Odisha Link
Bridging the Missing Links in Odisha

ଶାଢ଼ୀ ଚ୍ୟାଲେଞ୍ଜ୍‌କୁ ସାବଧାନ: ସାଇବର ଅପରାଧୀ କରୁଛନ୍ତି ଅଶ୍ଳୀଳ ବ୍ୟବସାୟ

ଓଏଲ୍‌ ବ୍ୟୁରୋ: ପୂର୍ବରୁ ଆପଣ ଡିପ୍‌ଫେକ୍‌ କଥା ଶୁଣିଥିଲେ, ଯେଉଁଠି ଜଣକର ଭିଡିଓ ବା ଚିତ୍ରକୁ ଏଭଳି ବ୍ୟବହାର କରାଯିବ ଯେ ନିଜେ ସେ ବ୍ୟକ୍ତି ମଧ୍ୟ ପ୍ରମାଣିତ କରିପାରିବ ନାହିଁ ତାହା ମିଛ ବୋଲି। ଡିପ୍‌ଫେକ୍‌ରେ ଜଣେ ବ୍ୟକ୍ତିର ଅଜାଣତରେ ତା’ର ଭାଷଣ ଓ ଭିଡିଓ ଆଦି ପ୍ରସ୍ତୁତ ହୋଇପାରୁଛି ଯାହାକୁ ଲୋକେ ଏପରିକି ଗଣମାଧ୍ୟମ ବି ପରତେ ଯାଉଛି। ତେବେ ଆଉ ଏକ ଶବ୍ଦ ବାବଦରେ ଆପଣ ଉଣାଅଧିକେ ପରିଚୟ ଥାଇପାରନ୍ତି- ଡିପ୍‌ନ୍ୟୁଡ୍। ଅର୍ଥାତ୍‌ ଲଙ୍ଗଳା ନ ହୋଇ ମଧ୍ୟ ଜଣେ ବ୍ୟକ୍ତିର, ବିଶେଷ କରି ମହିଳାଙ୍କର ଉଲଗ୍ନ ଚିତ୍ର ଓ ଭିଡିଓ ପ୍ରସ୍ତୁତ ହୋଇପାରୁଛି ଯାହାକୁ ସହଜରେ ଜଣେ ମିଛ ବୋଲି ଧରିପାରିବ ନାହିଁ।

ଏବେ ଲକ୍‌ଡାଉନ୍‌ ସମୟରେ ସୋସିଆଲ ମିଡିଆରେ ମହିଳାମାନଙ୍କର ଶାଢ଼ୀ ଚ୍ୟାଲେଞ୍ଜ୍‌ ବେଶ୍‌ ପ୍ରସିଦ୍ଧି ପାଇଥିବା ବେଳେ ଏହାକୁ ଅସ୍ତ୍ର କରି ସାଇବର ଅପରାଧୀ ଆରମ୍ଭ କରି ଦେଇଛନ୍ତି ‘ଡିପ୍‌ନ୍ୟୁଡ୍‌’ ବ୍ୟବସାୟ। ଶାଢ଼ୀ ଚ୍ୟାଲେଞ୍ଜରେ ମହିଳାମାନେ ଭଳିକି ଭଳି ଶୈଳୀର ଫଟୋ ପୋଷ୍ଟ କରୁଥିବା ବେଳେ ଏହାକୁ ବ୍ୟବହାର କରି ସାଇବର ଅପରାଧୀ ମହିଳାମାନଙ୍କର ଉଲଗ୍ନ ଚିତ୍ର ପ୍ରସ୍ତୁତ କରୁଛନ୍ତି ବୋଲି ଦ ହିନ୍ଦୁରେ ଏକ ରିପୋର୍ଟ ପ୍ରକାଶ ପାଇଛି।

ମହାରାଷ୍ଟ୍ରର ସାଇବର ଅପରାଧ ସେଲ୍‌ ଏକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆଣିଛି। ଡିପ୍‌ନ୍ୟୁଡ୍‌ ନାମରେ ଏକ ଓ୍ବାବସାଇଟ୍‌ ରହିଛି, ଯାହା ଏବେ ଲକ୍‌ଡାଉନ୍‌ ସମୟରେ ବେଶ୍‌ ପ୍ରସିଦ୍ଧି ପାଇଛି। ପୂର୍ବରୁ ଏହି ଓ୍ବେବସାଇଟ୍‌ ବନ୍ଦ ଥିବା ବେଳେ କରୋନା ଭୟାବହତା ସମୟରେ ପୁଣି ସକ୍ରିୟ ହୋଇଛି। ଏହି ଓ୍ବେବସାଇଟ୍‌ ସାଇବର ଅପରାଧୀ ଏପରିକି ଉତ୍ସୁକ ସାଧାରଣ ମଣିଷକୁ ଉଲଗ୍ନ ଛବି ପ୍ରସ୍ତୁତ କରିବାରେ ବେଶ୍‌ ସହାୟକ ହେଉଛି। ଯେ କୌଣସି ଆବୃତ୍ତ ଫଟୋ ଏହି ଓ୍ବେବସାଇଟ୍‌ରେ ଲୋଡ୍‌ କଲେ ଏଥିରେ ଥିବା କୃତ୍ରିମ ବୁଦ୍ଧିମତା (Artificial Intelligence) ସେହି ଫଟୋକୁ ଏକ ଉଲଗ୍ନ ଛବିରେ ପରିଣତ କରି ଦେଇପାରୁଛି। କେବଳ ଏହି ଓ୍ବେବସାଇଟ୍‌ ନୁହେଁ, ଏଭଳି ସୁବିଧା ଥିବା ବହୁ ଆପ୍‌ ଓ ଏକ ଟ୍ବିଟର ହାଣ୍ଡଲ ମଧ୍ୟ ରହିଥିବା ମହାରାଷ୍ଟ୍ର ପୁଲିସ ପକ୍ଷରୁ ଜଣାଯାଇଛି।

ଏହି ସବୁ ଆପରାଧିକ ସୁବିଧା ବ୍ୟବହାର କରି ସାଇବର ଅପରାଧୀମାନେ ମହିଳାଙ୍କୁ ବ୍ଲାକ୍‌ମେଲ କରିବା, ନକଲି ଆକାଉଣ୍ଟ ତିଆରି କରିବା ବା ପର୍ଣ୍ଣ ସାଇଟ୍‌ରେ ଫଟୋ ଛାଡ଼ିବା ପରି କାରନାମା କରୁଛନ୍ତି। ଶାଢ଼ୀ ଚ୍ୟାଲେଞ୍ଜରେ ଜଣେ ବ୍ୟକ୍ତିର ବିଭିନ୍ନ ଶୈଳୀରେ ଏକାଧିକ ଫଟୋ ସହଜରେ ମିଳିଯାଉଥିବାରୁ ଏସବୁକୁ ସାଇବର ଅପରାଧୀ ବ୍ରବହାର କରିବାର ଆଶଙ୍କା ଅଧିକ ରହିଛି।

Comments are closed.