Odisha Link
Bridging the Missing Links in Odisha

ଓଡ଼ିଶାରେ ୨ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରିବ ଆର୍ସେଲର୍-ମିତ୍ତଲ

ଭୁବନେଶ୍ୱର: କରୋନାରେ ସାରା ଦେଶ ଦହଗଞ୍ଜ ହେଉଥିବା ବେଳେ ଓଡ଼ିଶା ପାଇଁ ପୁଞ୍ଜିନିବେଶର ଖବର ଆସିଛି। ୨୦୦୯ ମସିହାରେ ଓଡ଼ିଶାରୁ ମୁହଁ ଫେରାଇ ନେଇଥିବା ଲକ୍ଷ୍ମୀ ମିତ୍ତଲ ପୁଣି ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହୀ ହୋଇଛନ୍ତି। ବିଶ୍ୱର ସର୍ବଶ୍ରେଷ୍ଠ ଷ୍ଟିଲ କମ୍ପାନି ଆର୍ସେଲର-ମିତ୍ତଲ ଓଡ଼ିଶାରେ ୨ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବା ନେଇ ସେ ଘୋଷଣା କରିଛନ୍ତି। ଏ ନେଇ କମ୍ପାନୀ ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀ ମିତ୍ତଲ ଭିଡିଓ କନଫରେନ୍ସିଂ ଜରିଆରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି।

କମ୍ପାନି ଓଡ଼ିଶାରେ ୨ ହଜାର କୋଟି ନିବେଶ କରିବ ବୋଲି ଘୋଷଣା କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ମାଧ୍ୟମରେ ପାରାଦୀପରେ ଥିବା ପେଲେଟ ପ୍ଲାଣ୍ଟର କ୍ଷମତା ୬ ନିୟୁତ ଟନ୍‌ରୁ ୧୨ ନିୟୁତ ଟନ୍ ଓ କେନ୍ଦୁଝରର ଥିବା ବେନିଫିସିଏସନ ପ୍ଲାଣ୍ଟର କ୍ଷମତା ୫ ନିୟୁତ ଟନ୍‌ରୁ ୧୬ ନିୟୁତ ଟନ୍‌କୁ ବୃଦ୍ଧି କରାଯିବ।

ଆର୍ସେଲର-ମିତ୍ତଲ ଏସାର୍ ଷ୍ଟିଲକୁ ଅଧିଗ୍ରହଣ କରିଥିବାରୁ ଓଡ଼ିଶାରେ ଥିବା ଏସାର୍‌ର ଇସ୍ପାତ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାର ସମ୍ଭାବନା ସୃଷ୍ଟି ହୋଇଛି। ଓଡ଼ିଶା ସରକାର ମଧ୍ୟ ଏ ନେଇ ଗତ କିଛି ମାସ ହେଲା ଆର୍ସେଲର-ମିତ୍ତଲ ସହ ଆଲୋଚନା କରୁଛନ୍ତି।

ଓଡ଼ିଶାର ପାରାଦୀପ ନିକଟରେ ଏକ ଷ୍ଟିଲ ପ୍ଲାଣ୍ଟ କରିବାକୁ ଏସାର ୨୦୦୫ରେ ଏମଓୟୁ କରିଥିଲା। କେନ୍ଦୁଝର ଜିଲ୍ଲାର ଡାବୁନାଠାରେ ଏସାର୍‌ର ଏକ ଲୁହାପଥର ବେନିଫିସିଏସନ ପ୍ଲାଣ୍ଟ ଓ ପାରାଦୀପଠାରେ ଏକ ପେଲେଟ ପ୍ଲାଣ୍ଟ ରହିଥିଲା। ଅଧିଗ୍ରହଣ ପରେ ଏସବୁ ପ୍ରକଳ୍ପ ଆର୍ସେଲର ମିତ୍ତଲ ହାତକୁ ଆସିଛି।

ସେହିପରି ଗତ ଫେବ୍ରୁଆରି ମାସରେ ଅନୁଷ୍ଠିତ ଖଣି ନିଲାମରେ ଆର୍ସେଲର ମିତ୍ତଲ କେନ୍ଦୁଝର ଜିଲ୍ଲାରେ ଥିବା ଠାକୁରାଣୀ ଓ ସାଗାସାହି ଲୁହାପଥର ଖଣିକୁ ହାତେଇଥିଲା। ଠାକୁରାଣୀ ପରି ଏକ ବଡ଼ ଲୁହାପଥର ଖଣି ହାତକୁ ଆସିବା ପରେ ଆର୍ସେଲର-ମିତ୍ତଲର ଲୁହାପଥର ଆବଶ୍ୟକତା ପୂରଣ ହୋଇପାରିବ। ତେଣୁ ସେ ଓଡ଼ିଶାରେ ଅଧିକ ପୁଞ୍ଜିନିବେଶର ଆଗ୍ରହ ଦେଖାଇଛି।

Comments are closed.