Odisha Link
Bridging the Missing Links in Odisha

ଦିଲ୍ଲୀ ସରକାର, ବିଜ୍ଞାପନ ଓ ଦରମା

ଏକଥା ସତ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ତାଙ୍କ ସରକାରଙ୍କର ଆର୍ଥିକ ଅବସ୍ଥା ଖରାପ ହୋଇଯାଇଛି। ଏଥିପାଇଁ ସେମାନେ ସରକାରୀ କର୍ମଚାରୀଙ୍କୁ ଦରମା ଦେବା କଷ୍ଟକର ହୋଇ ପଡ଼ିଛି। ମୁଖ୍ୟମନ୍ତ୍ରୀ ଖୋଲାଖୋଲି ଓ ସ୍ପଷ୍ଟ ଶବ୍ଦରେ ଏକଥା କହିଛନ୍ତି। ଅଧିକାଂଶ ବିଷୟରେ ଜନସାଧାରଣଙ୍କୁ ଜଣାଇବା ଓ ବିଭିନ୍ନ ବିଷୟରେ ନିଷ୍ପତ୍ତି ନେବା ପୂର୍ବରୁ ଜନମତ ଲୋଡ଼ିବା ହେଉଛି ରାଜ୍ୟ ଶାସନ କରିବାରେ ତାଙ୍କର ଏକ ଶୈଳୀ। କେବଳ ଲକ୍‌ଡାଉନ୍ ଆରମ୍ଭଠାରୁ ଆଜି ପର୍ଯ୍ୟନ୍ତ ସମୟ ମଧ୍ୟରେ ସେ ଅଲଗା ଅଲଗା କଥାରେ ଦୁଇଥର ଜନମତ ଲୋଡ଼ି ସାରିଲେଣି।

ତେବେ ଦିଲ୍ଲୀ ସରକାରଙ୍କୁ ଟଙ୍କାର ଏତେ ଅଭାବ କାହିଁକି? କ’ଣ ଆପ୍ ସରକାର ସବୁ ଟଙ୍କା ଲୋକଙ୍କୁ ଅଧିକ ଜିନିଷ ଓ ସେବା ମାଗଣା ଦେବାରେ ଖର୍ଚ୍ଚ କରି ଦେଇଛନ୍ତି ଯାହା ଫଳରେ ଏବେ ଟଙ୍କାର ଅଭାବ ପଡ଼ୁଛି ?

ଆପ୍ ସରକାର ୨୦୧୪ ମସିହାରେ ପ୍ରଥମ ଥର କ୍ଷମତାକୁ ଆସିବାର ୭ ଦିନ ମଧ୍ୟରେ ନିର୍ବାଚନ ପ୍ରତିଶ୍ରୁତି ମୁତାବକ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ୍ ବାବଦରେ ଉପଭୋକ୍ତାଙ୍କ ଦେୟକୁ ଅର୍ଦ୍ଧେକ କରିଥିଲା। ସେ ବର୍ଷ ଦିଲ୍ଲୀ ବଜେଟର ଆକାର ଥିଲା ୩୦,୯୪୦ କୋଟି ଟଙ୍କା। ଇତିମଧ୍ୟରେ ଦିଲ୍ଲୀର ବିଦ୍ୟୁତ୍ ଯୋଗାଣର ନିରନ୍ତରତାରେ ରେକର୍ଡ ଉନ୍ନତି ଆସିଛି। ୨୦୧୪-୧୫ ବର୍ଷରେ ଦିଲ୍ଲୀରେ ପାଓ୍ବାର କଟ୍ ୦.୪% ଥିବାବେଳେ ୨୦୧୭-୧୮ ସୁଦ୍ଧା ଏହା ୬ ଗୁଣ ହ୍ରାସ ପାଇ ୦.୦୬%ରେ ପହଞ୍ଚିଯାଇଛି। ବିଦ୍ୟୁତ୍ ଭିତ୍ତିଭୂମିରେ ଅନେକ ଅର୍ଥ ଖର୍ଚ୍ଚ ହେବା ସହିତ ବିଦ୍ୟୁତ୍ ବିତରଣ କମ୍ପାନୀଗୁଡିକର ଆର୍ଥିକ ଅବସ୍ଥାରେ ମଧ୍ୟ ଉନ୍ନତି ଆସିଛି। ଆପଣ ଯଦି ଏଠାରେ ଓଡ଼ିଶାର ଉଦାହରଣ ଦେଖିବେ, ବିଦ୍ୟୁତ୍ ବିତରଣ କମ୍ପାନୀ ସେସୁର ମୁଖ୍ୟ ଅରୁଣ ବୋଥ୍ରା ନିଜ ପଦରୁ ଇସ୍ତଫା ଦେବା ପରେ କହିଛନ୍ତି ଯେ ତାଙ୍କ ସମୟରେ ସରବରାହ ଜନିତ କ୍ଷତି କମିବା ସହିତ କମ୍ପାନୀର ଆର୍ଥିକ ଅବସ୍ଥାରେ ଅନେକ ଉନ୍ନତି ଆସିଥିଲା। ମାତ୍ର ଏହି ଆର୍ଥିକ ଉନ୍ନତିର ଫାଇଦା ଉପଭୋକ୍ତାଙ୍କୁ ନ ଦେଇ ରାଜ୍ୟ ସରକାର କମ୍ପାନୀଟିକୁ ଟାଟା ପାଓ୍ବାର ହାତକୁ ଟେକି ଦେଲେ। ଗତ ନିର୍ବାଚନର କିଛି ମାସ ପୁର୍ବରୁ ଦିଲ୍ଲୀ ସରକାର ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ଦେୟ ମାଗଣା ଓ ୪୦୦ ୟୁନିଟ୍ ପର୍ଯ୍ୟନ୍ତ ଅର୍ଦ୍ଧେକ କରିଛନ୍ତି। ସେତେବେଳେ ବିରୋଧୀ ଦଳମାନେ ସମାଲୋଚନା କରିଥିଲେ ଯେ ଆପ୍ ସରକାର କେବଳ ନିର୍ବାଚନ ସରିବା ପର୍ଯ୍ୟନ୍ତ ଏହି ସୁବିଧା ଦେବ। ମାତ୍ର ନିର୍ବାଚନ ସରିବା ପରେ ମଧ୍ୟ ଆପ୍ ସରକାର ଏହି ବ୍ୟବସ୍ଥା ଜାରି ରଖିଛନ୍ତି। ଦିଲ୍ଲୀ ସରକାରଙ୍କର ଚଳିତ ବର୍ଷର ବଜେଟର ଆକାର ୬୫,୦୦୦ କୋଟି ଟଙ୍କା। ଚଳିତ ବର୍ଷର ଦିଲ୍ଲୀ ବଜେଟରେ ବିଦ୍ୟୁତ୍ ସବସିଡି ପାଇଁ ପୁରାବର୍ଷରେ ୨,୮୨୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ଅର୍ଥାତ୍ ମାସକୁ ୨୩୫ କୋଟି ଟଙ୍କା ସରକାରଙ୍କୁ ଏ ବାବଦରେ ଖର୍ଚ୍ଚ କରିବାକୁ ପଡ଼ିବ। କ’ଣ ଏତିକି ଟଙ୍କା ପାଇଁ ଦିଲ୍ଲୀ ସରକାରଙ୍କୁ କର୍ମଚାରୀଙ୍କୁ ବେତନ ଦେବା ପାଇଁ ଅର୍ଥ ଅଭାବ ପଡ଼ୁଛି ? ଦରମା ବାବଦରେ ଦିଲ୍ଲୀ ସରକାରଙ୍କର ମାସିକ ଖର୍ଚ୍ଚ ପ୍ରାୟ ୩,୫୦୦ କୋଟି ଟଙ୍କା ।

ଦିଲ୍ଲୀ ସରକାର ପ୍ରତ୍ୟେକ ଜଳସଂଯୋଗ ପାଇଁ ମାସିକ ୨୦ ହଜାର ଲିଟର ପର୍ଯ୍ୟନ୍ତ ଜଳ ମାଗଣା ଯୋଗାଇ ଦିଅନ୍ତି। ଏ ବାବଦରେ ସରକାରଙ୍କୁ ବେଶି ଟଙ୍କା ଖର୍ଚ୍ଚ କରିବାକୁ ପଡ଼େନାହିଁ। ବରଂ ଏହା ଯୋଗୁଁ ଦିଲ୍ଲୀରେ ଜଳ ଚୋରି କମିଛି ଓ ଅଧିକ ଅଞ୍ଚଳକୁ ପାଇପ୍ ଜଳ ଯୋଗାଣ ବିସ୍ତାରିତ ହୋଇଛି।

ଦିଲ୍ଲୀ ହେଉଛି ଦେଶର ଏକମାତ୍ର ସରକାର ଯିଏ ଚାଷୀମାନଙ୍କୁ ସ୍ବାମୀନାଥନ ଆୟୋଗଙ୍କ ଅବିକଳ ପ୍ରସ୍ତାବ ଅନୁଯାୟୀ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣ ଦରରେ ସର୍ବନିମ୍ନ ସହାୟକ ମୂଲ୍ୟ ଦେଉଛି। ଦିଲ୍ଲୀରେ ୩୪,୭୫୦ ହେକ୍ଟର ଚାଷ ଜମି ଅଛି । ସରକାର ଚଳିତ ବର୍ଷ ଏଥିପାଇଁ ୧୦୦ କୋଟି ଟଙ୍କାର ବ୍ୟୟ ବରାଦ ରଖିଛନ୍ତି। ଏହାକୁ କ’ଣ ଏକ ବାଜେ ଖର୍ଚ୍ଚ କୁହାଯିବ ଯାହାକୁ ବନ୍ଦ କରି କେଜରିୱାଲ ସରକାର କର୍ମଚାରୀଙ୍କୁ ବେତନ ଦେବା ପାଇଁ ଟଙ୍କା ଯୁଟାଇବେ?

ମହିଳାମାନଙ୍କ ପାଇଁ ଆପ୍ ସରକାର ବସ୍ ଯାତ୍ରା ମାଗଣା କରିଛନ୍ତି। ମାତ୍ର ଲକ୍‌ଡାଉନ୍ ସମୟରେ ବସ୍ ଚଳାଚଳ ବନ୍ଦ ଥିବାରୁ ସେ ବାବଦରେ ସରକାରଙ୍କୁ ଖର୍ଚ୍ଚ କରିବାକୁ ପଡ଼ୁନାହିଁ। ତେଣୁ ଦିଲ୍ଲୀ ସରକାର କେଉଁ ବାବଦରେ ଲୋକଙ୍କୁ ମାଗଣା ଦେଇ ଟଙ୍କା ଉଡ଼ାଉଛନ୍ତି ଯେ ସେଥିପାଇଁ ସେମାନଙ୍କୁ ଅର୍ଥାଭାବ ପଡୁଛି?

ଅନେକ ଥର ଆପ୍ ସରକାର ବିରୁଦ୍ଧରେ ବିରୋଧୀଦଳମାନେ ପ୍ରଚାର କରିଛନ୍ତି ଯେ ସେମାନେ ବିଜ୍ଞାପନରେ ଅଧିକ ଟଙ୍କା ଉଡ଼ାଉଛନ୍ତି। ଦିଲ୍ଲୀବାସୀଙ୍କ ଉପରେ ଏହି ପ୍ରଚାରର କୌଣସି ପ୍ରଭାବ ପଡ଼ୁ ନଥିଲେ ହେଁ, ଦିଲ୍ଲୀ ବାହାରେ ଆମ୍ ଆଦମୀ ପାର୍ଟି ଏଥିପାଇଁ ବଦନାମ ହେଉଛି। ୨୦୧୯ ମସିହା ଏପ୍ରିଲ୍ ୧ ତାରିଖରେ ‘ଦ ପ୍ରିଣ୍ଟ’ରେ ପ୍ରକାଶିତ ଏକ ଖବର ଅନୁଯାୟୀ ଆପ୍ ସରକାର ବିଜ୍ଞାପନରେ ବର୍ଷକୁ ହାରାହାରି ୬୮ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଅବଶ୍ୟ ପୂର୍ବରୁ କଂଗ୍ରେସ ସରକାର କରିଥିବା ହାରାହାରି ବିଜ୍ଞାପନ ଖର୍ଚ୍ଚର ଏହା ପ୍ରାୟ ୪ ଗୁଣ। ଅନ୍ୟ ପକ୍ଷରେ ଆପ୍ ସରକାରଙ୍କର ଯୁକ୍ତି ହେଉଛି ଏଥିରୁ ଅଧିକାଂଶ ରାଶି ସରକାରଙ୍କର ବିଭିନ୍ନ ଯୋଜନା ବିଷୟରେ ଜନସଚେତନତା ସୄଷ୍ଟି ବାବଦରେ ଖର୍ଚ୍ଚ ହୋଇଛି- ସ୍କୁଲ ପରିଚାଳନା କମିଟି ନିର୍ବାଚନରେ ଅଧିକ ଅବିଭାବକ ଅଂଶଗ୍ରହଣ ପାଇଁ, ଡେଙ୍ଗୁ ସଂକ୍ରମଣ ବିଷୟରେ ସାବଧାନତା ପାଇଁ କିମ୍ବା ବର୍ତ୍ତମାନର କରୋନା ସଂକ୍ରମଣ ଯୋଗୁଁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସତର୍କତା ପାଇଁ। ତେବେ ସେ ଯାହା ହେଉ ଏହି ଖର୍ଚ୍ଚ ବନ୍ଦ ହୋଇଗଲେ କ’ଣ କର୍ମଚାରୀଙ୍କୁ ବେତନ ଦେବା ପାଇଁ ଦିଲ୍ଲୀ ସରକାରଙ୍କ ପାଖରେ ଟଙ୍କା ବନ୍ଦୋବସ୍ତ ହୋଇଯିବ?

ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ଏମ୍ସ ସହିତ ବଡ଼ ବଡ଼ ହସ୍ପିଟାଲ୍ ରହିଥିବା ବେଳେ ସେସବୁରେ କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ୧୪୦୦ଟି ଶଯ୍ୟା ସଂରକ୍ଷିତ ରହିଛି। ଅନ୍ୟ ପକ୍ଷରେ ଦିଲ୍ଲୀର ଆପ୍ ସରକାରଙ୍କ ତରଫରୁ ପ୍ରାୟ ୯୦୦୦ରୁ ଅଧିକ ଶଯ୍ୟା ଏଥିପାଇଁ ସଂରକ୍ଷିତ ହୋଇଛି। ଶରୀରରେ ଭୂତାଣୁ ଧରି ଭାରତସାରା ଯେତେ ଲୋକ ଦେଶକୁ ଆସିଛନ୍ତି ସେମାନେ ପ୍ରାୟ ସମସ୍ତେ ଦେଶର ସବୁଠାରୁ ଗହଳି ବିମାନବନ୍ଦର ଦିଲ୍ଲୀ ଓ ମୁମ୍ବାଇ ମଧ୍ୟ ଦେଇ ଆସିଛନ୍ତି। ଆଜି ତାହାର ଫଳ ଏହି ଦୁଇଟି ସହର ଭୋଗୁଛି। ବିମାନରୁ ଓହ୍ଲାଇଥିବା ସାରା ଭାରତର ଲୋକଙ୍କୁ ସ୍କ୍ରିନିଂ କରିବାକୁ କେବଳ ଦିଲ୍ଲୀ ସରକାରଙ୍କର ଡାକ୍ତରମାନେ ଯାଇଥିଲେ। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଡାକ୍ତରମାନେ ସେ କାମରେ ନିୟୋଜିତ ହୋଇ ନଥିଲେ। ଯେତେବେଳେ ଦିଲ୍ଲୀରେ କରୋନାଜନିତ ମୄତ୍ୟୁସଂଖ୍ୟା କଥା ଆସେ ସେତେବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହସପିଟାଲରେ ହୋଇଥିବା ମୄତ୍ୟୁକୁ ଯୋଡି କେଜରିଓ୍ବାଲ ସରକାରଙ୍କ ମୁଣ୍ଡରେ ଲଦି ଦିଆଯାଏ। ଏପ୍ରିଲ୍ ପ୍ରଥମ ସପ୍ତାହରେ କେନ୍ଦ୍ର ସରକାର କରୋନା ପାଇଁ ରାଜ୍ୟ ସରକାରମାନଙ୍କୁ ୧୭,୨୮୭ କୋଟି ଟଙ୍କା ଦେଲେ। ଟଙ୍କା ପାଇଥିବା ରାଜ୍ୟମାନଙ୍କ ତାଲିକାରେ ଦିଲ୍ଲୀର ସ୍ଥାନ ନ ଥିଲା। କାରଣ ସ୍ଵରୁପ କୁହାଗଲା ଯେ ଦିଲ୍ଲୀ ଏକ କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ଏହି ଟଙ୍କା କେବଳ ରାଜ୍ୟଗୁଡିକ ପାଇଁ ଉଦ୍ଦିଷ୍ଟ ଥିଲା, ସତେ ଯେମିତି କରୋନା ଭୂତାଣୁ କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରବେଶ କରେନାହିଁ। ଦିଲ୍ଲୀରୁ କେନ୍ଦ୍ର ସରକାର ବାର୍ଷିକ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ଆୟକର ପାଆନ୍ତି। ମାତ୍ର ଅନ୍ୟ ରାଜ୍ୟଗୁଡିକ ଯେପରି ସମୁଦାୟ କେନ୍ଦ୍ରୀୟ କରର ୪୨%ରୁ ଏକ ନିର୍ଦ୍ଦିଷ୍ଟ ଭାଗ ପାଇଥା’ନ୍ତି ତାହା ଦିଲ୍ଲୀ ସରକାରଙ୍କୁ ମିଳେ ନାହିଁ। ତା’ ବଦଳରେ କେନ୍ଦ୍ର ସରକାର ବାର୍ଷିକ ମାତ୍ର ୩୨୫ କୋଟି ଟଙ୍କା ଦେଇଥାନ୍ତି ଯାହା ଗତ ୧୫ ବର୍ଷ ଧରି ବଢ଼ିନାହିଁ।

ଏସବୁ ସତ୍ତ୍ବେ ଦିଲ୍ଲୀ ସରକାର ଲକ୍‌ଡାଉନ୍ ସମୟରେ ପ୍ରାୟ ୧୦ ଲକ୍ଷ ପର୍ଯ୍ୟନ୍ତ ଅସହାୟ ଲୋକଙ୍କୁ ଦୁଇବେଳା ରନ୍ଧାଖାଦ୍ୟ ଯୋଗାଇ ଆସୁଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଅନ୍ୟରାଜ୍ୟରୁ ଆସିଥିବା ଶ୍ରମିକ। ଏବେ ସଙ୍କଟଗ୍ରସ୍ତ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ୫୦୦୦ ଟଙ୍କା ପଠାଇବା ପାଇଁ ସର୍ବଭାରତୀୟ ସ୍ତରରେ ଦାବି ହେଉଥିବା ବେଳେ ଦିଲ୍ଲୀ ସରକାର କିନ୍ତୁ ଗତ ଦୁଇମାସ ଧରି ହଜାର ହଜାର ଅଟୋଚାଳକ ଓ ନିର୍ମାଣ ଶ୍ରମିକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫୦୦୦ ଟଙ୍କା ଲେଖାଏଁ ପଠାଉଛନ୍ତି। ଅନେକ ସମୟରେ ଦିଲ୍ଲୀ ସରକାର ଆଗକୁ ଆସି ରାଜ୍ୟାନ୍ତର ଶ୍ରମିକ କିପରି ନିଜ ନିଜ ରାଜ୍ୟକୁ ଫେରିବେ ସେଥିପାଇଁ ସେମାନଙ୍କର ଟ୍ରେନ୍ ଟିକେଟ ଖର୍ଚ୍ଚ ବହନ କରିଛନ୍ତି। ଯେବେଠାରୁ ଆମ୍ ଆଦମୀ ପାର୍ଟି ଶାସନକୁ ଆସିଲାଣି ସେବେଠାରୁ ଲୋକଙ୍କ ହାତକୁ ଟଙ୍କା ଦେଇ ଓ ସେମାନଙ୍କୁ ଆର୍ଥିକ ରିହାତି ଦେଇ ସେମାନଙ୍କର କ୍ରୟଶକ୍ତି ବଢାଇବା, ବଜାରରେ ଚାହିଦା ସୄଷ୍ଟି କରିବା ଓ ତା’ ଦ୍ବାରା ଅର୍ଥନୀତିକୁ ଚଳଚଞ୍ଚଳ କରିବା ଏ ସରକାରର ଅର୍ଥନୀତି ଦର୍ଶନର ଏକ ମୁଖ୍ୟ ଅଙ୍ଗ ହୋଇ ରହି ଆସିଛି। ମାନବୀୟ ଦୄଷ୍ଟିକୋଣରୁ ଲକ୍‌ଡାଉନ୍ ସମୟରେ ଲୋକଙ୍କ ଆର୍ଥିକ ସଙ୍କଟ ସମୟରେ ସେମାନଙ୍କ ପାଖରେ ଛିଡ଼ା ହେବାର ଆବଶ୍ୟକତା ଆହୁରି ବଢ଼ିଯାଇଛି। କରୋନା ସଙ୍କଟ ଆରମ୍ଭର ବହୁ ପୁର୍ବରୁ ମଧ୍ୟ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି ଯାହା ବର୍ତମାନ ସମୟରେ ଆହୁରି ଘନିଭୂତ ହୋଇଛି। ସେବେଠାରୁ ଦେଶର ଅନେକ ଅର୍ଥଶାସ୍ତ୍ରୀ ଲୋକଙ୍କର କ୍ରୟଶକ୍ତି ବଢାଇ ବଜାରରେ ଚାହିଦା ସୄଷ୍ଟି ଉପରେ ଜୋର ଦେଇ ଆସୁଛନ୍ତି। ଆପ୍ ସରକାର ତାହା ହିଁ କରୁଛି।

ତେବେ ଏମିତି ଦେଖିବାକୁ ଗଲେ ଲକଡାଉନ୍ ସମୟରେ ଆଉ ଅନ୍ୟ ରାଜ୍ୟଗୁଡିକର ଆର୍ଥିକ ପରିସ୍ଥିତି କ’ଣ ଭଲ ଅଛି ? ଲକଡାଉନ୍ ସମୟରେ ମଦ ଦୋକାନ ବନ୍ଦ ଯୋଗୁଁ ରାଜ୍ୟଗୁଡିକର ଅବକାରୀ ଆୟ ପ୍ରାୟ ବନ୍ଦ ହୋଇଛି କହିଲେ ଚଳେ। ଏହି ସମୟରେ ଯାନବାହାନ କାଁ ଭାଁ ଚାଲିଥିବାରୁ ରାଜ୍ୟସରକାରଗୁଡ଼ିକ ପେଟ୍ରୋଲ ଓ ଡିଜେଲ ବିକ୍ରିରୁ ମିଳିବାକୁ ଥିବା ଭାଟ୍ ଆୟରୁ ମଧ୍ୟ ବଞ୍ଚିତ ହୋଇଛନ୍ତି। ଗାଡ଼ି ଓ ଜମିଜମା ବିକ୍ରିରୁ ରାଜ୍ୟ ସରକାରଙ୍କୁ ମିଳିବାକୁ ଥିବା ଟିକସ ଆୟ ମଧ୍ୟ ବନ୍ଦ ଅଛି। କେନ୍ଦ୍ର ସରକାର ନୂଆହୋଇ ଗଠିତ ପିଏମ୍-କେୟାରସ୍ ପାଣ୍ଠି ପାଇଁ ଦେଶ ବିଦେଶରୁ ଦାନ ଗ୍ରହଣ କରୁଛନ୍ତି। ଏହି ପାଣ୍ଠିକୁ କେତେ ଟଙ୍କା ଆସିଲାଣି, ସେଥିରୁ କେଉଁ ବାବଦରେ କେତେ ଖର୍ଚ୍ଚ ହେଲାଣି ଏବଂ କେଉଁମାନେ ଦାନ ଦେଇଛନ୍ତି ତାହା ଜାଣିବାର ସମସ୍ତ ରାସ୍ତା ବନ୍ଦ କରି ଦିଆଯାଇଛି। ବିଭିନ୍ନ କମ୍ପାନୀମାନେ ନିଜର ସି.ଏସ୍.ଆର୍ ଖର୍ଚ୍ଚ ବାବଦରେ ଏହି ପାଣ୍ଠିକୁ ଦାନ ଦେବାର ପ୍ରାବଧାନ ରହିଥିବା ବେଳେ ରାଜ୍ୟଗୁଡିକରେ ଥିବା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିଗୁଡ଼ିକୁ ଏହି ସୁବିଧାରୁ ବଞ୍ଚିତ କରାଯାଇଛି। ଏହି ସବୁ କାରଣରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ଆର୍ଥିକ ପରିସ୍ଥିତି ଅତି ଶୋଚନୀୟ ହୋଇ ପଡ଼ିଛି; କେବଳ ଦିଲ୍ଲୀର ନୁହେଁ।

ସେହି କାରଣରୁ ଅନ୍ୟ କେତେକ ରାଜ୍ୟର ସରକାରମାନେ ନିଜ କର୍ମଚାରୀମାନଙ୍କର ବେତନ କାଟ୍ କାର୍ଯ୍ୟକାରୀ କରିବା ଆରମ୍ଭ କରିସାରିଲେଣି। ତେଲେଙ୍ଗାନା ରାଜ୍ୟ କରୋନା ଯୋଗୁଁ କମ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ସେଠାର ରାଜ୍ୟ ସରକାର ନିଜର ଅଫିସରମାନଙ୍କର ଦରମାରୁ ୭୫% କାଟିଛନ୍ତି। ଆନ୍ଧ୍ର ପ୍ରଦେଶ ସରକାର ମଧ୍ୟ ଦୁଇମାସ ଧରି ସେହି ରାସ୍ତା ଆପଣାଇଛନ୍ତି। କେରଳ ସରକାର ହାଇକୋର୍ଟର ବାରଣ ସତ୍ତ୍ବେ ଏକ ଅଧ୍ୟାଦେଶ ବଳରେ ଦରମା କାଟ କାର୍ଯ୍ୟକାରୀ କରିଛନ୍ତି

ମହାରାଷ୍ଟ୍ର ଭଳି ଆମ ଓଡ଼ିଶା ସରକାର ମଧ୍ୟ ଜନପ୍ରତିନିଧି ଓ ଉଚ୍ଚପଦସ୍ଥ ଅଫିସର ମାନଙ୍କର ବେତନ ଦେଇ ନାହାନ୍ତି। ଆଉ ତ ଆଉ ଖୋଦ କେନ୍ଦ୍ର ସରକାର ଅନେକ ଘଟଣାରେ ନିଜ କର୍ମଚାରୀଙ୍କ ଦରମାରୁ କାଟି ପିଏମ୍-କେୟାର୍ସ ପାଇଁ ଟଙ୍କା ନେଇଥିବାର ଖବର ସାମନାକୁ ଆସିଛି। ଏଥିପାଇଁ କେନ୍ଦ୍ର ସରକାର ବିଧିବଦ୍ଧ ଭାବରେ ସର୍କୁଲାର୍ ମଧ୍ୟ ଜାରି କରିଛନ୍ତି।

ବିଜ୍ଞାପନରେ ଅର୍ଥ ବ୍ୟୟ କରି ଦିଲ୍ଲୀ ସରକାର ଦରମା ଦେବାକୁ ଅସମର୍ଥ ହୋଇଛନ୍ତି ବୋଲି ଯେଉଁ ଅପପ୍ରଚାର ଚାଲିଛି ତାହା ଅମୂଳକ। କେଜରିଓ୍ବାଲ ସରକାର ଏପର୍ଯ୍ୟନ୍ତ କର୍ମଚାରୀ ମାନଙ୍କର ଦରମା କାଟିବାର ନିଷ୍ପତ୍ତି ନେଇ ନାହାନ୍ତି। ବରଂ ସାମୟିକା ଭାବେ ଅର୍ଥାଭାବର ସାମନା କରିଥିବା ଏ ସରକାର କେନ୍ଦ୍ରକୁ ସହଯୋଗ ମାଗିଛନ୍ତି।

Comments are closed.