ଟପ୍ ମଡେଲ୍ ହେବେ ପ୍ରଶାସିକା: ଆଇଏଏସ୍ ପରୀକ୍ଷାରେ ମିଳିଲା ୯୩ ର୍ୟାଙ୍କ୍

ମୁହଁରେ ପ୍ରସାଧନ ବୋଳି ର୍ୟାମ୍ପ୍ରେ ଚାଲୁଥିବା ଜଣେ ସୁନ୍ଦରୀଙ୍କୁ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ମିଳିଛି ବଡ଼ ସଫଳତା। ଏକଦା ମିସ୍ ଇଣ୍ଡିଆ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଏ ସୁନ୍ଦରୀ ଜଣକ ମଙ୍ଗଳବାର ପ୍ରକାଶିତ ୟୁପିଏସ୍ସି ପରୀକ୍ଷା ଫଳରେ ଶ୍ରେଷ୍ଠ ୧୦୦ ଜଣଙ୍କ ମଧ୍ୟରେ ଅଛନ୍ତି।
ଏହି ସୁନ୍ଦରୀଙ୍କ ନାମ ଐଶ୍ବର୍ଯ୍ୟା ଶେଓରାନ୍। ୨୩ ବର୍ଷିୟା ଐଶ୍ବର୍ଯ୍ୟାଙ୍କ ଘର ରାଜସ୍ଥାନରେ ହୋଇଥିବା ବେଳେ ସେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ସ୍ନାତକ ସମାପ୍ତ କରିଛନ୍ତି। ଦୁଇଦିନ ତଳେ ପ୍ରକାଶିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳରେ ସେ ସର୍ବଭାରତୀୟ ସ୍ଥରରେ ୯୩ ତମ ସ୍ଥାନରେ ଅଛନ୍ତି।
ଐଶ୍ବର୍ଯ୍ୟା ଜଣେ ମଡେଲ ଓ ଅଭିନେତ୍ରୀ ହୁଅନ୍ତୁ ବୋଲି ତାଙ୍କର ମା’ ଚାହୁଥିଲେ। ତେଣୁ ସେ ତାଙ୍କର ନାମ ଐଶ୍ବର୍ଯ୍ୟା ରାୟଙ୍କ ନାମ ଅନୁସାରେ ରଖିଥିଲେ। ୨୦୧୫ ମସିହାରେ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗୀତୋ ସେ ମିସ୍ ଫ୍ରେସ୍ ଫେସ୍ ଦିଲ୍ଲୀ ଟାଇଟଲ୍ ଜିତିଥିଲେ। ୨୦୧୬ ମସିହାରେ ସେ ମିସ୍ ଇଣ୍ଡିଆ ପ୍ରତିଯୋଗିତାର ଚୂଡ଼ାନ୍ତ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିଲେ।
ଆଇଏଏସ୍ ହେବା ପାଇଁ ତାଙ୍କର ସ୍ବପ୍ନ ଥିଲା ଓ ଶରୀରର ଯତ୍ନ ନେବା ସାଙ୍ଗକୁ ସେ ପାଠପଢ଼ାକୁ ମଧ୍ୟ ସମାନ ଭାବେ ଗୁରୁତ୍ବ ଦେଉଥିଲେ ବୋଲି ଐଶ୍ବର୍ଯ୍ୟା କହିଛନ୍ତି।