Odisha Link
Bridging the Missing Links in Odisha

ପରଲୋକରେ ମଧ୍ୟପ୍ରଦେଶର ରାଜ୍ୟପାଳ ଲାଲଜୀ ଟଣ୍ଡନ

ଭୋପାଳ: ଆଉ ନାହାନ୍ତି ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନ। ଆଜି ସକାଳୁ ତାଙ୍କର ପରଲୋକ ହୋଇଛି। ଲାଲଜୀଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ପୁଅ ଆଶୁତୋଷ ଟଣ୍ଡନ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ସେ ଟ୍ବିଟ୍‌ କରି ଲେଖିଛନ୍ତି, ‘ବାପା ଆଉ ନାହାନ୍ତି’।ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା।

ଲାଲଜୀ ଜୁନ୍ ୧୧ ତାରିଖ ଦିନ ନିଶ୍ବାସପ୍ରଶ୍ବାସ ନେବାରେ ଅସୁବିଧା ଅନୁଭବ କରିଥିଲେ। ଅସୁସ୍ଥତା ହେତୁ ତାଙ୍କୁ ଉତ୍ତରପ୍ରଦେଶର ଲକ୍ଷ୍ନୌ ସ୍ଥିତି ମେଦାନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କର ପରିଶ୍ରାରେ ଅସୁବିଧା ଥିବା ସହ ଜ୍ବର ମଧ୍ୟ ରହୁଥିଲା। ଡାକ୍ତରମାନେ ଚିକିତ୍ସା ପରେ ଜାଣିବାକୁ ପାଇଲେ ଯେ ତାଙ୍କର ଯତ୍କୃତ ସମସ୍ୟା ଅଛି। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଲାଲଜୀଙ୍କର କରୋନା ରିପୋର୍ଟ ନେଗେଟିଭ୍‌ ଥିଲା।

ଲାଲଜୀ ଟଣ୍ଡନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆମେ ଜଣେ କିମ୍ବଦନ୍ତୀ ନେତାଙ୍କୁ ହରାଇଲେ ବୋଲି ଟ୍ୱିଟ କରି ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ରାଷ୍ଟ୍ରପତି ।

ତାଙ୍କ ମୃତ୍ୟୁ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ମୋଦୀ ଏକ ଟ୍ବିଟ୍‌ କରି ଲେଖିଛନ୍ତି, ‘ସମାଜ ପାଇଁ ନିଜର ସେବା ମନୋବୃତ୍ତି ଯୋଗୁ ଲାଲଜୀ ଟଣ୍ଡନ ସଦା ମନେ ରହିବେ। ଉତ୍ତରପ୍ରଦେଶରେ ବିଜେପିର ସ୍ଥିତିିକୁ ସୁଦୃଢ଼ କରିବାରେ ସେ ଗୁୁରୁତତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଜଣେ ପ୍ରଭାବଶାଳୀ ପ୍ରଶାସକ ଭାବେ ମନେ ରହିବେ, ଯିଏକି ସଦା ସର୍ବସାଧାରଣଙ୍କ କଲ୍ୟାଣ ବିଷୟରେ ଚିନ୍ତା କରୁଥିଲେ। ତାଙ୍କ ବିୟୋଗରେ ମୁଁ ଦୁଃଖିତ।’

୧୯୩୫ ଏପ୍ରିଲ ୧୨ରେ ଜନ୍ମ ହୋଇଥିବା ଟଣ୍ଡନ ବିଜେପିର ଜଣେ ବରିଷ୍ଠ ନେତା ଥିଲେ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସହଯୋଗୀ ଥିଲେ। ୧୯୬୦ ମସିହାରୁ ଲାଲଜୀ ଟଣ୍ଡନଙ୍କ ରାଜନୀତିକ ଜୀବନ ଆରମ୍ଭ ହୋଇଥିଲା ।

୧୯୭୮ରୁ ୧୯୮୪ ମଧ୍ୟରେ ଟଣ୍ଡନ୍ ଦୁଇଥର ଉତ୍ତରପ୍ରଦେଶ ବିଧାନ ପରିଷଦର ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ ଏବଂ ୧୯୯୦ରୁ ୧୯୯୬ ପର୍ଯ୍ୟନ୍ତ ବିଧାନ ପରିଷଦର ନେତା ଭାବରେ ରହି ଆସିଥିଲେ। ସେ ୧୯୯୬ରୁ ୨୦୦୯ ମଧ୍ୟରେ ତିନି ଥର ଉତ୍ତର ପ୍ରଦେଶ ବିଧାନସଭା ସଦସ୍ୟ ଥିଲେ ଏବଂ ୨୦୦୩ରୁ ୨୦୦୭ ଯାଏ ବିଧାନସଭାରେ ବିରୋଧୀ ଦଳର ନେତା ରହିଥିଲେ। ସେ ବିଏସପି-ବିଜେପି ମିଳିତ ମଞ୍ଚ ଶାସନ କ୍ଷମତାରେ ଥିବାବେଳେ ନଗର ଉନ୍ନୟନ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।

Comments are closed.