Odisha Link
Bridging the Missing Links in Odisha

ତିନି ମହଲା ବିଶିଷ୍ଟ ହେବ ଅଯୋଧ୍ୟା ରାମ ମନ୍ଦିର

ଅଯୋଧ୍ୟା: ଅଯୋଧ୍ୟାରେ ନିର୍ମାଣ ହେବ ବହୁ ପ୍ରତୀକ୍ଷିତ ରାମ ମନ୍ଦିର। ଅଗଷ୍ଟ ୫ ତାରିଖରେ ଅନୁଷ୍ଠିତ ହେବ ଭୂମି ପୁଜନ। ଏହି ଅବସରରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୂମି ପୂଜା ସମାରୋହରେ ଗର୍ଭ ଘରେ ରୂପାର ୫ଟି ଇଟା ମଧ୍ୟ ଲଗାଯିବ। ସୂଚନାମୁତାବିକ ପ୍ରଥମ ଇଟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଖିବେ। ୫ଟି ଇଟା ହିନ୍ଦୁ ପୌରାଣିକ କଥା ଅନୁସାରେ ୫ଟି ଗ୍ରହର ପ୍ରତିକ ବୋଲି ମନାଯିବ। ତେବେ ଜାଣନ୍ତୁ କିପରି ହେବ ରାମ ମନ୍ଦିର ରୂପ ରେଖ।

ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାମ ନ୍ଦିର ତିନି ମହଲା ବିଶିଷ୍ଟ ହେବ। ୧୦ ଏକର ଜମି ଉପରେ ପ୍ରସ୍ତାବିତ ବିଶାଳ ରାମ ମନ୍ଦିର ନିର୍ମାଣ କରାଯିବ। ଅବଶିଷ୍ଟ ୫୭ ଏକର ଜମି ଉପରେ ରାମ ମନ୍ଦିର କମ୍ପ୍ଲେକ୍ସ ନିର୍ମାଣ ହେବ। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ମଞ୍ଜୁରି ପାଇଥିବା ମନ୍ଦିର ପ୍ଲାନ ଅନୁଯାୟୀ, ମନ୍ଦିର ବେଢ଼ା ମଧ୍ୟରେ ଏକ ନକ୍ଷତ୍ର ବାଟିକା ନିର୍ମାଣ କରାଯିବ। ମନ୍ଦିର ବେଢ଼ା ପରିସରରେ ୨୭ଟି ନକ୍ଷତ୍ର ଗଛ ରୋପଣ କରାଯିବ। ଏହି ନକ୍ଷତ୍ର ବୃକ୍ଷମୂଳେ ଲୋକେ କେବଳ ନିଜର ଜନ୍ମଦିନ ଅବସରରେ ଧ୍ୟାନ କରିବାକୁ ସୁଯୋଗ ପାଇବେ। ବିଶାଳ ମନ୍ଦିରର ୧୫ଫୁଟ ଗଭୀରର ମୂଳଦୁଆ (ଫାଉଣ୍ଡେସନ) ପଡ଼ିବ। ମାତ୍ର ମନ୍ଦିର ନିର୍ମାଣରେ ଲୁହାର ବ୍ୟବହାର କରାଯିବ ନାହିଁ।

ସେହିଭଳି ବାଲ୍ମୀକି ରାମାୟଣ ବର୍ଣ୍ଣିତ ବୃକ୍ଷ ମନ୍ଦିର ବେଢ଼ାରେ ରୋପଣ କରାଯିବ। ରାମ ମନ୍ଦିର ନିର୍ମାଣ ପରେ ମନ୍ଦିର ବେଢ଼ାରେ ଭଗବାନ ଶେଷାବତାର ମନ୍ଦିର ନିର୍ମାଣ କରାଯିବ। ମନ୍ଦିର ବେଢ଼ା ପରିସରରେ ଏକ ବିଶାଳ ସଂଗ୍ରାହଳୟ ମଧ୍ୟ ନିର୍ମିତ ହେବ। ଏହା ବ୍ୟତୀତ ମନ୍ଦିର ବେଢ଼ାରେ ଗୋଶାଳା, ଧର୍ମଶାଳା ଏବଂ ଅନ୍ୟାନ୍ୟ ପାଶ୍ୱର୍ଦେବଦେବୀଙ୍କ ମନ୍ଦିର ନିର୍ମାଣ ହେବ ବୋଲି ଯୋଜନା ରହିଛି। ରାମ ମନ୍ଦିରର ଉଚ୍ଚତା ୧୬୧ ଫୁଟ ରହିବ। ମନ୍ଦିର ବେଢ଼ାରେ ଦୁଇଟି ବୃହତ ମଣ୍ଡପ ନିର୍ମିତ ହେବ। ତେବେ ମନ୍ଦିରର ଭୂମି ପୂଜନ ଉତ୍ସବରେ ପ୍ରୟାଗରାଜର ସଙ୍ଗମ ସ୍ଥଳରୁ ଆସିଥିବା ମାଟିର ବ୍ୟବହାର କରାଯିବ ବୋଲି ବିଶ୍ୱ ହିନ୍ଦୁ ପରିଷଦର ମୁଖପାତ୍ର ଅଶ୍ୱିନୀ ମିଶ୍ର ସୂଚନା ଦେଇଛନ୍ତି। ଅଗଷ୍ଟ ୫ରେ ମନ୍ଦିରର ଭୂମି ପୂଜନ କାର୍ଯ୍ୟ ସମାପନ ହେବ। ଏହି ଦିନ ସନ୍ଧ୍ୟାରେ ସମଗ୍ର ଦେଶବାସୀ ପ୍ରଦୀପ ପ୍ରଜ୍ଜ୍ୱଳନ କରିବାକୁ ଭିଏଚପି ମୁଖପାତ୍ର ଶ୍ରୀ ମିଶ୍ର ନିବେଦନ କରିଛନ୍ତି।

Comments are closed.