ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ଦାବି କଲା କର୍ମଚାରୀ ସଂଘ

ଭୁବନେଶ୍ବର: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ମହାମାରୀର ମୁକାବିଲା କରୁଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଏହି କରୋନା ଜନିତ ମୃତ୍ୟକାଳୀନ ସହାୟତା ରାଶି ୫୦ ଲକ୍ଷ ଓ ଆଜୀବନ ପୁର୍ନବେତନ ପ୍ରଦାନ ସହ ସେମାନଙ୍କୁ ସହିଦର ମାନ୍ୟତା ପ୍ରଦାନ କରିଛନ୍ତି ,ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ତରଫରୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ମହାସଂଘର ସଭାପତି ବିଜୟ ମଲ୍ଲ।
କରୋନା ଭଳି ମହାମାରୀ ର ମୁକାବିଲା ପାଇଁ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ସହ ଅନ୍ୟ ବିଭାଗର କର୍ମଚାରୀମାନେ ମଧ୍ୟ ଯୋଧ୍ୟା ଭାବେ କିପରି ସରକାରୀ କଳ ସୁଚାରୁରୂପେ ଚାଲିପରିବ ଓ ଅତ୍ୟାବଶ୍ୟକ ସେବା ସାଧାରଣ ଲୋକଙ୍କ ପାଖରେ ଉପଲବ୍ଧ ହୋଇପାରିବ ସେପାଇଁ ଦିନରାତି କାମ କରୁଛନ୍ତି। ଏହି ଯୁଦ୍ଧରେ ମୁଖ୍ୟ ସୈନ୍ୟ ସାଜିଛନ୍ତି ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ହତଭାଗା ଯୁବ ଚୁକ୍ତିଭିତ୍ତିକ କର୍ମଚାରୀଗଣ। ରାଜ୍ୟ ସରକାରଙ୍କ ଏହି କୁତ୍ସିତ ଚୁକ୍ତିଭିତ୍ତିକ ନିୟମରେ ମାତ୍ର ୮୮୮୦ ଟଙ୍କା ମାସିକ ବେତନରେ ଯାହାକି ନିଜର ସପ୍ତମ ବେତନର ମୂଳ ଦରମା ବି ସରକାର ପଦାନ କରୁନାହାନ୍ତି, ସେମାନଙ୍କର ଜୀବନ ଓ ଜୀବିକା ଆଜି ସଙ୍କଟାପନ୍ନ ଅବସ୍ଥାରେ ଅଛି। ବିଶ୍ଵାସ ଓ ଭରସାର ମୁଳୁଦୁଆ ଉପରେ ଛିଡାହେଇଥିବା ଗଣତାନ୍ତ୍ରିକ ବ୍ୟବସ୍ଥାକୁ ମଧ୍ୟ ବେଖାତିର କରାଯାଇ ତଳଶ୍ରେଣୀୟ କର୍ମଚାରୀ ମାନଙ୍କ ଉପରେ ଚୁକ୍ତିଭିତ୍ତିକ ଭଳି ଏକ କୁତ୍ସିତ ପ୍ରଥାକୁ ସରକାର ଲଦିଦେଇଛନ୍ତି, ଅସହାୟ କର୍ମଚାରୀ ମାନଙ୍କ ସହ ସମସ୍ତ ଆଲୋଚନା ପର୍ଯ୍ୟାଲୋଚନା ପ୍ରତିଶ୍ରୁତି ଆଜି ମୂଲ୍ୟହୀନ ଓ ଅର୍ଥହୀନ ହୋଇ ପଡୁଛି ବୋଲି କହିଛନ୍ତି ସଭାପତି ବିଜୟ ମଲ୍ଲ।
ପ୍ରତ୍ୟେକ ଦିନ ସଠିକ ସମାଚାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ମାନ ଘରେଘରେ ପହଞ୍ଚାଉଥିବା ସାମ୍ବାଦିକ ବନ୍ଧୁଙ୍କ ନିମନ୍ତେ କରୋନା ଜନିତ ମୃତ୍ୟକାଳୀନ ବୀମା ୧୫ ଲକ୍ଷ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ଏଥି ସହ ସମସ୍ତ କର୍ମଚାରୀ ମାନକୁ ଏହି ବୀମାରେ ଅନ୍ତର୍ଭୁତ କରିବା ପାଇଁ ଅନୁରୋଧ କରିଛନ୍ତି ଶ୍ରୀ ମଲ୍ଲ।
ଏହି ଅସହାୟ ଉଚ୍ଚଶିକ୍ଷିତ ଯୁବ କର୍ମଚାରୀଙ୍କ ଉପରେ ଲଦା ହୋଇଥିବା ୬ ବର୍ଷିଆ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥାକୁ ଉଛେଦ ସହ ସପ୍ତମ ବେତନ ଅନୁଯାଇ ଦରମା ପ୍ରଦାନ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ତରଫରୁ ଅନୁରୋଧ କରିଛନ୍ତି ସଭାପତି ବିଜୟ ମଲ୍ଲ।