Odisha Link
Bridging the Missing Links in Odisha

ନିଜାମୁଦ୍ଦିନ ମସ୍‌ଜିଦ୍‌ ଯାଇଥିବା ୩୦୦ରୁ ଅଧିକ କରୋନା ଆକ୍ରାନ୍ତ, ୧୦ ମୃତ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଆଶଙ୍କା ଥିବା ସମୟରେ ଇସ୍‌ଲାମ୍‌ ଧର୍ମସଭା ଆୟୋଜନ ମହଙ୍ଗା ସାବ୍ୟସ୍ତ ହୋଇଛି। ମସ୍‌ଜିଦ୍‌ରେ ଏକାଠି ହୋଇଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ମଧ୍ୟରୁ ମସ୍‌ଜିଦ୍‌ ଭିତରେ ଏବେ ବି ପ୍ରାୟ ୧୫୦୦ ବ୍ୟକ୍ତି ଥିବା ବେଳେ ୩୦୦ରୁ ଅଧିକ କରୋନା ଆକ୍ରାନ୍ତ ସନ୍ଦେହରେ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଅନ୍ୟପଟେ ଧର୍ମସଭାରେ ଯୋଗଦେଇଥିବା ୧୦ ଜଣ କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି।

ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ଦିଲ୍ଲୀର ହଜ୍ରତ୍‌ ନିଜାମୁଦ୍ଦିନ୍‌ ଅଉଲିଆ ଦରଘାରେ ଏକ ଅନ୍ତର୍ଜାତୀୟ ଇସ୍‌ଲାମ୍‌ ଧର୍ମସଭା ଆୟୋଜିତ ହୋଇଥିଲା ଯେଉଁଠି ଭାରତ ସମେତ ବାଂଲାଦେଶ, ଇଣ୍ଡୋନେସିଆ, ଥାଇଲାଣ୍ଡ, ସାଉଦି ଆରବ ଓ ଫିଲିପାଇନ୍ସ ଆଦି ବହୁ ଦେଶର ୮୦୦୦ରୁ ଅଧିକ ଇସ୍‌ଲାମ୍‌ ଶ୍ରଦ୍ଧାଳୁ ସମବେତ ହୋଇଥିଲେ। ତେବେ ତିନି ସପ୍ତାହ ପରେ ଏହି ସମାବେଶରେ ଭୟଙ୍କର କରୋନା ଭୂତାଣୁ ସଂକ୍ରମଣ ହୋଇଥିବା ସ୍ପଷ୍ଟ ହୋଇଛି। ସମାବେଶରେ ଯୋଗଦେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୮୦୦ରୁ ଅଧିକ ବିଦେଶୀ ନାଗରିକ ଥିଲେ।

ବର୍ତ୍ତମାନ ଦରଘା ଭିତରେ ପ୍ରାୟ ୧୫୦୦ ବ୍ୟକ୍ତି ଥିବା ବେଳେ ଦିଲ୍ଲୀର ଲୋକନାୟକ ହସ୍ପିଟାଲରେ ୨୮୫ ଜଣ ସନ୍ଦିଗ୍ଧ ଭର୍ତ୍ତି ହୋଇଥିବା ବେଳେ ଅନ୍ୟ କେତକ ସ୍ଥାନୀୟ ଡାକ୍ତରଖାନାରେ ବି ଆକ୍ରାନ୍ତ ସନ୍ଦିଗ୍ଧଙ୍କୁ ଚିକିତ୍ସା କରାଯାଉଛି।

ମୃତ ୧୦ ଜଣଙ୍କ ମଧ୍ୟରେ ଜଣେ ବିଦେଶୀ ନାଗରିକ (ଫିଲିପାଇନ୍ସ) ଅଛନ୍ତି। ଅନ୍ୟ ୯ ଜଣ ଭାରତର। କେବଳ ତେଲେଙ୍ଗାନାରେ ୬ ଜଣ ଏହି ଦରଘାରୁ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି। ଜମ୍ମୁ କଶ୍ମୀରର ପ୍ରଥମ କରୋନା ମୃତକ ଏହି ସମାବେଶରୁ ଯାଇଥିବା ବେଳେ ୩ ପତ୍ନୀ ଓ ୨୦ ସନ୍ତାନଙ୍କୁ ଛାଡ଼ି ମୃତ୍ୟୁବରଣ କରିଥିବା କର୍ଣ୍ଣାଟକର ୬୫ ବର୍ଷୀୟ କରୋନା ଆକ୍ରାନ୍ତ ମଧ୍ୟ ଏହି ଧର୍ମସଭାରେ ଯୋଗ ଦେଇଥିଲେ। ତାମିଲନାଡ଼ୁରେ ମଧ୍ୟ ଜଣେ ଏହି କାରଣରୁ ମୃତ୍ୟୁବରଣ କରିଛନ୍ତି।

ନିଜାମୁଦ୍ଦିନ୍‌ର କରୋନା ସଂକ୍ରମଣ ଜଣାପଡ଼ିବା ପରେ ସରକାର ଓ ସ୍ଥାନୀୟ ପ୍ରଶାସନର ନିଦ ହଜିଯାଇଛି। ସାରା ଦେଶରୁ ହଜାର ହଜାର ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିବାରୁ ସେମାନଙ୍କୁ ଠାବ କରିବା ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ବାଦରେ ଜାଣିବା କାଠିକର ହୋଇପଡ଼ିଛି।

ଭାରତରେ ସରକାରୀ ତଥ୍ୟ ଅନୁସାରେ ଏଯାବତ୍‌ ୧୨୫୧ ଜଣ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୨ ଜଣଙ୍କର ମୃତ୍ୟୁ ହୋଇଛି।

Comments are closed.