Odisha Link
Bridging the Missing Links in Odisha

ରାଶିଫଳ: ବିଶ୍ବାସ, ଅତିବିଶ୍ବାସ ଓ ଅନ୍ଧବିଶ୍ବାସ

ରାଶିଫଳ ଓ ଭାଗ୍ୟଫଳରେ ଆପଣ କେତେ ବିଶ୍ବାସ କରନ୍ତି। ବର୍ତ୍ତମାନ ସମୟରେ ରାଶିଫଳ ଓ ଗ୍ରହଗଣନା, ଭାଗ୍ୟଫଳ ଆଦି ଟିଭି ତଥା ସୋସିଆଲ ମିଡିଆରେ ଲୋକଙ୍କ ଅନ୍ୟତମ ପପୁଲାର ପ୍ରସଙ୍ଗ ଭାବେ ଗଣାଯାଉଛି। ନିଜର ଭାଗ୍ୟ ଭବିଷ୍ୟତ, ଚାକିରୀ, ବିବାହ ଆଦି ପ୍ରସଙ୍ଗରେ ଜ୍ୟୋତିଷମାନେ କଣ କହୁଛନ୍ତି ତାକୁ ଜାଣିବାକୁ ଅନେକ ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି।

ବୃହସ୍ପତି ଚଳନ ହେଲା କଣ ହେବ, ଶନି କାରଣରୁ ଆପଣ କଣ ଲାଭ ପାଇବେ, କେଉଁ ରାଶିଙ୍କ ଲାଗି ମଙ୍ଗଳ ଚଳନ ଖରାପ ଏମିତି ନାନା ପ୍ରକାରର ରାଶିଚକ୍ର ସଂପର୍କିତ ତଥ୍ୟ ଆପଣ ସୋସିଆଲ୍ ମିଡିଆରେ ଘୂରୁଥିବା ଦେଖିଥିବେ। ଏହା କେତେଦୂର ସଠିକ୍ ଅବା କରାଯାଉଥିବା ଭବିଷ୍ୟବାଣୀ କେତେ ପରିମାଣରେ ସତ ତାର କୌଣସି ଗ୍ୟାରେଣ୍ଟି ନାହିଁ। ହେଲେ ଜ୍ୟୋତିଷମାନଂକ କ୍ରେଜ୍ କିନ୍ତୁ ବଢିବାରେ ଲାଗିଛି। ଭୂତଭବିଷ୍ୟର ଏହି ଗୋଳମାଳିଆ ଗଣନା ଛାଡନ୍ତୁ, ମୋଟାମୋଟି କଥାଟି କିନ୍ତୁ ହେଲା- ଜ୍ୟୋତିଷଶାସ୍ତ୍ର ଏକ ପ୍ରକାର ବିଜ୍ଞାନ ଅଟେ, ଯାହା ଗ୍ରହ ନକ୍ଷତ୍ରର ଚଳନୀ ଓ ବର୍ତ୍ତମାନର ସ୍ଥିତିକୁ ଅଧ୍ୟୟନ କରି ମନୁଷ୍ୟ ସମ୍ବନ୍ଧୀୟ ବିଷୟ ଏବଂ ସାଂସାରିକ ଘଟଣା ସମ୍ବନ୍ଧରେ ବାଖ୍ୟା କରିଥାଏ। ଜ୍ୟୋତିଷ ଶାସ୍ତ୍ର ଦ୍ୱାରା ମନୁଷ୍ୟ ତଥା ପୃଥିବୀର ଗ୍ରହ ଏବଂ ତାରା ମାନଙ୍କର ଶୁଭ ତଥା ଅଶୁଭ ପ୍ରଭାବକୁ ଅଧ୍ୟୟନ କରାଯାଇପାରେ। ଜ୍ୟୋତିଷ ଶବ୍ଦର ଅର୍ଥ ଗ୍ରହ ତଥା ନକ୍ଷତ୍ର ଦ୍ୱାରା ସମ୍ବନ୍ଧିତ ରଖୁଥିବାରୁ ଏହା ଜରିଆରେ ଭବିଷ୍ୟତ ବାବଦରେ ତଥ୍ୟ ଜାଣିହୁଏ ବୋଲି ଲୋକଂକ ମନରେ ଗୋଟିଏ ଅବଧାରଣା ରହିଆସିଛି। ଏବେ ଜ୍ୟୋତିଷ କହିଲେ, କେବଳ ଫଳିତ ଜ୍ୟୋଷିତକୁ ବୁଝାଯାଉଛି, କିନ୍ତୁ ଅତୀତରେ ଜ୍ୟୋତିଷ ଶାସ୍ତ୍ର କହିଲେ ଆକାଶ ବିଜ୍ଞାନକୁ ହିଁ ବୁଝାଯାଉଥିଲା। ଯାହା ଗଣିତର ଏକ ଅଂଶଭାବେ ଗଣାଯାଇଥାଏ।

ଜ୍ୟୋତିଷ ଶାସ୍ତ୍ର କଣ ଓ ଏହାର ଗଣନାର ବିଭିନ୍ନ ଦିଗ ବାବଦରେ ସମସ୍ତେ ଜାଣିବା ଦରକାର। ଫଳରେ ଆମ ମନରେ ଥିବା ଅନ୍ଧବିଶ୍ବାସ ଦୂର ହୋଇପାରିବ। ଆମ ମୁଣ୍ଡ ଉପରେ ଥିବା ଆକାଶ ସବୁବେଳେ ମଣିଷକୁ କୌତୂହଳ କରିଆସିଛି। ଦିନରେ ଆସୁଥିବା ଉଜ୍ଜଳ ଆଲୋକ, ରାତିରେ ଆସୁଥିବା ଛୋଟ ଛୋଟ ଆଲୋକ କଣିକା ଓ ତା ଭିତରେ ଉଜ୍ଜ୍ବଳ ପିଣ୍ଡ। ଯାହାକୁ କୁହାଯାଏ ସୂର୍ଯ୍ୟ, ଚନ୍ଦ୍ର ଓ ତାରା। ନିତିଦିନିଆ ଜୀବନରେ ମଣିଷ ଯେତେବେଳେ ଏସବୁର ସଂପର୍କ ଖୋଜିଲା, ଏ ସବୁକୁ ନେଇ ସମୟ ମାପିଲା, ଦିନ ରାତି, ମାସ ଓ ବର୍ଷର ପରିଚୟ ଓ ପ୍ରଭେଦ ସାମନାକୁ ଆସିଲା। ଆକାଶର ରହସ୍ୟ ଖୋଜିଥିଲା ମଣିଷ, ପୁରାଣରୁ ବୈଦିକ ଯୁଗ ଯାଏଁ ଆକାଶକୁ ନେଇ ଅନେକ କିଛି କଳ୍ପନା ଓ କାହାଣୀ ଶୁଣିବାକୁ ମିଳେ। ଯାହାକୁ ଜ୍ୟୋତିଷ ଶାସ୍ତ୍ର ଅବା ଜ୍ୟୋତିର୍ବିଜ୍ଞାନ ବୋଲି କୁହାଯାଏ। ଆମର ବେଦ ଓ ଉପନିଷଦରେ ଏ ବାବଦରେ ସ୍ପଷ୍ଟ ଭାବେ ବର୍ଣ୍ଣାନା ରହିଛି।

ବେଦରେ ବିଶ୍ବକୁ ତିନୋଟି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ପୃଥିବୀ, ତା ପରେ ମହାକାଶ ଓ ଶେଷରେ ସ୍ବର୍ଗ। ସୂର୍ଯ୍ୟକୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଆକାଶୀୟ ପିଣ୍ଡ ଭାବରେ ଏବଂ ଏହାର ଗତିପଥ କ୍ରାନ୍ତିପଥକୁ ସବୁଠାରୁ ପବିତ୍ର ବୋଲି ଧରାଯାଇଛି। ଏହା ପଛକୁ ଗୁରୁତ୍ବପୂର୍ଣ୍ଣ ପିଣ୍ଡ ହେଉଛି ଚନ୍ଦ୍ର। ମଣିଷର ସବୁଠାରୁ ଜରୁରୀ ପଦକ୍ଷେପ ଥିଲା ସମୟ ମାପିବା। ଏଥିପାଇଁ ସେ ଚନ୍ଦ୍ରର ସହାୟତା ନେଇଥିଲା। ଦୁଇଟି ଅମାବାସ୍ୟା ବା ଦୁଇଟି ପୂର୍ଣ୍ଣମୀର ମଝି ସମୟକୁ ଗୋଟିଏ ମାସ ବୋଲି ଧରାଗଲା। ଆମର ଦୁଇ ପ୍ରକାର ମାସ ରହିଛି। ଅମାବାସ୍ୟାରୁ ଅମାବାସ୍ୟା ହେଉଛି ଅମାନ୍ତ ଓ ପୂର୍ଣ୍ଣମୀରୁ ପୁର୍ଣ୍ଣମୀ ହେଉଛି ପୂର୍ଣ୍ଣିମାନ୍ତ। ଚନ୍ଦ୍ର ଗତି ହିସାବ କରିବା ପାଇଁ ୨୭ଟି ନକ୍ଷତ୍ର ପରିକଳ୍ପନା କରାଗଲା। ସେଗୁ଼ଡିକ ହେଲା- ଅଶ୍ଵିନୀ, ଦ୍ଵିଜା, କୃତ୍ତିକା, ରୋହିଣି, ମୃଗଶିରା, ଆର୍ଦ୍ରା, ପୁନର୍ବସୁ, ପୁଷ୍ୟା, ଅଶ୍ଳେଷା, ମଘା, ପୂର୍ବ ଫାଲଗୁନୀ, ଉତ୍ତର ଫାଲଗୁନୀ, ହସ୍ତା, ଚିତ୍ରା, ସ୍ଵାତୀ, ବିଶାଖା, ଅନୁରାଧା, ଜ୍ୟେଷ୍ଠା, ମୂଳା, ପୂର୍ବାଷାଢ଼ା, ଉତ୍ତରାଷାଢ଼ା, ଶ୍ରବଣା, ଧନିଷ୍ଠା, ଶତଭିଷା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ଓ ରେବତୀ। ବେବିଲୋନୀୟ, ଚୀନିୟ ଏବଂ ଆରବୀୟ ସଭ୍ୟତାରେ ବି ଚନ୍ଦ୍ରର ଗତିପଥ ବାବଦରେ ବର୍ଣ୍ଣନା ରହିଛି। ଚନ୍ଦ୍ରମାସର ନାଁ ସବୁ ନକ୍ଷତ୍ର ଅନୁସାରେ ଦିଆଯାଏ। ମାସର ପୂର୍ଣ୍ଣମୀ ଦିନ ଚନ୍ଦ୍ର ଯେଉଁ ନକ୍ଷତ୍ର ପାଖରେ ରହେ ମାସର ନାଁ ସେହି ଅନୁସାରେ ଦିଆଯାଏ। ଯେମିତିକା ମଘା ପାଖରେ ରହିଲେ ମାଘ, କୃତ୍ତିକା ପାଖରେ ରହିଲେ କାର୍ତ୍ତିକ, ଜ୍ୟୋଷ୍ଠା ପାଖରେ ରହିଲେ ଜ୍ୟେଷ୍ଠ ଆଦି। ବାରଟି ଚାନ୍ଦ୍ରମାସକୁ ଛଅଟି ଋତୁ ଓ ପ୍ରତି ଋତୁରେ ଦୁଇ ମାସ ଲେଖାଏଁ ରଖାଯାଇଛି। ସେହିଭଳି ଭାବେ ପ୍ରତି ସଂକ୍ରାନ୍ତିରେ ସୂର୍ଯ୍ୟ ଗୋଟିଏ ରାଶି ଛାଡି ଅନ୍ୟ ରାଶିରେ ପ୍ରବେଶ କରେ। ସେ ରାଶି ଅନୁସାରେ ସେଇ ମାସର ନାମକରଣ ହୁଏ। ଏଗୁଡିକ ସୌର ମାସ। ଯେମିତି ଧନୁ ମାସ, ମେଷ ମାସ, କର୍କଟ ମାସ ଇତ୍ୟାଦି। କାରଣ ଆମର ରାଶିଗୁଡିକ ହେଉଛି- ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ ଓ ମୀନ। ପାଶ୍ଚାତ୍ୟ ଜ୍ୟୋତିଷରେ ବ୍ୟକ୍ତିର ଜନ୍ମ ସମୟରେ ରାଶିଚକ୍ରରେ ସୂର୍ଯ୍ୟଙ୍କର ଅବସ୍ଥାନକୁ ନେଇ ଜନ୍ମ ରାଶି ନିର୍ଣ୍ଣୟ ହୁଏ । କିନ୍ତୁ ଭାରତୀୟ ଜ୍ୟୋତିଷ ବା ବୈଦିକ ଜ୍ୟୋତିଷରେ ଚନ୍ଦ୍ରଙ୍କର ଅବସ୍ଥାନକୁ ନେଇ ଜନ୍ମ ରାଶି ନିର୍ଣ୍ଣୟ କରାଯାଏ।

ଭାରତୀୟ ପୁରାଣରେ ନକ୍ଷତ୍ର କହିଲେ, ଉଭୟ ତାରା ଓ ତାରକାମଣ୍ଡଳକୁ ବୁଝାଏ। କ୍ରାନ୍ତିପଥକୁ ଉପରଲିଖିତ ୨୭ଟି ନକ୍ଷତ୍ରରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଭାଗକୁ ଚନ୍ଦ୍ରର ଗତି ଅନୁସାରେ ୧୩ ଡିଗ୍ରୀ ୨୦ ମିନିଟ ଭାବେ ଗ୍ରହଣ କରାଯାଇଛି। ପ୍ରତି ଭାଗରେ ଗୋଟିଏ ଲେଖାଏଁ ତାରା ବା ତାରାପୁଂଜ ରହିଛି। ଜ୍ୟୋତିଷ ଗଣନାରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ଯେଉଁ ନକ୍ଷତ୍ରରେ ଅବସ୍ଥାନ କରିଥିବେ, ତାହା ହିଁ ବ୍ୟକ୍ତିର ଜନ୍ମ ନକ୍ଷତ୍ର ହୋଇଥାଏ।

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତି ରାଶିରେ ରାଶିର ଅଧିପତି ବା ସ୍ବାମୀ ରହିଥାନ୍ତି। ଯେମିତି- ମେଷ ରାଶିର ସ୍ବାମୀ ହେଉଛନ୍ତି ମଙ୍ଗଳ, ବୃଷର ଶୁକ୍ର, ମିଥୁନର ବୁଧ, କର୍କଟର ଚନ୍ଦ୍ର, ସିଂହର ସୂର୍ଯ୍ୟ, କନ୍ୟାର ବୁଧ, ତୁଳାର ଶୁକ୍ର, ବିଛାର ମଙ୍ଗଳ, ଧନୁର ବୃହସ୍ପତି, ମକରର ଶନି, କୁମ୍ଭର ଶନି, ମୀନର ବୃହସ୍ପତି। ଜାତକ ବା କୋଷ୍ଠୀରେ ଗ୍ରହନକ୍ଷତ୍ରଂକ ଅବସ୍ଥିତିକୁ ଆଖି ଆଗରେ ରଖି ଗଣନା କରାଯାଇଥାଏ। କେଉଁ ଘରେ କେଉଁ ଗ୍ରହ-ନକ୍ଷତ୍ର ରହିଛନ୍ତି, ସେମାନଂକର ପରସ୍ପର ସହ ସଂପର୍କ ଓ ଘରର ଅଧିପତି ସହ ସଂପର୍କକୁ ଜ୍ୟୋତିଷ ଶାସ୍ତ୍ରରେ ବିଶ୍ଲେଷଣ କରାଯାଏ। ଉଦାହରଣ ଭାବେ- ମଙ୍ଗଳ ଗ୍ରହର ଚଳନକୁ ନିଆଯାଇପାରେ। ଅର୍ଥାତ ମଙ୍ଗଳ ଗୋଟିଏ ରାଶି ପରିତ୍ୟାଗ କରି ଅନ୍ୟ ରାଶିରେ ପ୍ରବେଶ କରିବାକୁ ଚଳନ କହୁଯାଏ। ସାଧାରଣତଃ ମଙ୍ଗଳ ଗ୍ରହର ଏହି ଗୋଚର ଅବଧି ହେଉଛି ପ୍ରାୟ ଦେଢ ମାସ। ଏହି ଗୋଚର ସମୟରେ ମଙ୍ଗଳ ଗ୍ରହ, ବାରଟି ରାଶିଗୁଡିକ ଉପରେ କିପରି ପ୍ରଭାବ ରଖେ ତାହା ହିଁ ଗଣନାର ଗୋଟିଏ ଦିଗ। ଧରିନିଅନ୍ତୁ, ମଙ୍ଗଳ ଗ୍ରହ କନ୍ୟା ରାଶିରୁ ତୁଳା ରାଶିରେ ପ୍ରବେଶ କଲା। ବ୍ୟକ୍ତିର ଜାତକରେ ମଙ୍ଗଳର ସ୍ଥାନ କେଉଁଠି ରହିଛି ସେ ଅନୁସାରେ ଗୋଚର ସମୟରେ ଫଳ କଣ ରହିବ ତାକୁ ଗଣନା କରାଯାଏ। ଯେମିତି ଜାତକରେ ତୃତୀୟ ସ୍ଥାନରେ ମଙ୍ଗଳ ଥିଲେ ବ୍ୟବହାର, ଷଷ୍ଠ ସ୍ଥାନରେ ଥିଲେ ଶତ୍ରୁ ଦମନ, ଅଷ୍ଟମ ସ୍ଥାନରେ ଥିଲେ  ଅଚାନକ ଧନ ଲାଭ ତଥା ଦଶମ ସ୍ଥାନରେ ଥିଲେ ଦୈନନ୍ଦିନ କର୍ମ ପାଇଁ ଶୁଭ ବୋଲି ବିବେଚନା କରାଯାଏ। ମଙ୍ଗଳ ଗ୍ରହକୁ ଯେହେତୁ ସାହସ, ପରାକ୍ରମ, ବୁଦ୍ଧି, ଅହଂଭାବ ସହ ତୁଳନା କରାଯାଏ, ସେଥିପାଇଁ ଏହି ବିନ୍ଦୁଗୁଡିକ ବାରଟି ରାଶି ପାଇଁ ଭିନ୍ନ ଭିନ୍ନ ଫଳ ରଖିଥାଏ ବୋଲି କୁହାଯାଏ। ସମାନ ଭାବେ ସବୁ ଗ୍ରହ ଏହି ଚଳନ କରିଥାନ୍ତି ଓ ରାଶିଗୁଡିକ ଉପରେ ନିଜର ପ୍ରଭାବ ଛାଡନ୍ତି।

ଜ୍ୟୋତିଷଶାସ୍ତ୍ରରେ ଆଉ ଏକ ପାଠ ଅଛି ଯାହାର ନାମ ଅଷ୍ଟକବର୍ଗ ବିଚାର। ଲଗ୍ନ ଓ ଗ୍ରହଗୁଡ଼ିକର ପାରସ୍ପରିକ ସ୍ଥିତିକୁ ନେଇ ତାହା ବିଚାର କରାଯାଇଥାଏ। ଗଣନାରେ ବେଳେ ରାଶି ସହ ଲଗ୍ନକୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭାବେ ଧରାଯାଏ। ଉଦାହରଣ ସ୍ବରୂପ- ଜଣକର ଧନୁ ରାଶି ଓ ମୀନ ଲଗ୍ନ। ବର୍ତ୍ତମାନ ବୃହସ୍ପତି ଧନୁକୁ ଚଳିଲା ପରେ ଏ ପ୍ରକାର ବୃହସ୍ପତିଙ୍କୁ କୁହାଯିବ ଧନୁରାଶିବାଲାଙ୍କର ଜନ୍ମ ବୃହସ୍ପତି। ଶାସ୍ତ୍ରରେ ଅଛି- ଜନ୍ମରାଶିରେ ବୃହସ୍ପତି ଥିବା ବେଳେ ରାଜା ରାମଙ୍କୁ ରାଜ୍ୟ ହରାଇ ବନବାସ ଦୁଃଖ ଭୋଗ କରିବାକୁ ପଡ଼ିଥିଲା। ତେଣୁ ଜନ୍ମ ବୃହସ୍ପତି ଅର୍ଥ, ସମ୍ପଦ, ରାଜ୍ୟ, ପଦପଦବୀ ନାଶ କରିଥାନ୍ତି। କିନ୍ତୁ ଉପରୋକ୍ତ ବ୍ୟକ୍ତିଙ୍କର ତାହା ହେବ ନାହିଁ। କାରଣ ବୃହସ୍ପତି ତାଙ୍କର ଜନ୍ମ ଲଗ୍ନ ମୀନରୁ ଦଶମ ଭାବରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କର ଶୁଭଦୃଷ୍ଟି ଦ୍ୱିତୀୟ (ଧନ ଭାବ), ଚତୁର୍ଥ (ସୁଖ, ଜମିବାଡ଼ି, ଗାଡ଼ି) ଓ ଷଷ୍ଠ (ଚାକିରି, ରୋଗ, ଶତ୍ରୁ, ଋଣ) ଭାବକୁ ରହିଥିବାରୁ ସେହିସବୁ ଭାବର ଶୁଭଫଳ ମିଳିବ। ତାଙ୍କର ଚାକିରି ଓ କର୍ମ କ୍ଷେତ୍ରରେ ଉନ୍ନତି ହେବ। ରୋଗ, ଋଣ ଓ ଶତ୍ରୁ ନାଶ ହେବ। ଧନ, ସୁଖ, ଗାଡ଼ି, ଜମି ଇତ୍ୟାଦି ଲାଭ ହେବ। ଗୃହ ନିର୍ମାଣା ଦି ବଡ଼କାର୍ଯ୍ୟ ପାଇଁ ଋଣସୂତ୍ରରେ ଅର୍ଥଲାଭର ମଧ୍ୟ ସମ୍ଭାବନା ଅଛି। ଜନ୍ମରାଶିଠାରୁ ଜନ୍ମଲଗ୍ନ ଅଧିକ ବଳବାନ ହୋଇଥିଲେ ଏହି ଫଳ ମିଳିବା ନିଶ୍ଚିତ।

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ସବୁବେଳେ ବଡ ଫ୍ୟାକ୍ଟର ରହେ। ସେ ବିଷୟରେ ସମସ୍ତେ ଜାଣିବା ଦରକାର। ଯେମିତି ବେଦାଙ୍ଗ ଜ୍ୟୋତିଷରେ ଗ୍ରହ ବିଷୟରେ କିଛି ଉଲ୍ଲେଖ ନାହିଁ। କିନ୍ତୁ ଉପନିଷଦରେ ଗ୍ରହ ବିଷୟରେ ଉଲ୍ଲେଖ ରହିଛି। ଭାରତୀୟ ପୁରାଣରେ ସୂର୍ଯ୍ୟ, ଚନ୍ଦ୍ରକୁ ମିଶାଇ ସାତଟି ଗ୍ରହ ସାଙ୍ଗକୁ ରାହୁ ଓ କେତୁକୁ ଗ୍ରହ ବୋଲି ଧରାଯାଇଛି। ଅଥର୍ବ ବେଦରେ ରାହୁ ବିଷୟରେ ଲେଖା ଥିଲେ ବି ଏହାକୁ ଆକାଶ ବିଜ୍ଞାନ ସହ ଯୋଡା ଯାଇନାହିଁ। ବିଜ୍ଞାନ ଭାଷାରେ ରାହୁ ହେଉଛି, ପୃଥିବୀ-ଚନ୍ଦ୍ରର କକ୍ଷପଥରେ ଛେଦବିନ୍ଦୁ। ସେହିପରି ଅଥର୍ବ ବେଦରେ କେତୁକୁ ଧୂମକେତୁ, ଉଲକା ବୋଲି ଅଭିହିତ କରାଯାଇଛି। ଜାତକରେ ଏହି ଗ୍ରହଗୁଡିକୁ ଭିନ୍ନ ଭିନ୍ନ ଭାବେ ବର୍ଣ୍ଣନା କରାଯାଏ। ମଣିଷ ଜୀବନରେ ମଧ୍ୟ ଏହି ଗ୍ରହମାନଙ୍କ ନିର୍ଦ୍ଦିଷ୍ଟ ସ୍ଥାନ ରହିଛି। ସ୍ଥାନ ଅନୁଯାୟୀ ଗ୍ରହ ମଣିଷ ଜୀବନକୁ ପ୍ରଭାବିତ କରିଥାଏ । ଯେମିତି, ରବି ବା ସୂର୍ଯ୍ୟଙ୍କ ସ୍ଥାନ ମଣିଷର ମସ୍ତିଷ୍କ ଭାଗରେ ଥାଏ ବୋଲି ବିଶ୍ବାସ କରାଯାଏ। ପୌରାଣିକ ବିଶ୍ୱାସ ଅନୁଯାୟୀ, ମସ୍ତିଷ୍କରେ ରବିଙ୍କ ଅଧିକାର ଥିବା କୁହାଯାଏ। ମେଷ ରାଶିରେ ରବିଙ୍କ ସ୍ଥାନ ଉଚ୍ଚରେ ଥିବା ଯୋଗୁଁ ଶୁଭ ଫଳ ଦେଇଥାଏ। ଅପରପକ୍ଷରେ ରବିଙ୍କ ସ୍ଥାନ ତୁଳା ରାଶିରେ ନୀଚ ଥିବା ଯୋଗୁଁ ତାହା ଅଶୁଭ ଫଳ ଦେଇଥାଏ। ସେହିପରି ଚନ୍ଦ୍ର, ମନୁଷ୍ୟର ମନ, ଶରୀରର ଜଳୀୟ ଅଂଶ, ଫୁସଫୁସ ଏବଂ ଇଛାଶକ୍ତି ଉପରେ ପ୍ରଭାବ ପକାଇଥାଏ। ବୃଷ ରାଶି ଚନ୍ଦ୍ରଙ୍କ ଉଚ୍ଚ ସ୍ଥାନ ହୋଇଥିବା ଯୋଗୁଁ ଚନ୍ଦ୍ର ଏଠାରେ ଶୁଭ ଫଳ ଦେଇଥାନ୍ତି ଓ ବିଛା ରାଶିରେ ଚନ୍ଦ୍ରଙ୍କ ସ୍ଥିତି ନୀଚ ହୋଇଥିବାରୁ ତାହା ଅଶୁଭ ଫଳ ଦେଇଥାଏ ବୋଲି ବିଶ୍ବାସ କରାଯାଏ। ମଙ୍ଗଳ ମଣିଷର ଆଖି ଏବଂ ରକ୍ତ ଉପରେ ପ୍ରଭାବ ପକାଇଥାଏ। ମଙ୍ଗଳଙ୍କ ସ୍ଥିତି ଭଲ ନଥିଲେ, ଆଖି, ରକ୍ତ, କଣ୍ଠକୁ ପ୍ରଭାବିତ କରିଥାଏ। କର୍କଟ ରାଶିରେ ମଙ୍ଗଳଙ୍କ ସ୍ଥିତି ନୀଚ ଥିବା ଯୋଗୁଁ ଏହା ଅଶୁଭ ହୋଇଥାଏ। ଅପରପକ୍ଷରେ ମକର ରାଶିରେ ମଙ୍ଗଳଙ୍କ ସ୍ଥିତି ଉଚ୍ଚ ଯୋଗୁଁ ଶୁଭ ଫଳ ଦେଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ବିଶ୍ବାସ କରାଯାଏ। ସେହିପରି ବୁଧ ମିଥୁନ ଏବଂ କନ୍ୟା ରାଶିର ସ୍ୱାମୀ । ବୁଧଙ୍କ ସ୍ଥାନ ଶରୀରର ପାଚନ ତନ୍ତ୍ର, ବାୟୁ, ଜିଭ, ଦାନ୍ତ ଏବଂ ଚର୍ମରେ ଥାଏ। କନ୍ୟା ରାଶିରେ ବୁଧଙ୍କ ସ୍ଥାନ ଉଚ୍ଚରେ ଥିବା ଯୋଗୁଁ ଶୁଭ ଫଳ ଦେଇଥାଏ। ମୀନ ରାଶିରେ ବୁଧ ନୀଚ ସ୍ଥାନରେ ଥିବା ଯୋଗୁଁ ଅଶୁଭ ଫଳ ଦେଇଥାଏ। ଗୁରୁ ବା ବୃହସ୍ପତିଙ୍କ ପ୍ରଭାବ ଶରୀରର ନାକ ଓ ବାୟୁରେ ପଡିଥାଏ। ଗୁରୁଙ୍କ ପ୍ରଭାବ ଭଲ ନଥିଲେ ପିତ୍ତ ଏବଂ ଚର୍ବି ସମ୍ବନ୍ଧୀୟ ରୋଗ ହୋଇଥାଏ। କର୍କଟ ରାଶିରେ ଗୁରୁଙ୍କ ସ୍ଥିତି ଉଚ୍ଚରେ ଥିବା ଯୋଗୁଁ ଶୁଭ ଫଳ ଦେଇଥାଏ ଓ ମକର ରାଶିରେ ଗୁରୁଙ୍କ ସ୍ଥିତି ନୀଚରେ ଥିବା ଯୋଗୁଁ ଅଶୁଭ ଫଳ ଦେଇଥାଏ।

ଶୁକ୍ର ଗ୍ରହଙ୍କ ସ୍ଥିତି ଭଲ ସ୍ଥାନରେ ଥିଲେ ମଣିଷ ଆକର୍ଷକ ଓ ସୁନ୍ଦର ହୋଇଥାଏ। ଏହା ଶରୀରର ଚର୍ମ, ବୀର୍ଯ୍ୟ ଏବଂ ଗୁପ୍ତ ଅଙ୍ଗରେ ପ୍ରଭାବ ପକାଇଥାଏ। ଶୁକ୍ର ମୀନ ରାଶିରେ ନୀଚ ସ୍ଥାନରେ ଥାଇ ମଧ୍ୟ ଶୁଭ ଫଳ ଦେଇଥାନ୍ତି କିନ୍ତୁ ଶୁକ୍ର କନ୍ୟା ରାଶିରେ ନୀଚ ସ୍ଥାନରେ ଥାଇ ଅଶୁଭ ଫଳ ଦେଇଥାନ୍ତି।  ସେହିପରି ତୁଳା ଓ ବୃଷ ରାଶି ଶୁକ୍ରଙ୍କ ସ୍ଥାନ ଉଚ୍ଚ। ଶନି ଗ୍ରହଙ୍କ ପ୍ରଭାବ ଶରୀରର ହାଡ ଏବଂ ନାଭିରେ ପଡିଥାଏ ବୋଲି କୁହାଯାଏ। ତେଣୁ ଶନିଂକ କାରଣରୁ ଆଣ୍ଠୁ, ଗଣ୍ଠି, ଏଡି, କଫ ଏବଂ ସ୍ନାୟୁ ତନ୍ତ୍ରରେ ସମସ୍ୟା ଦେଖାଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ବିଚାର କରାଯାଏ। ମେଷ ରାଶିରେ ଶନିଙ୍କ ସ୍ଥାନ ନୀଚ ହୋଇଥିବା ଯୋଗୁଁ ଅଶୁଭ ହୋଇଥାଏ ଓ ତୁଳା ରାଶିରେ ଶନିଙ୍କ ସ୍ଥିତି ଉଚ୍ଚରେ ଥିବା ଯୋଗୁଁ ଶୁଭ ଫଳ ଦେଇଥାଏ।

ଅନେକ ସମୟରେ ରାଶି ଅନୁସାରେ ଜନ୍ମିତ ଲୋକଂକ ପ୍ରକୃତି ଓ ଚରିତ୍ର କିପରି ହୋଇଥାଏ ତାକୁ ମଧ୍ୟ ଜ୍ୟୋତିଷ ଶାସ୍ତ୍ରରେ ତର୍ଜମା କରାଯାଏ। ଯେପରି ମେଷ ରାଶିରେ ଜନ୍ମିତ ବ୍ୟକ୍ତି ବିଶେଷ ଉଚ୍ଚାଭିଳାଷୀ ହୋଇଥାନ୍ତି, ବୃଷ ରାଶିରେ ଜନ୍ମିତ ବ୍ୟକ୍ତି ଗର୍ବୀ,
ମିଥୁନ ରାଶିରେ ଜନ୍ମିତ ବ୍ୟକ୍ତି ମିଷ୍ଟଭାଷି, ବୁଦ୍ଧିମାନ ଓ କଳ୍ପନାବିଳାସୀ, କର୍କଟ ରାଶିରେ ଜନ୍ମିତ ବ୍ୟକ୍ତି ମିତବ୍ୟୟୀ, ସଂଯମୀ, ସୁବକ୍ତା, ସିଂହ ରାଶିରେ ଜନ୍ମିତ ବ୍ୟକ୍ତି ସାହସୀ, ଆତ୍ମବିଶ୍ୱାସୀ, କନ୍ୟା ରାଶିରେ ଜନ୍ମିତ ବ୍ୟକ୍ତି କର୍ତ୍ତବ୍ୟପରାୟଣ, ଧୀରବୁଦ୍ଧି ସଂପନ୍ନ ତଥା ମେଳାପୀ, ତୁଳା ରାଶିରେ ଜନ୍ମିତ ବ୍ୟକ୍ତି ଶାନ୍ତିପ୍ରିୟ, ସୁବିଧାବାଦୀ ତଥା ବିଳାସପ୍ରିୟ, ବିଛା ରାଶିରେ ଜନ୍ମିତ ବ୍ୟକ୍ତି ଦୁଃସାହାସୀ ଓ କର୍ମପ୍ରବଣ, ଧନୁ ରାଶିରେ ଜନ୍ମିତ ବ୍ୟକ୍ତି ଜ୍ଞାନୀ ଓ ଆଶାବାଦୀ, ମକର ରାଶିରେ ଜନ୍ମିତ ବ୍ୟକ୍ତି ଗର୍ବୀ ଓ ପରଶ୍ରୀକାତର, କୁମ୍ଭ ରାଶିରେ ଜନ୍ମିତ ବ୍ୟକ୍ତି ସ୍ୱଳ୍ପଭାଷୀ, ମେଳାପୀ ତଥା ସ୍ଥିତପ୍ରାଜ୍ଞ, ମୀନ ରାଶିରେ ଜନ୍ମିତ ବ୍ୟକ୍ତି ଚତୁର ଓ ଦୟାଳୁ ଗୁଣ ବିଶିଷ୍ଟ ହୋଇଥାନ୍ତି ବୋଲି ବିଚାର କରାଯାଏ। ସେହିପରି ଜାତକ ଗଣନା ବେଳେ ଗ୍ରହ ଓ ନକ୍ଷତ୍ର କେଉଁ ଘରେ ଅବସ୍ଥାନ କରିଛନ୍ତି ତାହା ଗୁରୁତ୍ବପୂର୍ଣ୍ଣ ବୋଲି ଧରାଯାଏ। ଉଦାହରଣ ଭାବେ- ଭୂମି, ସଂପତ୍ତି, ପରିବାର, ପ୍ରତିପ୍ରତି, ବକ୍ତବ୍ୟ, ଖାଦ୍ୟ, ଦକ୍ଷତା ଆଦି ବିଷୟଗୁଡିକ ଜାତକର ଦ୍ବିତୀୟ ଘରକୁ ଦର୍ଶାଇଥାଏ। ଜାତକର ଚତୁର୍ଥ ଘର ଶିକ୍ଷା, ଯାନବାହାନ, ମାଆ, ଖୁସୀକୁ ଦର୍ଶାଇଥାଏ। ସେହିପରି ନବମ ସ୍ଥାନକୁ ଭାଗ୍ୟ, ସମୃଦ୍ଧି ଓ ଉତ୍ତରାଧିକାରକୁ ଧରାଯାଏ। ଦଶମ ଘରକୁ କ୍ୟାରିୟର ଓ ଜାତକ ବା କୋଷ୍ଠୀର ଏକାଦଶ ଘରକୁ ଆୟ, ରୋଜଗାର ବୋଲି ବିଚାର କରାଯାଏ।

ବହୁ ଆବହମାନ କାଳରୁ ଓ ଚଳନ୍ତି ଶତାବ୍ଦୀରେ ମଧ୍ୟ ଜ୍ୟୋତିଷ ଶାସ୍ତ୍ର ଏକ ବିଜ୍ଞାନଯୁକ୍ତ ଗାଣିତିକ ଗଣନାକୁ ବୁଝାଇଥାଏ। ସାଧାରଣ ଭାବେ ଭାରତୀୟ ଜ୍ୟୋତିର୍ବିଜ୍ଞାନ ନାକ୍ଷତ୍ରିକ ଗଣନା ଉପରେ ଆଧାରିତ। ଆଉ ନାକ୍ଷିତ୍ରିକ ଜ୍ୟୋତିର୍ବିଜ୍ଞାନ ତରକାଗୁଡିକ ଉପରେ ଆଧାରିତ। କୌଣସି ବସ୍ତୁକୁ ତାରା ତୁଳନାରେ ସୂର୍ଯ୍ୟ ଚାରିପଟେ ବୁଲିଆସିବାକୁ ଲାଗୁଥିବା ସମୟ ହେଉଛି ନାକ୍ଷତ୍ରିକ କାଳ। ଅର୍ଥାତ କୌଣସି ତାରା ସୂର୍ଯ୍ୟ ଚାରିପଟେ ବୁଲି ପୁଣି ସେଇ ଜାଗାକୁ ଆସିବା ସମୟକୁ କୁହାଯାଏ ନାକ୍ଷତ୍ରିକ କାଳ। ସାଧାରଣ ଭାବେ ଦିନ ଓ ରାତିକୁ ସମୟର ଗୋଟିଏ ମୌଳିକ ଏକକ ଭାବରେ ଧରାଯାଏ। ଦିନମାନେ ଆଲୋକିତ ଅଂଶ। ଏହାକୁ ପାଂଚ ପାଖରେ ବିଭକ୍ତ କରାଯାଇଛି। ପ୍ରଥମେ ଉଦୟ, ତା ପରେ ସଂଗାଭ, ମଧ୍ୟାହ୍ନ, ଅପରାହ୍ନ ଓ ଅସ୍ତ। ଆହୁରି ପୁଣି ଦିନକୁ କେତୋଟି ମୁହୂର୍ତ୍ତରେ ଭାଗ କରାଯାଇଛି। ଦିନକୁ ରହିଛି ତିରିଶଟି ମୁହୂର୍ତ୍ତ ଓ ବର୍ଷକୁ ଦଶ ହଜାର ଆଠ ଶହ ମୁହୂର୍ତ୍ତ।

ବେଦରେ ଦିନ ପରି ମାସକୁ ବି ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ଆଲୋକିତ ଭାଗ ଶୁକ୍ଳ ଓ ଅନ୍ୟଟି ଅନ୍ଧକାର ଭାଗ ବା କୃଷ୍ଣ। ଚାନ୍ଦ୍ରମାସକୁ ବି ଦୁଇଟି ପକ୍ଷରେ ବିଭକ୍ତ କରାଯାଇଛି। ପ୍ରତି ପକ୍ଷରେ ୧୫ଟି ତିଥି ରହିଛି। ବର୍ଷକୁ ବି ଦୁଇଭାଗ କରାଯାଇଛି- ଦକ୍ଷିଣ ଅୟନାନ୍ତ ଓ ଉତ୍ତର ଅୟନାନ୍ତ। ଧନିଷ୍ଠା ନକ୍ଷତ୍ରରେ ଦକ୍ଷିଣ ଅୟନାନ୍ତ ପଡୁଥିବା ବେଳେ ସେଠୁ ୧୪ଟି ନକ୍ଷତ୍ର ଆଗରେ ଥିବା ମଘା ନକ୍ଷତ୍ରରେ ଉତ୍ତର ଅୟନାନ୍ତ ପଡେ। କୃତ୍ତିକା ନକ୍ଷତ୍ରରେ ସମ୍ପାତ ପଡେ। ବେଦାଙ୍ଗ ଜ୍ୟୋତିଷରେ କିନ୍ତୁ ରହିଛି ଯେ, ଅଶ୍ଳେଷା ନକ୍ଷତ୍ରର ମଝିରେ ଥିବା ବେଳେ ଉତ୍ତର ଅୟନାନ୍ତ ଏବଂ ଧନିଷ୍ଠା ନକ୍ଷତ୍ରର ଆରମ୍ଭରେ ଥିବା ବେଳେ ଦକ୍ଷିଣ ଅୟନାନ୍ତ ପଡୁଥିଲା। ଆମେ ଜାଣିଛେ, ଅୟନଚଳନ କାରଣରୁ ପୃଥିବୀର ଅକ୍ଷ ପ୍ରତି ୭୨ ବର୍ଷରେ ୧ ଡିଗ୍ରୀ ଲେଖାଏଁ ଘୁଞ୍ଚି ଯାଉଛି। ଫଳରେ ପ୍ରତି ଗ୍ରହ ଓ ନକ୍ଷତ୍ରଂକ ଅବସ୍ଥାନରେ ପରିବର୍ତ୍ତନ ହେଉଛି।

ଶେଷରେ ଜ୍ୟୋତିଷ ଶାସ୍ତ୍ର ଗ୍ରହ-ନକ୍ଷତ୍ରଙ୍କ ସ୍ଥିତିକୁ କେବଳମାତ୍ର ଏକ କଳନା। ମଣିଷର ନିଜ କର୍ମ ଅନୁସାରେ ଫଳପ୍ରାପ୍ତି ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରକୁ ନେଇ ଅତିବିଶ୍ବାସ ଅବା ଅନ୍ଧବିଶ୍ବାସ ଆଦୌ ଠିକ୍ ନୁହେଁ। ଏହାକୁ ଏକ ଗଣିତ ଅବା ବିଜ୍ଞାନର ସୂତ୍ର ଭାବେ ସମସ୍ତେ ଗ୍ରହଣ କରିବା ଉଚିତ୍।

ଭୁବନେଶ୍ବର, ମୋ- ୯୪୩୮୨୯୬୫୧୯

Comments are closed.