Odisha Link
Bridging the Missing Links in Odisha

କରୋନା: ଦିନକରେ ୯୮୫୧ ଆକ୍ରାନ୍ତ ଚିହ୍ନଟ, ୨୭୩ ମୃତ

ନୂଆଦିଲ୍ଲୀ: ଜୀବନ ଓ ଜୀବିକାକୁ ନଜରରେ ରଖି ସାରା ଦେଶରେ ପର୍ଯ୍ୟାୟକ୍ରମେ ଲକ୍‌ଡାଉନ୍‌ କଟକଣାକୁ କୋହଳ କରାଯାଉଛି। ହେଲେ ମହାମାରୀ କରୋନା ଭାଇରସ୍‌ ଭାରତରେ ଦିନକୁ ଦିନ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। ବିଗତ କିଛି ଦିନ ହେବ ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିକି ୨ ସପ୍ତାହ ମଧ୍ୟରେ ଦେଶରେ ୧ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୨ ଲକ୍ଷ ୨୬ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ ୯୮୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୨୭୩ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ପ୍ରଥମକରି ଦେଶରେ ଗୋଟିଏ ଦିନରେ ସର୍ବାଧିକ ଏତେ ସଂଖ୍ୟକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଅପରପକ୍ଷେ ୫୩୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆଜି ସକାଳ ୮ଟା ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୨୬,୭୭୦ରେ ପହଁଞ୍ଚିଛି। ସେମଧ୍ୟରୁ ୬୩୪୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏଥିସହିତ ୧,୧୦,୯୬୦ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଅପରପକ୍ଷେ ଏପର୍ଯ୍ୟନ୍ତ ୧,୦୯,୪୬୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହା ଦେଶବାସୀଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର।

ଦେଶରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବିଗତ କିଛି ଦିନ ହେବ ମୃତକଙ୍କ ସଂଖ୍ୟା ଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

Comments are closed.