କରୋନା ହଟ୍ସ୍ପଟ କାଲବୁର୍ଗି ରଥଯାତ୍ରାରେ ଭାଗନେଲେ ଶତାଧିକ, ୫ ଗିରଫ

ବେଙ୍ଗାଲୁରୁ: ଲକ୍ଡାଉନ୍ ନିୟମକୁ ଭାଙ୍ଗି କାଲବୁର୍ଗି ଜିଲ୍ଲାରେ ରଥଯାତ୍ରା ଆୟୋଜନ କରିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି ପୁଲିସ। କାଲବୁରଗି ଜିଲ୍ଲା ଦେଶର ଅନ୍ୟତମ କରୋନା ହଟସ୍ପଟ ହୋଇଥିବା ବେଳେ ଏଠାରେ ଏଭଳି ନିୟମ ଉଲ୍ଲଂଘନ ସରକାରଙ୍କ କରୋନା ନିୟନ୍ତ୍ରଣ ନୀତିକୁ କୁଠାରଘାତ କରିଛି।
ଗୁରୁବାର ଦିନ କାଲବୁର୍ଗି ଜିଲ୍ଲାର ରାଭୁର ଗାଁରେ ଥିବା ସିଦ୍ଧଲିଙ୍ଗେଶ୍ବର ଶିବ ମନ୍ଦିରର ବାର୍ଷିକ ରଥଯାତ୍ରା ଆୟୋଜନ ହୋଇଥିଲା। ପୂର୍ବ ବର୍ଷ ମାନଙ୍କ ଭଳି ଏଥର ଆଡ଼ମ୍ବର ପୂର୍ଣ୍ଣ ନ ହେଲେ ହେଁ ପ୍ରଶାସନର ବାରଣ ସତ୍ତ୍ବେ ଶତାଧିକ ଲୋକ ଏହି ରଥଯାତ୍ରାରେ ଭାଗ ନେଇ ଶିବଙ୍କର ରଥ ଟାଣିଥିଲେ। ମାତ୍ର ୧୫-୨୦ ମିନିଟରେ ରଥଯାତ୍ରା ଶେଷ କରି ଦିଆଯାଇଥିଲା। ପୂର୍ବରୁ ଦିବସ ବ୍ୟାପୀ ହେଉଥିବା ଏହି ଯାତ୍ରାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇଥାଆନ୍ତି।
ପୂର୍ବରୁ ସ୍ଥାନୀୟ ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟି ମଧ୍ୟରେ ଏ ନେଇ ଆଲୋଚନା ହୋଇଥିଲା। ଲକ୍ଡାଉନ୍କୁ ଦୃଷ୍ଟିରେ ରଖି ଏଥର ରଥଯାତ୍ରା କରାଯିବ ନାହିଁ ବୋଲି ମନ୍ଦିର କମିଟି ରାଜି ହୋଇଥିଲେ। ତେବେ ପରେ ସରକାରୀ କଟକଣା ଭୁଲି ଅଳ୍ପ ଲୋକରେ ରଥଯାତ୍ରା ଆୟୋଜନ କରିବାକୁ ଆଗେଇ ଆସିଥିଲେ। ଏହି ଘଟଣାରେ ଗତକାଲି ୫ ଜଣ ଆୟୋଜକଙ୍କୁ ଗିରଫ କରିଛି ଜିଲ୍ଲା ପୁଲିସ। ଏହା ସହ ଜଣେ ଜିଲ୍ଲା ଅଧିକାରୀଙ୍କ ସମେତ ସ୍ଥାନୀୟ ସବଇନିସପେକ୍ଟରଙ୍କୁ ନିଲମ୍ବିତ କରାଯାଇଛି।