୨୬ ମେ’ରୁ ମାଟ୍ରିକ୍ ଖାତା ଦେଖା

ଭୁବନେଶ୍ବର: ବାତ୍ୟା ଅମ୍ପାନ୍ ପାଇଁ ସ୍ଥଗିତ ଥିବା ମାଟ୍ରିକ୍ ଖାତା ଦେଖା ଆସନ୍ତା ୨୬ ତାରିଖରୁ ହେବ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ବିଭାଗ ପକ୍ଷରୁ ଚିଠି ଲେଖି ଖାତାଦେଖା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ କୋଭିଡ୍-୧୯ ଗାଇଡଲାଇନ୍ କୁ ପାଳନ କରି ଖାତାଦେଖା ଆରମ୍ଭ କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି।
କୋଭିଡ୍-୧୯ ନିୟମାବଳୀ ଅନୁସାରେ ସାମାଜିକ ଦୂରତା ଏବଂ ସଚେତନତାକୁ ବଜାୟ ରଖି ଆସନ୍ତା ୨୬ରୁ ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ଆରମ୍ଭ କରିବାକୁ ଚିଠି ଜରିଆରେ ନିର୍ଦ୍ଦେଶ ଦିଆଯାଇଛି। ତେବେ ପ୍ରତି ମୂଲ୍ୟାୟନ କେନ୍ଦ୍ର ପାଇଁ ଜଣେ ନୋଡାଲ ଅଫିସର ଏବଂ ଜଣେ ଓଆରଏସ ଅଫିସରଙ୍କ ରହିବା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅପରପକ୍ଷେ ଜୁଲାଇ ଶେଷ ସୁଦ୍ଧା ବାହାରିବ ମାଟ୍ରିକ ରେଜଲ୍ଟ। କଟକ ବୋର୍ଡ କାର୍ଯ୍ୟାଳୟରେ ବସିଥିବା ବୈଠକରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏନେଇ ସୂଚନା ଦେଇଛନ୍ତି। ଖାତାଦେଖା ନେଇ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି। ଚଳିତ ବର୍ଷ କରୋନା ପାଇଁ ଖାତାଦେଖାରେ ବିଳମ୍ବ ହୋଇଛି। ଗତ ୨୦ରୁ ମାଟ୍ରିକ ଖାତାଦେଖା ଆରମ୍ଭ ହେବ ବୋଲି ନିଷ୍ପତି ନିଆଯାଇଥିଲା। କିନ୍ତୁ ବାତ୍ୟା ପାଇଁ ଖାତା ଦେଖାକୁ ସ୍ଥଗିତ ରଖାଯାଇଛି । ତେବେ ଖୁବ ଶୀଘ୍ର ଖାତାଦେଖା ସରିବା ସହ ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ୍ ରେଜଲ୍ଟ ବାହାରିବ ବୋଲି ମନ୍ତ୍ରୀ କହିଛନ୍ତି।