Odisha Link
Bridging the Missing Links in Odisha

ଗୁଜୁରାଟ କଂଗ୍ରେସରେ ମହାନାଟକ, ୬୫ ବିଧାୟକଙ୍କୁ ସୁରକ୍ଷିତ ସ୍ଥାନକୁ ନେଲା କଂଗ୍ରେସ

ନୂଆଦିଲ୍ଲୀ: ସାରା ଦେଶ ମହାମାରୀ କରୋନା ସଙ୍କଟ ମଧ୍ୟରେ ଗତି କରୁଥିବା ସମୟରେ ଜୁନ୍‌ ୧୯ରେ ହେବ ରାଜ୍ୟସଭା ନିର୍ବାଚନ। ଯାହାକୁ ନେଇ ପୁଣିଥରେ ରାଜନୀତିରେ ଅଦଳବଦଳ ନୀତି ଆପଣେଇଛନ୍ତି ନେତା। ସେହିପରି ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗୁଜୁରାଟ କଂଗ୍ରେସରେ ଦେଖିବାକୁ ମିଳୁଛି ମହାନାଟକ।

ଗୁଜୁରାଟ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି ୩ କଂଗ୍ରେସ ବିଧାୟକ। ଗୁଜରାଟର କର୍ଜନ ବିଧାୟକ ଅକ୍ଷୟ ପଟେଲ, କପରଦା ବିଧାୟକ ଜିତୁ ଚୌଧୁରୀ ଏବଂ ମୋରବି ବିଧାୟକ ବ୍ରିଜେସ ମେରଜାଙ୍କ ଇସ୍ତଫା ଦେଇଛନ୍ତି। ପୂର୍ବରୁ ମାର୍ଚ୍ଚ ମାସରେ ୫ ଜଣ ବିଧାୟକଙ୍କ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ଆଉ ୩ ଜଣ ଇସ୍ତଫା ଦେଇଛନ୍ତି। ମୋଟ ୮ ବିଧାୟକଙ୍କ ଇସ୍ତଫା ପରେ ଦଳର ଚିନ୍ତା ବଢି ଯାଇଛି।

କଂଗ୍ରେସରୁ ଇସ୍ତଫା ଦେବା ପରେ ଏମାନେ ସମସ୍ତେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି। ୨୦୧୭ ବିଧାନସଭା ନିର୍ବାଚନରେ ଗୁଜରାଟରେ କଂଗ୍ରେସକୁ ମିଳିଥିଲା ୭୮ ଆସନ। ଏବେ ୮ ଜଣ ବିଧାୟକଙ୍କ ଇସ୍ତଫା ପରେ ଗୁଜରାଟରେ କଂଗ୍ରେସର ବିଧାୟକଙ୍କ ସଂଖ୍ୟା ୬୫କୁ ଖସି ଆସିଛି।

ରାଜ୍ୟସଭା ନିର୍ବାଚନ ଆଗରୁ ଗୁଜରାଟ କଂଗ୍ରେସରୁ ବିଧାୟକଙ୍କ ଇସ୍ତଫା ଧାରା ଆରମ୍ଭ ହୋଇଥିବାରୁ ଦଳ ଏବେ ୬୫ ବିଧାୟକଙ୍କୁ ନେଇ ତିନି ଭାଗ କରି ତିନୋଟି ହୋଟେଲରେ ରଖିଛି। ଆସନ୍ତା ଜୁନ୍ ୧୯ରେ ରହିଛି ରାଜ୍ୟସଭା ନିର୍ବାଚନ। ଗୁଜରାଟରେ ଏପରି ଘୋଡାବେପାର ପରେ କଂଗ୍ରେସ ଏବେ ନିଜ ବିଧାୟକଙ୍କୁ କିପରି ସୁରକ୍ଷିତ ରଖିବ ତାହା ଉପରେ ଜୋର୍ ଦେଇଛି। କଂଗ୍ରେସ ଏପରି ଘଟଣାକୁ ନେଇ ବିଜେପିକୁ ଟାର୍ଗେଟ କରିଛି। ଅପରପକ୍ଷେ ଗୁଜରାଟ ବିଜେପି ନେତା କହିଛନ୍ତି ଏହା କଂଗ୍ରେସ ଦଳର ଅନ୍ତରୀଣ ବ୍ୟାପାର।

୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭାରେ ବିଜେପି ନିକଟରେ ୧୦୩ ଏବଂ କଂଗ୍ରେସ ନିକଟରେ ୬୫ ବିଧାୟକ ରହିଛନ୍ତି। ଗୁଜରାଟ କଂଗ୍ରେସ ଜାତୀୟ ମୁଖପାତ୍ର ଶକ୍ତିସିନ ଗୋହିଲଙ୍କୁ ପ୍ରଥମ ପସନ୍ଦ ପ୍ରାର୍ଥୀ ଓ ଭରତସିନ ସୋଲଙ୍କୀଙ୍କୁ ଦ୍ୱିତୀୟ ପ୍ରାର୍ଥୀ ଘୋଷଣା କରିଛି। ରାଜ୍ୟସଭା ପାଇଁ ଜଣେ ପ୍ରାର୍ଥୀଙ୍କୁ ୩୫ ବିଧାୟକଙ୍କ ସମର୍ଥନ ଆବଶ୍ୟକତା ଥିବାରୁ ଗୁଜରାଟ କଂଗ୍ରେସରୁ ୮ ବିଧାୟକଙ୍କ ଇସ୍ତଫା ପରେ ଦ୍ୱିତୀୟ ପ୍ରାର୍ଥୀ ଭରତସିନ ସୋଲଙ୍କୀଙ୍କ ରାଜ୍ୟସଭା ଯିବା ଉପରେ ଆଶଙ୍କା ଦେଖା ଦେଇଛି।

Comments are closed.