Odisha Link
Bridging the Missing Links in Odisha

‘ରଙ୍ଗବତୀ ବିଲୁଙ୍ଗ’: ଗୀତ ପାଇଁ ବଦଳିଲା ଗାଁର ନାଁ

ଭୁବନେଶ୍ୱର: ଲୋକକଳା ଗୀତ ପାଇଁ ବଦଳିଗଲା ଗାଁର ନାଁ। ବିଶ୍ବାସ ହେଉ ନଥିଲେବି ଏକଥା ସତ। ପ୍ରସିଦ୍ଧ ଲୋକକଳା ଗୀତ ରଙ୍ଗବତୀ ଗୀତ ପାଇଁ ବଦଳିଯାଇଛି ଗାଁର ନାଁ। ସମ୍ବଲପୁରର ବିଲୁଙ୍ଗ ଗାଁର ନାଁ ଏବେଠୁ ‘ରଙ୍ଗବତୀ ବିଲୁଙ୍ଗ’ ନାଁରେ ପରିଚିତ ହେବ। ରାଜସ୍ୱ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ରଙ୍ଗବତୀ ହେଉଛି ଓଡ଼ିଶାର ଅନ୍ୟତମ ଲୋକକଳା ଗୀତ। ଏହି ଗୀତ ଖାଲି ଓଡ଼ିଶା ନୁହେଁ ବରଂ ବିଶ୍ୱରେ ବି ବେଶ ଲୋକପ୍ରିୟତା ସାଉଁଟି ପାରିଛି। ଏହି ରଙ୍ଗବତୀ ଗୀତର ସ୍ରଷ୍ଟା ହେଉଛନ୍ତି ମିତ୍ରଭାନୁ ଗୌନ୍ତିଆ। ତାଙ୍କ ଗାଁ ସମ୍ବଲପୁରର ବାମରା ବ୍ଲକର ବିଲୁଙ୍ଗ। ରଙ୍ଗବତୀ ଭଳି ମିତ୍ରଭାନୁ ବି ବେଶ ପ୍ରସିଦ୍ଧି ଲାଭ କରିଛନ୍ତି। ତେଣୁ ଗାଁର ନାଁ ରଙ୍ଗବତୀ କରିବା ପାଇଁ ସ୍ଥାନୀୟ ଲୋକମାନେ ସରକାରଙ୍କ ନିକଟରେ ଦାବି କରିଥିଲେ। ଏଭଳି ଏକ ପ୍ରସ୍ତାବ ରାଜସ୍ୱ ବିଭାଗକୁ ଦିଆଯାଇଥିଲା। ଆଜି ରାଜସ୍ୱ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ରଙ୍ଗବତୀ ଗୀତର ଲୋକପ୍ରିୟତା କେତେ ତାହା କେବଳ ଏଥିରୁ ଜାଣିହେବ ଯେ ଗୌନ୍ତିଆଙ୍କ ଗାଁ ବିଲୁଙ୍ଗର ପୁନଃନାମକରଣ କରାଯାଇଛି। ରଙ୍ଗବତୀ ଗୀତର ଏକ ଇତିହାସ ରହିଛି। ସମ୍ବଲପୁର ଆକାଶବାଣୀ କେନ୍ଦ୍ରର ‘ସୁରମାଳିକା’ କାର୍ଯ୍ୟକ୍ରମ ପାଇଁ ଏହି ଗୀତକୁ ପ୍ରଥମେ ରେକର୍ଡିଂ କରାଯାଇଥିଲା। ଏହା ୧୯୭୫-୭୬ ବର୍ଷର ଘଟଣା। ପରେ ଏହାକୁ ଡିସ୍କ ଫର୍ମାଟରେ ରେକର୍ଡିଂ କରାଗଲା। କଲିକତାର ଇଣ୍ଡିଆନ ରେକର୍ଡ କମ୍ପାନି ୧୯୭୮-୭୯ ଏହି ଗୀତର ଦାୟିତ୍ୱ ନେଇଥିଲା।

ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଜନ୍ମ ୧୯୪୨ରେ। ପନ୍ଦର ବର୍ଷ ବୟସରୁ ହିଁ ସେ ଗୀତ ଲେଖିବା ଆରମ୍ଭ କରିଥିଲେ। ପ୍ରକୃତିର ଜଣେ ଉପାସକ, ଗୌନ୍ତିଆ ତାଙ୍କ ଗୀତ ଜରିଆରେ ଜଙ୍ଗଲ ସୁରକ୍ଷା, ପ୍ରଦୂଷଣ, ଶିକ୍ଷା, ସାକ୍ଷରତା ଆଦି ବିଷୟରେ ସାମାଜିକ ସନ୍ଦେଶ ମାନ ପଠାଇଥା’ନ୍ତି। ତାଙ୍କର ଅନ୍ୟ କେତୋଟି ଲୋକପ୍ରିୟ ଗୀତ ହେଉଛି ମଲ୍ଲୀ, ଲଳିତା, ମୋହିନୀ, ଦ୍ରୌପଦୀ ହରଣ, ରକ୍ଷା କବଚ, ଗାଁ ଆମର ମା’, ପଖାଳ ଖୁରି ଥି ମହର, ଝାରବଣିଆ ଇତ୍ୟାଦି।

Comments are closed.