୯୦୦ ବର୍ଷ ତଳେ ମାସାଧିକ କାଳ ହଜିଯାଇଥିଲା ଜହ୍ନ, ଏବେ କାରଣ ପାଇଲେ ବୈଜ୍ଞାନିକ

ପ୍ରାୟ ୯୦୦ ବର୍ଷ ତଳେ ପୃଥିବୀ ଆକାଶରେ ମାସାଧିକ କାଳ ଚନ୍ଦ୍ର ଦେଖିବାକୁ ମିଳିନଥିଲା। ଏହି ସମୟ ତକ ସବୁ ରାତି ଥିଲା ଅନ୍ଧକାରାଛନ୍ନ। ତେବେ ଦୀର୍ଘଦିନରୁ ବୈଜ୍ଞାନିକମାନେ ଏହା ପଛର କାରଣ ସନ୍ଧାନରେ ଲାଗିଥିଲେ ବି ନିକଟରେ ଏ ରହସ୍ୟ ଉପରୁ ପରଦା ହଟିଛି।
ବିଭିନ୍ନ ପୁରୁଣା ପାଣ୍ଡୁଲିପି ଆଧାରରେ ଜଣାଯାଏ ଯେ ୧୧୧୦ ମସିହା ମେ’ ୫ ତାରିଖ ରାତିରେ ଚନ୍ଦ୍ରଗ୍ରହଣ ପଡ଼ିଥିଲା। ତେବେ ସେହି ଚନ୍ଦ୍ରଗ୍ରହଣ ସମୟରେ ମାସାଧିକ ପାଇଁ ଜହ୍ନକୁ ଗ୍ରହଣ ଲାଗିଗଲା। ସେହି ରାତିରୁ ହଠାତ ଆକାଶରୁ ଉଭାନ ହୋଇଗଲା ଚନ୍ଦ୍ର। ୟୁରୋପ୍ ଆକାଶକୁ ହଠାତ ଖେଦିଗଲା ଅନ୍ଧାର। ମାସ ମାସ ଧରି ଲୋକାମାନେ ରାତିରେ ଜହ୍ନ ଆଲୁଅରୁ ବଞ୍ଚିତ ହେଲେ।
ନିକଟରେ ବିଜ୍ଞାନ ପତ୍ରିକା “ସାଇନ୍ସ”ରେ ପ୍ରକାଶିତ ଏକ ରିପୋର୍ଟରେ ଏହି ରହସ୍ୟ ଉପରୁ ପରଦା କାଢ଼ିଛନ୍ତି ବୈଜ୍ଞାନିକ। ୧୧୦୯ ମସିହାରେ ଆଣ୍ଟାର୍କଟିକାରେ, ୧୧୦୮ରୁ ୧୧୧୩ ମଧ୍ୟରେ ଗ୍ରୀନ୍ଲାଣ୍ଡରେ ବରଫରେ ସଲଫେଟ୍ ଅତ୍ୟଧିକ ଥିବା ଜଣାପଡ଼ିଛି। ଏହା ପଛରେ ଏକ ବିଶାଳ ଆଗ୍ନେୟ ଉଦ୍ଗୀରଣ ରହିଛି ବୋଲି ବୈଜ୍ଞାନିକମାନେ ଦାବି କରୁଛନ୍ତି। ଏହି ଉଦ୍ଗୀରଣର ତୀବ୍ରତା ଏତେ ଯେ ୧୧୦୮ ମସିହା ଠାରୁ ବହୁ ବର୍ଷ ଯାଏଁ ଏହି କାରଣୁ ବିଶ୍ବ ସାରା ଏରୋସଲ୍ (କୁହୁଡ଼ି କଣିକା) ବର୍ଷା ହୋଇଥିଲା।
ଏହି ଗବେଷଣା ସହ ଆଉ ଏକ ଗବେଷଣା ମଧ୍ୟ ଜଡ଼ିତ ରହିଛି। ବୈଜ୍ଞାନିକମାନେ ୟୁରୋପ, ଏସିଆ ଓ ଉତ୍ତର ଆମେରିକାର କାଠଗଣ୍ଡି ଉପରେ ଗବେଷଣା କରି ଜାଣିବାକୁ ପାଇଛନ୍ତି ଯେ ୧୧୦୯ ମସିହାରେ ଅନ୍ୟ ସମୟ ଅପେକ୍ଷା ତାପମାତ୍ରା ଗୋଟିଏ ଡିଗ୍ରୀ କମ ରହିଥିଲା। ଆଗ୍ନେୟଗିରି ଉଦ୍ଗୀରଣ ଜନିତ କୁହୁଡ଼ିକଣିକା ବଳୟ ଯୋଗୁଁ ସୂର୍ଯ୍ୟକିରଣ କମ ଆସିବା ଓ ଚନ୍ଦ୍ର ଆଦୌ ଦୃଶ୍ୟମାନ ନହେବା ହେତୁ ତାପମାତ୍ରା କମ ଥିଲା ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି।
ସାରା ବିଶ୍ବକୁ ମାସ ମାସ ଏରୋସଲ୍ରେ ଘୋଡ଼େଇ ରଖିଥିବା ସେ ଆଗ୍ନେୟଗିରି କେତେ ବିଶାଳ ଥିବ, ଭାବନ୍ତୁ!