Odisha Link
Bridging the Missing Links in Odisha

ହାଇକୋର୍ଟଙ୍କ ଶୁଣାଣି ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାଜସ୍ଥାନରେ ଲାଗିରହିଥିବା ରାଜନୈତିକ ସଙ୍କଟ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ମାମଲାର ଶୁଣାଣି କରି ରାଜସ୍ଥାନ ହାଇକୋର୍ଟଙ୍କ ଶୁଣାଣୀ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ଫଳରେ ରାଜସ୍ଥାନ ବାଚସ୍ପତି ସିପି ଯୋଶୀଙ୍କୁ ନିରାଶ ହେବାକୁ ପଡ଼ିଛି।

ରାଜସ୍ଥାନ ହାଇକୋର୍ଟଙ୍କ ରାୟ ବିରୋଧରେ ଯୋଶୀ ସୁପ୍ରିମକୋର୍ଟ ଯାଇଥିଲେ। ତାଙ୍କ ପିଟିସନ ଉପରେ ଆଜି ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ବିଆର ଗାଭାଇ ଓ ଜଷ୍ଟିସ କ୍ରୀଷ୍ଣା ମୁରାରୀଙ୍କ ତିନି ଜଣିଆ ଖଣ୍ଡପୀଠ ଶୁଣାଣୀ କରିଥିଲେ। ଶୁକ୍ରବାର ଏନେଇ ହାଇକୋର୍ଟ ଚୂଡ଼ାନ୍ତ ରାୟ ଦେବାର ଥିବାବେଳେ ଏହାକୁ ସ୍ଥଗିତ ରଖିବା ପାଇଁ ଯୁକ୍ତି ଉପସ୍ଥାପନା କରାଯାଇଥିଲା। କିନ୍ତୁ ସୁପ୍ରିମକୋର୍ଟ ମନା କରିଦେଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ହାଇକୋର୍ଟଙ୍କ ନିଷ୍ପତ୍ତି ପ୍ରଥମେ ଆସିବ ଏବଂ ପରେ ସୋମବାର ପୁଣି ଶୁଣାଣି ହେବ। ଶୁଣାଣି ସମୟରେ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଗଣତନ୍ତ୍ରରେ ବିରୋଧର ସ୍ୱରକୁ ଦମନ କରାଯାଇପାରିବ ନାହିଁ।

ସୂଚନାଥାଉକି,ରାଜସ୍ଥାନ ରାଜନୀତିରେ ବିଦ୍ରୋହ ଦେଖାଯାିଥିଲା। ଏହାକୁ ନଜରରେ ରଖି ରାଜସ୍ଥାନ କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗଦେବାକୁ ବିଧାୟକମାନଙ୍କୁ ହ୍ୱିପ ଜାରି କରାଯାଇଥିଲା। ହେଲେ ପାଇଲଟ ଓ ତାଙ୍କର ୧୮ ସହଯୋଗୀ ବିଧାୟକ ବୈଠକରେ ଯୋଗ ଦେଇନଥିଲେ। ଏନେଇ ରାଜସ୍ଥାନ ସରକାରୀ ଦଳ ମୁଖ୍ୟ ସଚେତକ ବାଚସ୍ପତିଙ୍କ ନିକଟରେ ଫେରାଦ ହୋଇଥିଲେ। ବାଚସ୍ପତି ଏନେଇ ବିଧାୟକମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ କାହିଁକି ଅଯୋଗ୍ୟ ଘୋଷଣା କରାଯିବ ନାହିଁ ସେନେଇ ଉତ୍ତର ରଖିବାକୁ କହିଥିଲେ। ଏହା ବିରୋଧରେ ପାଇଲଟ ଓ ତାଙ୍କର ସହଯୋଗୀ ବିଧାୟକମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ବାଚସ୍ପତିଙ୍କ ନୋଟିସକୁ ଅସାମ୍ବିଧାନିକ ବୋଲି ଦର୍ଶାଇଥିଲେ ।

Comments are closed.