ଲକ୍ଡାଉନ୍: ୬୦ ଘଣ୍ଟାର ଯାତ୍ରା, ଜନ୍ମ ମାଟିରେ ପହଞ୍ଚିଲେ ପ୍ରବାସୀ ଓଡ଼ିଆ

ଆସିକା: ଜନ୍ମ ମାଟିରେ ପହଞ୍ଚିଲେ ପ୍ରବାସୀ ଓଡ଼ିଆ। ୬୦ ଘଣ୍ଟାରୁ ଅଧିକ ସମୟ ଯାତ୍ରା କରି ୨୧୭ଜଣ ପ୍ରବାସୀ ଓଡ଼ିଆ ଗଞ୍ଜାମରେ ପହଞ୍ଚିଛନ୍ତି। ଗୁଜରାଟ ସୁରତରୁ ବାହାରିଥିବା ୪ଟି ବସ୍ ଗତକାଲି ବିଳମ୍ବିତ ରାତିରେ ଶେରଗଡ ଓ ଧରାକୋଟରେ ପହଞ୍ଚିଥିଲା।
ପୂର୍ବ ବ୍ୟବସ୍ଥା ଅନୁଯାୟୀ, ସେମାନଙ୍କୁ ସିଧାସଳଖ ଧରାକୋଟ ଆଦର୍ଶ ବିଦ୍ୟାଳୟ ଓ ଶେରଗଡ ଆଦର୍ଶ ବିଦ୍ୟାଳୟରେ ହୋଇଥିବା ସରକାରୀ କ୍ୱାରେଣ୍ଟିନ ସେଣ୍ଟରରେ ରଖାଯାଇଛି। ସେମାନଙ୍କୁ ଘରକୁ ଛଡାଯିବ ନାହିଁ, କି ସେମାନଙ୍କୁ ଭେଟିବାକୁ କାହାକୁ ଅନୁମତି ମିଳିବ ନାହିଁ।
କରୋନା ସଂକ୍ରମିତ ରାଜ୍ୟରୁ ଆସିଥିବାରୁ ସେମାନଙ୍କର ସ୍ୱାବ ଟେଷ୍ଟ କରାଯିବା ସହ ୧୪ ଦିନ ପାଇଁ କ୍ୱାରେଣ୍ଟିନରେ ରଖାଯିବ। ଗତ ସୋମବାର ଦିନ ଏହି ପ୍ରବାସୀ ଓଡ଼ିଆ ୪ଟି ବସ୍ ରିଜର୍ଭ କରି ନିଜ ଖର୍ଚ୍ଚରେ ସୁରତରୁ ଗଞ୍ଜାମ ଅଭିମୁଖେ ବାହାରିଥିଲେ। ଏଥିପାଇଁ ସୁରତ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ଅନୁମତି ପ୍ରଦାନ କରାଯାଇଥିଲା।
ପୁଣି ଓଡ଼ିଶା ଅଭିମୁଖେ ସୁରଟରୁ ବାହାରିଲା ଆଉ ଗୋଟିଏ ବସ। ବୁଧବାର ରାତିରେ ଏହି ବସ୍ ସୁରଟରୁ ଓଡ଼ିଶା ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଏନେଇ ଆନୁଷ୍ଠାନିକ ଭାବେ ଅନୁମତି ଦେଇଛନ୍ତି ସୁରଟ ପ୍ରଶାସନ। ଏହି ବସ୍ ଟିରେ ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାର ୫୬ ଜଣ ଯାତ୍ରୀ ଅଛନ୍ତି । ସେହିପରି ଆଜି ସୁରଟରୁ ତିନିଟି ବସ ବାହାରିବ। ଗୋଟିଏ ବସ୍ ଗଂଜାମ , ଦୁଇଟି ଭଦ୍ରକ ଜିଲ୍ଲାର ତିହିଡି ଆସୁଥିବା ଜଣାପଡିଛି। ସୁରଟ ପ୍ରଶାସନର ଚିଠି ଅନୁସାରେ ଗଂଜାମ ଜିଲ୍ଲାର ଗୁଣଗୁଣପୁର ଗାଁ ବୋଲି ଉଲ୍ଲେଖ ରହିଛି । ସେହିପରି ଅନ୍ୟ ଦୁଇଟି ବସ୍ ତିହିଡି ଅନ୍ତର୍ଗତ ଶ୍ୟାମସୁନ୍ଦପୁର ଆସୁଛି। ଏହି ତିନିଟି ବସରେ ୧୭୧ ଜଣ ପ୍ରବାସୀ ଓଡିଆ ଆସୁଥିବା ସୂଚନା ମିଳିଛି ।