Odisha Link
Bridging the Missing Links in Odisha

କେଉଁଠି କେତେ ସମୟ ବଞ୍ଚିପାରିବ କରୋନା ଭୂତାଣୁ

ଓଏଲ୍‌ ବ୍ୟୁରୋ: କରୋନା ଭୂତାଣୁ ପବନବାହୀ ନୁହେଁ ବୋଲି ଏଯାଏଁ ପରିଗଣିତ ହେଉଥିବା ବେଳେ ଏକ ନୂଆ ଗବେଷଣା ଏ ବିମର୍ଶକୁ ଭୁଲ ପ୍ରମାଣିତ କରିଛି। କରୋନା ପବନରେ ମଧ୍ୟ ବଞ୍ଚିପାରେ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଚିନ୍ତାପ୍ରକଟ କରିଛି। ମେଡିକାଲ କର୍ମଚାରୀମାନେ ବାୟୁବାହୀ ରୋଗ-ପ୍ରତିରୋଧକ ବ୍ୟବସ୍ଥା ଆପଣେଇବାକୁ ହୁ ପରାମର୍ଶ ଦେଇଛି।

New England Journal of Medicineରେ ପ୍ରକାଶିତ ଏକ ଗବେଷଣା-ଲବ୍ଧ ତଥ୍ୟ ଆଧାରିତ ନିବନ୍ଧ ଅନୁସାରେ ନୂଆ କରୋନା ଭୂତାଣୁ (COVID-19) ବାୟୁରେ କିଛି ଘଣ୍ଟା ଓ ଭିନ୍ନ ଭିନ୍ନ ଚଟାଣରେ ଦିନ ଦିନ ବଞ୍ଚି ରହିପାରେ। ୨୦୦୨ରେ ଆସିଥିବା କରୋନା ଭୂତାଣୁ (ସାର୍ସ) ତୁଳନାରେ ଏବର ନୂଆ ଭୂତାଣୁର ଜୀବନଧାରଣ (ସର୍ଭାଇଭାଲ) କ୍ଷମତା ଅଧିକ ବୋଲି National Institutes of Health, Centers for Disease Control and Prevention, UCLA ଏବଂ Princeton Universityର ଗବେଷଣାରୁ ଜଣାଯାଇଛି। ଏହି ନୂଆ ଭୂତାଣୁ ପବନ ସମେତ, ତମ୍ବା, କାର୍ଡବୋର୍ଡ, ପ୍ଲାଷ୍ଟିକ୍‌ ଓ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ପୃଷ୍ଣରେ ମଧ୍ୟ ବଞ୍ଚିପାରିବ ବୋଲି ଗବେଷଣାରୁ ଜଣାପଡ଼ିଛି।

କୋଭିଡ୍-୧୯ ନିବୁଜ ପବନ(aerosols)ରେ ୩ ଘଣ୍ଟା, ତମ୍ବା ଉପରେ ୪ ଘଣ୍ଟା, କାଗଜପଟ୍ଟି (କାର୍ଡବୋର୍ଡ) ଉପରେ ୨୪ ଘଣ୍ଟା ଯାଏଁ ବଞ୍ଚି ପାରୁଥିବା ପରୀକ୍ଷଣରୁ ଜଣାଯାଇଛି। ଏହି ଭୂତାଣୁକୁ ବେଶି ସୁହାଉଛି ପ୍ଲାଷ୍ଟିକ୍‌ ଓ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ (ଇସ୍ପାତ) ଚଟାଣ। ପ୍ଲାଷ୍ଟିକ୍‌ ଓ ଷ୍ଟିଲ୍‌ ପୃଷ୍ଟରେ ଏହା ୩ ଦିନ ଯାଏଁ ବଞ୍ଚିପାରୁଛି। ତେବେ ଏସବୁ ଚଟାଣରେ ସମୟ ସହ ତାଳଦେଇ ଭୂତାଣୁଙ୍କ ସଂଖ୍ୟା କମିକମି ଆସୁଛି। ଅର୍ଥାତ୍‌ କାଗଜ ପଟ୍ଟି ଉପରେ ଯେତିକି ଭୂତାଣୁଙ୍କୁ ଛଡ଼ାଯାଇଥିଲା, ସମସ୍ତେ ୨୪ ଘଣ୍ଟା ତିଷ୍ଟି ପାରିନଥିଲେ।

ଏରୋସଲ୍‌ ବା ନିବୁଜପବନ ହେଉଛି କିଛି କଠିନ ବା ତରଳ କଣିକା ଯାହା ପବନରେ ଭାସିବୁଲୁଥାଏ; ଯେମିତି କି କୁହୁଡ଼ି କଣିକା, ଧୂଳିକଣା, ଚିକିତ୍ସା କ୍ଷେତ୍ରରେ ବ୍ୟବହୃତ ଗ୍ୟାସ୍‌ (ଭେଣ୍ଟିଲେସନ୍‌ ଓ ନେବୁଲାଇଜରରେ ବ୍ୟବହୃତ)। ଏଣୁ କରୋନା ଭୂତାଣୁ ଗ୍ରସ୍ତ ବ୍ୟକ୍ତି ଚିକିତ୍ସିତ ହେଉଥିବା ଡାକ୍ତରଖାନାରେ କର୍ମଚାରୀମାନେ ସତର୍କ ରହିବା ଉଚିତ ବୋଲି ହୁ ପରାମର୍ଶ ଦେଇଛି।

ସାଧାରଣ ଜନତା ମଧ୍ୟ କରୋନା ସଂକ୍ରମିତ ଏରୋସଲ୍‌ ପ୍ରଶ୍ବାସରେ ନେଇ ବା କରୋନା ସଂକ୍ରମିତ ପୃଷ୍ଠକୁ ଛୁଇଁ ନିଜେ ସଂକ୍ରମିତ ହେବାର ସମ୍ଭାବନା ରହିଛି। ବାହାରକୁ ଯାଉଥିଲେ ମାସ୍କ ବ୍ୟବହାର କରିବା ବିଧେୟ। ଏହା ସାଙ୍ଗକୁ ଷ୍ଟିଲ୍, କାର୍ଡବୋର୍ଡ, ପ୍ଲାଷ୍ଟିକ୍‌ ଓ ତମ୍ବା ଭଳି ପଦାର୍ଥ ଠାରୁ ଦୂରେଇ ରହିଲେ ଭଲ। କାର୍ଯ୍ୟାଳୟ, ଡାକ୍ତରଖାନା ଓ ଗହଳ ସ୍ଥାନରେ ଷ୍ଟିଲ ରେଲିଂ, ପ୍ଲାଷ୍ଟିକ୍‌ ଚଉକି ବା ଆସବାବପତ୍ର ସବୁ ନିୟମିତ ଶୋଧନ (ଡିସ୍‌ଇନଫେକ୍ଟ) ହେବା ଦରକାର।

Comments are closed.