ଦେଶରେ ଗଡ଼ିଲା ପ୍ରଥମ ‘କିଷାନ ଟ୍ରେନ’

ନୂଆଦିଲ୍ଲୀ: ଦେଶରେ ଆଜିଠାରୁ ପ୍ରଥମ କରି କିଷାନ ଟ୍ରେନ ଗଡ଼ିଛି। କୃଷିଜାତ ପନିପରିବା ଏବଂ ଫଳମୂଳର ତ୍ଵରିତ ଯୋଗାଣ ଲାଗି ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୧ଟାରେ ଏହି ଟ୍ରେନ ମହାରାଷ୍ଟ୍ରର ନାସିକ ଅନ୍ତର୍ଗତ ଦେବଲାଲିଠାରୁ ଯାତ୍ରା ଆରମ୍ଭ କରିଛି। ଦେବଲାଲିରୁ ବିହାରର ଦାନପୁର ପର୍ୟ୍ୟନ୍ତ ଏହି ଟ୍ରେନ ଗଡ଼ିବ। ଆସନ୍ତା କାଲି ସନ୍ଧ୍ୟା ୬ଟା ୪୫ରେ ଟ୍ରେନ ଦୀର୍ଘ ୧୫୧୯ କିଲୋମିଟର ଯାତ୍ରା କରି ଦାନପୁରରେ ପହଞ୍ଚିବ।
ଶୁକ୍ରବାରଠାରୁ କିଷାନ ଟ୍ରେନ ଚଳାଚଳ ଆରମ୍ଭ କରିବାକୁ ଗତ ଗୁରୁବାର ଭାରତୀୟ ରେଳ ପକ୍ଷରୁ ଘୋଷଣା କରାଯାଇଥିଲା। ପୂର୍ବରୁ ଗତ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୀଘ୍ର ନଷ୍ଟ ହୋଇଯାଉଥିବା ଫଳ ଏବଂ ପନିପରିବାର ପରିବହନ ପାଇଁ କିସାନ ଟ୍ରେନ ଚଳାଚଳ କରିବା ଲାଗି ଘୋଷଣା କରିଥିଲେ। ଏହାକୁ ପିପିପି ଯୋଜନା ଅଧୀନରେ କାର୍ୟ୍ୟକାରୀ କରାଯିବ। ଏହି ଟ୍ରେନ ଚାଷୀମାନଙ୍କ ଲାଗି ବେଶ୍ ସହାୟକ ହେବ। ଉପଯୁକ୍ତ ଏବଂ ତ୍ଵରିତ ପରିବହନ ବ୍ୟବସ୍ଥା ଅଭାବାରୁ ଯେଉଁ ପନିପରିବା ଏବଂ ଫଳ ଗ୍ରାହକଙ୍କ ପାଖରେ ପହଞ୍ଚିବା ପୂର୍ବରୁ ନଷ୍ଟ ହୋଇଯାଉଥିଲା, ତାହା ଏବେ ସହଜରେ ଯୋଗାଣ ହୋଇପାରିବ।