଜ୍ୟର ପ୍ରତି ଘରକୁ ଯାଇ ସନ୍ଦିଗ୍ଧ ସଂକ୍ରମିତ ବ୍ୟକ୍ତି ଅଛନ୍ତି କି ଯାଞ୍ଚ କରୁଛନ୍ତି। ଏଥିପାଇଁ ଅଢ଼େଇ ଲକ୍ଷ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି।
ଆନ୍ଧ୍ର ସରକାର ରବିବାର ଠାରୁ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା କରିଛନ୍ତି। ରାଜ୍ୟକୁ ବିଦେଶରୁ ଆସିଥିବା ୧୦ ହଜାର ବ୍ୟକ୍ତିଙ୍କୁ ଏଯାଏଁ ଠାବ କରାଯାଇଛି। ଏମାନଙ୍କ ମଧ୍ୟରୁ ୧୪୦ ଜଣଙ୍କ ଠାରେ ସନ୍ଦିଗ୍ଧ ଆଚରଣ ଦେଖାଦେବାରୁ ସେମାନଙ୍କୁ ପରୀକ୍ଷଣ କରାଯାଇଛି। ଏଯାବତ୍ ରାଜ୍ୟରେ ୬ ଜଣ କେରାନା ରୋଗୀ ଜଣାପଡ଼ିଛନ୍ତି।
ତେବେ ଲକ୍ଡାଉନ୍ ସମୟରେ ସରକାର ସମ୍ପୂର୍ଣ୍ର ରାଜ୍ୟ ଯାଞ୍ଚ୍ ପାଇଁ ନିଷ୍ପତ୍ତି ନେଇଛନ୍ତି। ୨.୫ ଲକ୍ଷ ବ୍ୟକ୍ତିଙ୍କୁ ନେଇ ଗଠିତ ସ୍ବେଚ୍ଛାସେବୀ ଦଳ ଘର ଘର ବୁଲି ଯାଞ୍ଚ କରୁଛନ୍ତି। ରାଜ୍ୟରେ ମୋଟ ୧ କୋଟି ୪୩ ଲକ୍ଷ ୯୧ ହଜାର ୬୫୪ ପରିବାର ଅଛନ୍ତି। ଏଯାବତ୍ ଏମାନଙ୍କ ମଧ୍ୟରୁ ୧ କୋଟି ୩୮ ଲକ୍ଷ ୫୮ ହଜାର ୭୪୭ ପରିବାର ଯାଞ୍ଚ ସରିଲାଣି ବୋଲି ସରକାର ଜଣାଇଛନ୍ତି।
ମୁଖ୍ୟତଃ ପରିବାରରେ କେହି ବିଦେଶରୁ ଫେରିଛନ୍ତି (ଫେବ୍ରୁଆରୀ ୧୦ ପରେ) କି ନା ପଚରାଯାଉଛି। ଏହା ଛଡ଼ା ପ୍ରତି ପରିବାରକୁ ସ୍ବେଚ୍ଛାସେବୀଙ୍କ ମାଧ୍ୟମରେ ସଚେତନତା ବାର୍ତ୍ତା ଦିଆଯାଉଛି। କ’ଣ କରିବେ କ’ଣ ନକରିବେ ସେ ନେଇ ବତାଉଛନ୍ତି ସ୍ବେଚ୍ଛାସେବୀ। ଏହା ମାଧ୍ୟମରେ ରାଜ୍ୟ ଲକ୍ଡାଉନ୍ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରୋନା-ମୁକ୍ତ ହୋଇପାରିବ ବୋଲି ସରକାର ଆଶା କରିଛନ୍ତି।