Odisha Link
Bridging the Missing Links in Odisha

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଶିବରାଜ

ଭୋପାଲ: ରାଜନୀତି ପାଇଁ ମଧ୍ୟପ୍ରଦେଶରେ ୧ମାସ ଧରି ଚାଲିଛି ମହାନାଟକ। ଆଜି ଏହି ମହାନାଟକରେ ଜବନୀକା ପଡ଼ିପାରେ ନେଇ ଚର୍ଚ୍ଚା ହେଉଛି। ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ମଧ୍ୟପ୍ରଦେଶର ଆଗାମୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶିବରାଜ ସିଂ ଚୌହାନଙ୍କ ନାମ ସୁପାରିଶ ହୋଇଛି। ଶିବରାଜ ଆଜି ସନ୍ଧ୍ୟା ୭ଟାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ଆଜି ବିଜେପି ବିଧାନସଭା ଦଳ ବୈଠକ ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶିବରାଜ ସିଂହ ଚୌହାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ଟୁଇଟ କରାଯାଇଛି।

ସୂଚନାଥଉକି, ମାର୍ଚ୍ଚ ୨୦ରେ ହେବାକୁ ଥିବା ଆସ୍ଥା ଭୋଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କମଲନାଥ। ଏହାପରେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଆରମ୍ଭ ହୋଇଥିଲା ଅଙ୍କକଷା। ମୁଖ୍ୟମନ୍ତ୍ରୀ ପଦ ଦୌଡରେ ସବୁଠୁ ଆଗରେ ଥିଲେ ଶିବରାଜ ସିଂହ ଚୌହାନ। ଏହି ପଦ ଦୌଡରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ପୂର୍ବତନ ମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କ ନାମ ଦୌଡରେ ସାମିଲ ଥିଲା।

ରାଜ୍ୟରେ କଂଗ୍ରେସ ସରକାର ଅଳ୍ପମତ ହେବା ପରେ ବିଜେପି ସରକାର ଗଠନ କରିବାକୁ ଯାଉଛି। ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବା ପରେ ତାଙ୍କ ସମର୍ଥକ ୬ ମନ୍ତ୍ରୀ ଓ ୧୬ ବିଧାୟକଙ୍କୁ ବିଜେପି ସ୍ୱାଗତ କରିଥିଲା। ଏବେ ୨୨ଜଣ ସିନ୍ଧିଆ ସମର୍ଥକ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି। ଏହାପରେ ବିଜେପିର ସରକାର ଗଠନ କରିବା ସହଜସାଧ୍ୟ ହୋଇଯାଇଥିଲା।

 

Comments are closed.